ଜାମ୍ମୁ – କାଶ୍ମୀର: ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା। ଉଧମପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତଙ୍କ ମଧ୍ୟରେ ଜୈଶ୍ କମାଣ୍ଡର ଥିବା ସୂଚନା ମିଳିଛି। ମଙ୍ଗଳବାର ଦିନ ଉଧମପୁର ଜିଲ୍ଲାର ଏକ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଏକ ପ୍ରାକୃତିକ ଗୁମ୍ଫା ଭିତରେ ସୁରକ୍ଷା ବାହିନୀ ଜୈଶ-ଏ-ମହମ୍ମଦ (JeM)ର ଦୁଇରୁ ତିନି ଜଣ ସନ୍ଦିଗ୍ଧ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରିବା ପରେ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ଭୟଙ୍କର ଗୁଳିବିନିମୟ। ଏହି ଏନକାଉଣ୍ଟରରେ ୨ ଜୈଶ୍ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଜଣେ ଆତଙ୍କବାଦୀ ଆହତ ହୋଇ ତାଙ୍କ ସହଯୋଗୀଙ୍କ ସହିତ ଗୁମ୍ଫା ଭିତରକୁ ପଳାଇ ଯାଇଥିଲେ।
ଏନେଇ ବୁଧବାର ଦିନ ସେନା ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ସୁରକ୍ଷା ବାହିନୀ ଉଧମପୁର ଜିଲ୍ଲାର ଏକ ଗୁମ୍ଫାରେ ଲୁଚି ରହିଥିବା ଦୁଇ ଜୈଶ-ଏ-ମହମ୍ମଦ (JeM) ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟାରେ ସେନା, ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ (CRPF)ର ଏକ ମିଳିତ ଦଳ ରାମନଗରର ଜାଫର ଜଙ୍ଗଲ ଅଞ୍ଚଳରେ ଗୁମ୍ଫା ଭିତରେ ଆତଙ୍କବାଦୀମାନଙ୍କୁ ଠାବ କରିଥିଲେ, ଯାହା ପରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଏନକାଉଣ୍ଟର ଚାଲିଥିଲା।










