21.1 C
Bhubaneswar
Thursday, February 5, 2026
Homeଓଡିଶା‘ପୀଡ଼ା’ ଦେଲେ ଅରୁଣ

‘ପୀଡ଼ା’ ଦେଲେ ଅରୁଣ

ଭୁବନେଶ୍ୱର : ବିଜେଡିରେ ଆଭ୍ୟନ୍ତରୀଣ ଝଡ଼ ଥମିବାର ନାଁ ଧରୁନି। ଦଳର ସଭାପତି ନବୀନ ପଟ୍ଟନାୟକ ଦୁଇଜଣ କାର୍ଯ୍ୟରତ ବିଧାୟକଙ୍କୁ ନିଲମ୍ବିତ କରି ଉଭୟଙ୍କ ମୁଣ୍ଡରେ ଯେଉଁ କଳାଟିକା ଲଗାଇଲେ ତାକୁ ନେଇ ବିବାଦ ଜାରି ରହିଛି। ଏବେ ଆଉ ଏକ ନୂଆ ଘଟଣା ପଦାକୁ ଆସିଛି। ଗତ ୨ ତାରିଖରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ ସାହୁଙ୍କ ରଚିତ ପୁସ୍ତକ ‘ପୀଡ଼ା’ ପ୍ରକାଶ ପାଇଛି। ଏହି ପୁସ୍ତକକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଅରୁଣ ପୁସ୍ତକଟିରେ ଯାହା ପ୍ରକାଶ କରିଛନ୍ତି ତାକୁ ତର୍ଜମା କଲେ ସ୍ପଷ୍ଟ ଜଣାପଡ଼ୁଛି ବିଜେଡିରେ ସବୁ କିଛି ଠିକ୍‌ଠାକ୍ ନାହିଁ। ଯାହା କାର୍ଯ୍ୟକ୍ରମ ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ସଠିକ୍ ଢ଼ଙ୍ଗରେ ହେଉନାହିଁ। ସରକାରରେ ଥିଲାବେଳେ ଓ ସରକାରରୁ ଗଲାପରେ ଦଳ ଯେଉଁ ସ୍ଥିତି ଦେଇ ଗତି କରୁଛି ତାକୁ ନେଇ ଲେଖକ ଅରୁଣଙ୍କ ମନରେ ବହୁ ପୀଡ଼ା ରହିଛି, ଯାହା ତାଙ୍କ ରଚିତ ପୁସ୍ତକରୁ ସୂଚନା ମିଳୁଛି। ନିଜର ପୀଡ଼ାକୁ ଖୋଲାଖୋଲି ଭାବେ କହିବା ତାଙ୍କ ପକ୍ଷ ବୋଧହୁଏ ସମ୍ଭବ ହେଉ ନଥିବାରୁ ପୁସ୍ତକରେ କିଛି ଚରିତ୍ର ମାଧ୍ୟମରେ ତାହା ପରିପ୍ରକାଶ କରିବାକୁ ଉଚିତ ମନେ କରିଛନ୍ତି। ସେ ଜଣେ ଚତୁର ରାଜନେତା ଭାବରେ ସୂଚାଇ ଦେବାକୁ ଚାହିଁଛନ୍ତି ନେତୃତ୍ୱ ଠିକ୍ ଭାବରେ ନ ବୁଝିଲେ ଓ ସଜାଡ଼ି ନହେଲେ ଏକାଧିକ ସ୍ୱର ଉଠିବ। ସେସବୁକୁ ନିଅନ୍ତ୍ରଣ କରିବା କାଠିକର ପାଠ।

