ପୁରୀ: ପୁରୀରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ଗସ୍ତରେ ଆସି ପୁରୀରେ ପହଞ୍ଚିଛନ୍ତି। ତାଳବଣିଆ ହେଲିପ୍ୟାଡ୍?ରେ ତାଙ୍କ ବିମାନ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଥିଲେ। ତାଳବଣିଆ ହେଲିପ୍ୟାଡ ଠାରୁ ସିଧାସଳଖ ଲୋକ ଭବନ ଅଭିମୁଖେ ଯାଇଥିଲେ ରାଷ୍ଟ୍ରପତି। ଆସନ୍ତାକାଲି ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି। ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ପୁରୀ ସହରର ୧୦ କିମି ପରିସୀମା ଅଞ୍ଚଳକୁ ନୋ-ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷାରେ ୩୦ ପ୍ଲାଟୁନ ପୋଲିସ ନିୟୋଜିତ ହୋଇଛନ୍ତି। ମହାମହିମ ରାଷ୍ଟ୍ରପତି ଚତୁର୍ଥଥର ପାଇଁ ପୁରୀ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବୁଧବାର ଦିନ ପ୍ରାତଃ କାଳରେ ମହାମହିମ ରାଷ୍ଟ୍ରପତି ମହୋଦୟାଙ୍କ ମହାପ୍ରଭୁଙ୍କ ଦର୍ଶନ କାର୍ଯ୍ୟସୂଚୀ ରହିଅଛି। ଏଣୁ ମହାମହିମ ଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସର୍ବସାଧାରଣ ଦର୍ଶନ ଗୋପାଳବଲ୍ଲଭ ଭୋଗ ଶେଷ ହେବା ପର୍ଯ୍ୟନ୍ତ ଆପାତତଃ ପ୍ରାତଃ ଘ.୬.୦୦ ଟିକା ଠାରୁ ସକାଳ ଘ.୧୦.୦୦ ଟିକା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ବୁଧବାର ସକାଳ ୪ଟା ସୁଦ୍ଧା ଜୟ ବିଜୟ ଦ୍ୱାର ଫିଟା ନୀତି କରାଯିବ। ସୁରକ୍ଷା ଦୃଷ୍ଟିକୋଣରୁ ସକାଳ ୬ଟା ସୁଦ୍ଧା ଶ୍ରୀ ମନ୍ଦିର ଶୋଧ କରାଯିବ। ଉକ୍ତ ସମୟରେ କୌଣସି ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନିଷେଧ ରହିଛି।
ତେବେ ମହାପ୍ରଭୁଙ୍କ ଦର୍ଶନ ସାରି ରାଷ୍ଟ୍ରପତି ପ୍ରତ୍ୟାବର୍ତ୍ତନ କରିବା ପରେ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହେବ। ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଆସନ୍ତାକାଲି ବୁଧବାର ସକାଳ ୬.୫୦ ମିନିଟରେ ଲୋକଭବନରୁ ଶ୍ୱେତଗଙ୍ଗା ପୁଷ୍କରିଣୀ ଅଭିମୁଖେ ବାହାରି ସକାଳ ୭.୦୫ ମିନିଟରେ ପହଞ୍ଚିବେ। ସେଠାରେ ପିଣ୍ଡଦାନ କାର୍ଯ୍ୟକ୍ରମ ସରିବା ପରେ ୭.୪୦ ମିନିଟରେ ପୁରୀ ଶ୍ରୀମନ୍ଦିରରେ ପହଞ୍ଚିବେ। ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା, ଶ୍ରୀମନ୍ଦିର ମୁଖ୍ୟ, ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି ଶ୍ରୀମନ୍ଦିର ଭିତରକୁ ପାଛୋଟି ନେବେ। ଗର୍ଭଗୃହରେ ରାଷ୍ଟ୍ରପତି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବେ। ପ୍ରୋଟୋକଲ ଅନୁଯାୟୀ ରାଷ୍ଟ୍ରପତିଙ୍କ ସହିତ କେବଳ ପାସ୍?ଧାରୀ, ସରକାରୀ ଅଧିକାରୀ ଏବଂ ସେବାୟତ ଉପସ୍ଥିତ ରହିବେ। ଉକ୍ତ ସମୟରେ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ମହାପ୍ରଭୁଙ୍କ ଦର୍ଶନ କରିବା ପରେ ରାଷ୍ଟ୍ରପତି ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରିବେ। ସକାଳ ୮ଟା ୧୦ ମିନିଟରେ ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ଲୋକ ଭବନ ଅଭିମୁଖେ ବାହାରିବେ। ଏହାପରେ ରାଷ୍ଟ୍ରପତି ସକାଳ ୯ ଟା ୧୫ ମିନିଟରେ ତାଳବଣିଆ ହେଲିପ୍ୟାଡ ଅଭିମୁଖେ ବାହାରି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପ୍ରତ୍ୟାବର୍ତ୍ତନ କରିବେ।
