ନୂଆଦିଲ୍ଲୀ: ଗଭୀର ଖାଇକୁ ଖସିଲା ଯାତ୍ରୀବାହୀ ବସ । ତିନି ମୃତ, ଅନେକ ଆହତ । ଉତ୍ତରାଖଣ୍ଡ ଡେରାଡୁନ ଜିଲ୍ଲାର କାଲସି ଅଞ୍ଚଳରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ମଙ୍ଗଳବାର ଉତ୍ତରାଖଣ୍ଡ ଡେରାଡୁନ ଜିଲ୍ଲାର କାଲସିର କ୍ୱାନୁ- ମିନାସ ରୋଡର ଏକ ଦୁର୍ଗମ ଅଞ୍ଚଳରେ ବସଟି ଗଭୀର ଖାଇକୁ ଖସିପଡିଥିଲା । ଫଳରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା, ଜଣେ ପୁରୁଷ ରହିଛନ୍ତି । ବସରେ ପ୍ରାୟ ୩୦ ଯାତ୍ରୀ ଥିବା କୁହାଯାଉଛି । ସୂଚନା ପାଇ ଘଟଣାସ୍ଥଳରେ ଏସଡିଆରଏଫ ଟିମ, ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣା କିପରି ହେଲା, ତାହାର ତଦନ୍ତ କରୁଛି ପୋଲିସ । ଏହାରି ଭିତରେ ପୁଷ୍କର ସିଂ ଧାମି କହିଛନ୍ତି, ଏହି ଘଟଣା ପାଇଁ ମୁଁ ଦୁଃଖିତ । ଉଚ୍ଚ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି । ଆହତଙ୍କୁ ଉତ୍ତମ ଚିକିତ୍ସା ପାଇଁ କେନ୍ଦ୍ରକୁ ବିମାନରେ ସ୍ଥାନାନ୍ତର କରାଯିବ । ସମସ୍ତଙ୍କ ମଙ୍ଗଳ କାମନା ମଧ୍ୟ କରିଛନ୍ତି ।