ବିଜେଡି କ୍ଷମତାରେ ଥିଲାବେଳେ ଅରୁଣ ମନ୍ତ୍ରୀ ଥାଇ ସରକାରଙ୍କୁ ବେଶ୍ ପାଖରୁ ଦେଖିବା ସହ ପ୍ରଶାସନିକ କାର୍ଯ୍ୟଧାରାକୁ ଅଙ୍ଗେ ନିଭାଇଛନ୍ତି। କ୍ଷମତାରୁ ଗଲାପରେ ଦଳରେ ଚାଲିଥିବା ବିଭିନ୍ନ କାର୍ଯ୍ୟଧାରାକୁ ସେ ବେଶ୍ ନିରିକ୍ଷଣ କରିଛନ୍ତି। ନୂଆପଡ଼ା ଉପନିର୍ବାଚନରେ ଦଳ କେବଳ ହାରି ନାହିଁ, ତୃତୀୟ ସ୍ଥାନକୁ ଖସିବା ବୋଧହୁଏ ଲେଖକ ଅରୁଣ ସହି ପାରି ନାହାଁନ୍ତି। ତାଙ୍କ ମନରେ ଯେଉଁ ବିଦ୍ରୋହ ଓ ପୀଡ଼ା ଦେଖାଦେଇଛି ତାହା ବିଭିନ୍ନ ମାଧ୍ୟମରେ ପୁସ୍ତକରେ ପରିପ୍ରକାଶ କରିଛନ୍ତି। ନୂଆପଡ଼ା ଉପନିର୍ବାଚନରେ ସେ ପ୍ରଚାର ଦାୟିତ୍ୱରେ ଥିଲେ। ପୁସ୍ତକରେ ଚରିତ୍ର ସେ ଦର୍ଶାଇଛନ୍ତି ତାହା କାଳ୍ପନିକ କି ବାସ୍ତବ ତାହା ଲେଖକ ହିଁ ଜାଣିଥିବେ। କିନ୍ତୁ ଯେଉଁ ଅବତରଣା ସେ କରିଛନ୍ତିି ତାକୁ ଯଦି ନିରେଖୀ ଦେଖାଯିବ ତେବେ ଜଣାପଡ଼ୁଛି ଯେ ବିଜେଡି ଯେଉଁ ଲକ୍ଷ୍ୟ ନେଇ ଗଠନ କରାଯାଇଥିଲା ତାହା ସୁଦୃଢ଼ ପରାହତ ହୋଇଛି।

ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ବିଜେଡିର ଜନ୍ମ ବୋଲି ଯାହା ଦଳର ନେତାମାନେ କୁହନ୍ତି ତାହା ବାସ୍ତବତା ଠାରୁ ବହୁ ଦୂରରେ। କିଛି ରାଜନୈତିକ ବ୍ୟକ୍ତି କ୍ଷମତାର ନିକଟତର ହୋଇ ନିଜକୁ ପରିପୃଷ୍ଠ କରିବା ସହ ଦଳକୁ ବିଭନ୍ନ ମାର୍ଗରେ ନେଇଛନ୍ତି। ଅଧିକାରୀମାନେ କ୍ଷମତାରେ ଅନ୍ଧ ହୋଇ ବାସ୍ତବ ଚିତ୍ରକୁ ଭୁଲି ଯାଇଛନ୍ତି। ଦଳ ଲୋକଙ୍କ ଠାରୁ କ୍ରମେ ଦୂରେଇ ଯାଇଥିବାରୁ ନୂଆପଡ଼ା ସ୍ଥିତି ଭୋଗିବାକୁ ହେଲା। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲାବେଳେ ୧୩ ଜିଲ୍ଲାରୁ ୩୦ଟି ଜିଲ୍ଲା ଗଠନ କରିବା ପଛରେ ତାଙ୍କର ଦୂରଦୃଷ୍ଟି ପ୍ରଦର୍ଶନ କରିଥିଲେ। ପ୍ରଶାସନକୁ ଲୋକଙ୍କ ନିକଟତର କରିବା ପାଇଁ ଲକ୍ଷ୍ୟ ରଖି ଛୋଟ ଛୋଟ ଜିଲ୍ଲା ଗଠନ କରିଥିଲେ। ଲୋକଙ୍କର ଓ ଗାଁ’ର ଚିତ୍ର ବଦଳିବ। ହେଲେ ତାଙ୍କ ଅନ୍ତେ ତାଙ୍କ ସ୍ୱପ୍ନକୁ ଶାକାର କରିବା ପାଇଁ ତାଙ୍କ ନାମରେ ଗଠିତ ବିଜୁ ଜନତା ଦଳ (ବିଜେଡି) କ୍ଷମତାକୁ ଆସିବ ପରେ ଲୋକଙ୍କର ସମସ୍ୟାକୁ ଦୂରେଇବାରେ ସକ୍ଷମ ହେଲା ନାହିଁ। କ୍ଷମତା ଅଳିନ୍ଦରେ ରହି କିଛି ନେତା ଦୁର୍ନୀତି ଓ ସମ୍ପତ୍ତି ଅର୍ଜନ କରିବାରେ ମସଗୁଲ୍ ହୋଇଗଲେ। ଲେଖକ ତାଙ୍କ ପୁସ୍ତକର ୩୨ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି ‘ ରାଜନୀତିର ଶୀର୍ଷରେ ଥିବା ନେତୃତ୍ୱ ନେଉଥିବା ବ୍ୟକ୍ତିମାନଙ୍କ ସାଥିରେ ସହଯୋଗୀମାନେ କେମିତି ଏମିତି ଏତେ ଅର୍ଥ ଯୋଗାଡ଼ କରିପାରୁଛନ୍ତି। ବ୍ୟୟବହୁଳ ନିର୍ବାଚନ ସାଥିରେ- ବର୍ଷଯାକର ବ୍ୟୟବହୁଳ ରାଜନୀତି ଖର୍ଚ୍ଚ ସମ୍ଭାଳିବାରେ ସାମାନ୍ୟ କୁଣ୍ଠା ନାହିଁ। …. କେହି କେବେ ଭାବନ୍ତିନି ଆସେ କେଉଁଠୁ? ଏହାର ଅସରନ୍ତି ଉତ୍ସ କେଉଠୁଁ? ଯିଏ ଯେତେ ଅଧିକ ଦେଇପାରିଲା – ତାହାର ନାଁ ସେତେ ଉପରେ ରହିଲା। …. ଦୁର୍ନୀତି ନୀତି ପାଲଟିଗଲା।’ ଅରୁଣଙ୍କର ଏହି ଉକ୍ତି ଦଳର କେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ ସେମାନେ ଏହା ପଢ଼ି ବେଶ୍ ବୁଝି ପାରୁଥିବେ। ଆଉ ନାଁ କହି ଚିହ୍ନା ପଡ଼ିବା ସେ ଉଚିତ୍ ମନେ କରି ନାହାଁନ୍ତି। ଜାଣିଲା ପରେ ସେମାନଙ୍କ ମନରେ ବି ‘ପୀଡ଼ା’ ହେଉଥିବ।

