ମୁମ୍ବାଇ: ମହାରାଷ୍ଟ୍ରର ଲୋନାୱାଲାରୁ ଓଡ଼ିଶା ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋନାୱାଲାରେ ଟ୍ରେକିଂ କରୁଥିବା ସମୟରେ ଶ୍ରେୟା ପତି (୧୯) ନାମ୍ନୀ ଓଡ଼ିଶାର ଜଣେ ୧୯ ବର୍ଷୀୟା ଆଇନ୍ ଛାତ୍ରୀଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ତେବେ ଶ୍ରେୟା ଓଡ଼ିଶାର କେଉଁ ଜିଲ୍ଲାର ସ୍ଥାୟୀ ବାସିନ୍ଦା ଏପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ସେ ଗତ ୩୧ତାରିଖ ରେ ଟ୍ରେକିଂ ପାଇଁ ମୁମ୍ବାଇରୁ ଲୋନାୱାଲା ଆସିଥିଲେ ବୋଲି ଜଣାପଡିଛି। ଟ୍ରେକିଂ ସମୟରେ ଶ୍ରେୟା ଭାରସାମ୍ୟ ହରାଇ ୩୯୦ ଫୁଟ ଗଭୀର ଖାଲରେ ଖସିପଡ଼ିଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସହଯୋଗୀମାନେ କହିଛନ୍ତି। ଲୋନାୱାଲାର ଟାଇଗର ପଏଣ୍ଟ ଭ୍ୟାଲିର ଡ୍ୟୁକ୍ସ ନୋଜ୍ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ ଯୁବତୀ ଜଣକ ୩୯୦ଫୁଟ ଗଭୀର ଘାଟିରେ ଖସି ପଡ଼ିଥିଲେ। ବହୁ ପ୍ରୟାସ ପରେ, ଉଦ୍ଧାରକାରୀ ଦଳ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ପୁଲିସ୍ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।