ସୁରକ୍ଷା ବ୍ୟବସ୍ଥା ପାଇଁ ରାଷ୍ଟ୍ରପତିଙ୍କ କାର୍କେଡ ରୁଟ୍କୁ ସମ୍ପୂର୍ଣ୍ଣ ନୋ-ଭେହିକିଲ ଜୋନ୍ ଭାବେ ଘୋଷଣା କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିବେ। ବଡଦାଣ୍ଡର ଉଭୟ ପାର୍ଶ୍ୱରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ସାଧାରଣ ଲୋକମାନେ ଏହି ବ୍ୟାରିକେଡ଼ ବାହାରୁ ରାଷ୍ଟ୍ରପତିଙ୍କ ଝଲକ ପାଇପାରିବେ। ଆଜି ମଧ୍ୟାହ୍ଣ ୧୨ ଟାରୁ ଆସନ୍ତାକାଲି (୪ ତାରିଖ) ମଧ୍ୟାହ୍ଣ ୧୨ଟା ପର୍ଯ୍ୟନ୍ତ ପୁରୀ ସହରକୁ “ଡ୍ରୋନ ମୁକ୍ତ ଅଞ୍ଚଳ” ବା “ନୋ ଫ୍ଲାଇଙ୍ଗ ଜୋନ” ଭାବେ ଘୋଷଣା କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହେବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହାସହ ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟୋକଲ “ବ୍ଲ୍ୟୁ ବୁକ୍” ଅନୁଯାୟୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପୁରୀ ସହରର ୧୦ କିମି ପରିସୀମା ଅଞ୍ଚଳକୁ “ନୋ ଫ୍ଲାଇଙ୍ଗ ଜୋନ” ବା “ଡ୍ରୋନ ମୁକ୍ତ ଅଞ୍ଚଳ” ଘୋଷଣା କରିଛନ୍ତି। ଏସପିଙ୍କ ସୁରକ୍ଷା ସମ୍ପର୍କିତ ପତ୍ର ଆଧାରରେ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ମହାମହିମ ରାଷ୍ଟ୍ରପତି ୨ ଦିନିଆ ପୁରୀ ଗସ୍ତରେ ଆସିଛନ୍ତି। ତେଣୁ ତାଳବଣିଆ ହେଲିପ୍ୟାଡ଼ରୁ ନେଇ ଲୋକ ଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ସକାଳେ ପ୍ରଥମେ ରାଷ୍ଟ୍ରପତି ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ। ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତେବେ ରାଷ୍ଟ୍ରପତିଙ୍କ ସଫଳ ଗସ୍ତ ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି।
ଶ୍ରୀମନ୍ଦିର ସାବତ ନିଯୋଗ ସମ୍ପାଦକ ବିପିନ ପତ୍ରୀ କହିଛନ୍ତି, “ପବିତ୍ର ଶ୍ୱେତଗଙ୍ଗା ପୁଷ୍କରିଣୀରେ ରାଷ୍ଟ୍ରପତି ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବେ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏବେ କେବଳ ରାଷ୍ଟ୍ରପତିଙ୍କ ଆଗମନକୁ ଅପେକ୍ଷା। ବୁଧବାର ସକାଳ ୭ଟାରେ ଏଠାରେ ପିଣ୍ଡଦାନ କାର୍ଯ୍ୟକ୍ରମ ହେବ। ସୁରକ୍ଷା ପାଇଁ ପାସ ମିଳିଥିବା ସେବାୟତମାନେ ହିଁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସାମିଲ ହେବେ। ଏପରି ସୁଯୋଗ ପାଇଥିବାରୁ ଖୁବ ଆନନ୍ଦିତ ଅଛି। ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ରାଜରତନ ମହାପାତ୍ର କହିଛନ୍ତି, ମହାମହିମ ରାଷ୍ଟ୍ରପତି ପୁରୀ ଆସୁଥିବାରୁ ଆମେ ତାଙ୍କର କୌଳିକ ପଣ୍ଡା ହିସାବରେ ବହୁତ ଖୁସି ଅଛୁ। ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ତେବେ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ରାଷ୍ଟ୍ରପତି ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରିବେ। ଏହା ପରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଆମେ କୌଳିକ ପଣ୍ଡା ହିସାବରେ ରାଷ୍ଟ୍ରପତିଙ୍କୁ ସିଂହଦ୍ୱାରରେ ସ୍ୱାଗତ କରି ଶ୍ରୀମନ୍ଦିର ଭିତରକୁ ନେବୁ। ମହାପ୍ରଭୁଙ୍କ ଦର୍ଶନ କରାଇ ଉପହାର ସ୍ୱରୂପ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ସୁଖୁଲି ମହାପ୍ରସାଦ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବୁ। ମହାପ୍ରଭୁଙ୍କ ଆଶୀର୍ବାଦ ତାଙ୍କ ଉପରେ ଅଛି। ଏହା ପୁରୀ ଶ୍ରୀମନ୍ଦିରକୁ ମହାମହିମଙ୍କ ଚତୁର୍ଥ ଗସ୍ତ ହେବ।