କେବଳ କ୍ଷମତା କେନ୍ଦ୍ରର ନିକଟତର ଥିବା ରାଜନେତାଙ୍କ କଥା ନୁହେଁ ଅଧିକାରୀମାନଙ୍କ ବେପରୁଆ ମନୋଭାବ ଓ ଲୋକଙ୍କ ପ୍ରକୃତ ସମସ୍ୟା ବୁଝି ନପାରି ଉପର ଠାଉରିଆ କାମ କରୁଥିବା କଥା ବି ସେ ତାଙ୍କ ପୁସ୍ତକରେ ‘ଦାଦନ’ ସମସ୍ୟା ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି। ଲୋକେ ଯେଉଁ ଦାଦନ ଖଟିବାକୁ ଯାଉଛନ୍ତି ତାକୁ ଦୂର କରିବା ଦିଗରେ ବିଜେଡି ଦୀର୍ଘବର୍ଷ ଧରି କ୍ଷମତାରେ ରହିଥିଲେ ବି ବିଫଳ ହୋଇଛି। ଦାଦନ ନଯିବା ପାଇଁ ଭାଷଣରେ କହି ଆଇନ୍ କଲେ କିଛି ଫାଇଦା ନାହିଁ। ଦାଦନ ଖଟିବାକୁ ଯେପରି ଲୋକେ ନଯିବେ ତାହାର ବାସ୍ତବତାକୁ ଅନୁଶୀଳନ କରି କାର୍ଯ୍ୟକରାଯାଇ ପାରିଲା ନାହିଁ। ପରିସ୍ଥିତି, ପାରିପାର୍ଶିକ ପରିବେଶ ଓ ମାନସିକ ସ୍ଥିତିକୁ ନେଇ ଜଣେ ଦାଦନ ଖଟିବାକୁ ଭିଟାମାଟି ଛାଡ଼ି ଯାଏ ଏକଥା ଲେଖକ ତାଙ୍କ ପୁସ୍ତକରେ ଦର୍ଶାଇଛନ୍ତି। ଯାହାକି ସରକାରୀ ବାବୁମାନେ ବୁଝିବାକୁ ଅକ୍ଷମ। ସେଠାରେ ଦାଦନ ଖଟିବାକୁ ଯାଇ ନିର୍ଯାତିତ ହେଉଛନ୍ତି। ଅନେକ ଅଘଟଣର ଶୀକାର ହେଉଛନ୍ତି ଓ ପରିବାର ବି ଉଜୁଡ଼ିଯାଉଛି। ‘୫-ଟି’ ସ୍କୁଲ୍‌କୁ ବି ଲେଖକ ବାଣ ମାରିଛନ୍ତି। ଗାଁର ତଳସ୍ତରର ଆବଶ୍ୟକତାକୁ ଅନୁଭବ ନକରି ଲୋକ ଦେଖାଣିଆ ଭାବେ କାମ କଲେ ଶିକ୍ଷାର ବିକାଶ ହେବ ନାହିଁ ଏକଥା ସେ ଦର୍ଶାଇଛନ୍ତି।

ଲେଖକ ଦେଶ ସ୍ୱାଧିନତାର ୭୭ ବର୍ଷ ମଧ୍ୟରେ କିଭଳି ଦୁର୍ନୀତି ଗ୍ରାସ କରିଗଲାଣି ତାହା ଦର୍ଶାଇବାକୁ ଯାଇ ୨୫ ବର୍ଷିଆ ପରିସଂଖ୍ୟାନ ଉଲ୍ଲେଖ କରିଛନ୍ତି। ପରୋକ୍ଷରେ ସେ ନିଜ ସରକାର ଦୀର୍ଘଦିନ ଧରି କ୍ଷମତାରେ ଥାଇ ଦୁର୍ନୀତିରେ ଭରପୁର୍ ହୋଇଥିବା ସେ ସୂଚାଇ ଦେଇଛନ୍ତି। ବଡ଼ କର୍ପୋରେଟ୍ ହାଉସ୍‌, ଶିଳ୍ପପତି, କମ୍ପାନୀ ସମୂହ ଉଦ୍ଦ୍ୟୋଗପତି ଏମାନଙ୍କ ଠାରୁ ବିପୁଳ ଅର୍ଥ ଆଣି ଠୁଳ କରାଯାଇଛି। ଦାୟିତ୍ୱରେ ଥିବା ନେତା ଓ ଅଧିକାରୀମାନେ କ୍ଷମତା ସହ ଯୋଡ଼ି ହୋଇଥିବାରୁ ସେମାନଙ୍କର ସବୁ ଦୁର୍ନୀତି ନୀତି ପାଲଟିଯାଇଛି। ଲେଖକ ତାଙ୍କ ପୁସ୍ତକର ୯୩ ପୃଷ୍ଠାରେ ଜଣେ ଅର୍ଥନୀତିଜ୍ଞଙ୍କ କଥା ଉଲ୍ଲେଖ କରି ଦର୍ଶାଇଛନ୍ତି ‘…. ପ୍ରତ୍ୟେକ ଅର୍ଥନୈତିକ ସାମ୍ରାଜ୍ୟ ପଛରେ ଅର୍ଥନୈତିକ ଅପରାଧ ଥାଏ। ନଚେତ ଏତେ କମ୍ ସମୟରେ ଶହେ ଗୁଣ, ହଜାରେ ଗୁଣ ସମ୍ପତ୍ତି ବଢ଼େ କେମିତି?’ ଏକଥା ଦର୍ଶାଇ ଅରୁଣଙ୍କ ବାଣ ଦଳର କେଉଁ ନେତା ଓ ଅଧିକାରଙ୍କ ଆଡ଼କୁ ତାହା ଅଛପା ନାହିଁ।

ସେ ତାଙ୍କ ଲେଖା ମାଧ୍ୟମରେ ଉପନିର୍ବାଚନରେ ଘଟିଥିବା ଘଟଣାକୁ ଦର୍ଶାଇ ଲୋକେ ସଚେତନ ହେଲେଣି ଓ ସବୁ କଥାକୁ ଜାଣିଲେଣି ଆଉ କାହା ମୁହଁରେ ହାତ ଦେଇ କି ନାଲି ଆଖି ଦେଖାଇ କି କାର୍ଯ୍ୟାନୁଷ୍ଠାନ ନେଇ ଚୁପ୍ କରିବା ସମ୍ଭବ ନୁହେଁ। ଆଗକୁ ଏହା ଆହୁରି ବଢ଼ିବ। ଅରୁଣ ମନ ଭିତରର ପୀଡ଼ା ଲେଖା ମାଧ୍ୟମରେ ପ୍ରକାଶ କରି ସଚେତନ କରାଇଛନ୍ତି। ତାଙ୍କ ମନରେ ବି ବିଦ୍ରୋହ ଅଛି। ସେ ଦଳୀୟ ଶୃଙ୍ଖଳା ଯୋଗୁ କହି ପାରୁନାହାଁନ୍ତି ସିନା ଲେଖା ମାଧ୍ୟମରେ ଜଣାଇ ଦେଇଛନ୍ତି। ବୁଝିବା ଲୋକ ଠିକ୍ ବୁଝିବେ ବୋଲି ଅରୁଣଙ୍କ ପୁସ୍ତକ ପଢ଼ିବାରୁ ଏହା ଜଣାପଡ଼ୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking