21.1 C
Bhubaneswar
Sunday, February 1, 2026
Homeଖେଳ୪-୧ରେ ସିରିଜ୍ ପୋଛିନେଲା ଭାରତ; ଅନ୍ତିମ ଟି-୨୦ରେ ୪୬ ରନ୍‌ରେ ହାରିଲା ନ୍ୟୁଜିଲାଣ୍ଡ

୪-୧ରେ ସିରିଜ୍ ପୋଛିନେଲା ଭାରତ; ଅନ୍ତିମ ଟି-୨୦ରେ ୪୬ ରନ୍‌ରେ ହାରିଲା ନ୍ୟୁଜିଲାଣ୍ଡ

ଥିରୁଅନନ୍ତପୁରମ୍‌: ପ୍ରଥମେ ଈଶାନ୍ କିଶନ୍ ଏବଂ ଅଧିନାୟ ସୂର୍ଯ୍ୟ କୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ପରେ ଅର୍ଶଦୀପ ସିଂହଙ୍କ ଘାତକ ବୋଲିଂ ଦ୍ୱାରା ୫ ୱିକେଟ୍ ଅକ୍ତିଆର ଫଳରେ ଭାରତ ଟି-୨୦ ଶୃଙ୍ଖଳାର ପଞ୍ଚମ ତଥା ଶେଷ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୪୬ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସିରିଜ୍‌କୁ ୪-୧ରେ ନିଜ ନାମରେ କରିନେଇଛି। ତେବେ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ ମାତ୍ର ଏକ ସପ୍ତାହ ଥିବା ବେଳେ ଆଜିର ଏହି ସିରିଜ୍ ବିଜୟ ଭାରତୀୟ ସ୍କ୍ୱାଡ୍‌ର ଆତ୍ମବିଶ୍ୱାସକୁ ବହୁମାତ୍ରାରେ ବଢ଼ାଇଦେଇଛି। ଅନ୍ୟପକ୍ଷେ ଦିନିକିଆ ସିରିଜ୍‌ରେ ଭାରତକୁ ପରାସ୍ତ କରିଥିବା ଏହି ଭ୍ରମଣକାରୀ ଦଳ ୫ଟି ଟି-୨୦ ମ୍ୟାଚ୍‌ରେ ମାତ୍ର ଗୋଟିଏରେ ବିଜୟୀ ହୋଇପାରିଥିଲା।

ଥିରୁଅନନ୍ତପୁରମ୍ ସ୍ଥିତ ଗ୍ରିନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଜିର ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ଧାର୍ଯ୍ୟ ୨୦ ଓଭର ସୁଦ୍ଧା ୫ ୱିକେଟ୍ ବିନିମୟରେ ୨୭୧ ରନ୍ କରିଥିଲା। ମ୍ୟାଚ୍‌ରେ ଅନ୍ୟତମ ଓପନର ଭାବେ ପଡିଆକୁ ଓହ୍ଲାଇଥିବା ସଞ୍ଜୁ ସାମ୍‌ସନ୍ ଆଜି ପୁଣିଥରେ ନିଜ ପ୍ରଶଂସକଙ୍କୁ ନିରାଶ କରିଥିଲେ ଏବଂ ମାତ୍ର ୬ ରନ୍ କରି ପାଭିଲିୟନ୍ ଫେରିଥିଲେ। ତେବେ ଅଭିଷେକ୍ ଶର୍ମା କିନ୍ତୁ ୧୬ ବଲ୍‌ରୁ ଦ୍ରୁତ ୩୦ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଅଧିକ ସମୟ ତିଷ୍ଠି ପାରିନଥିଲେ। କିନ୍ତୁ ଈଶାନ କିଶନ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ମିଶି ମାତ୍ର ୯.୩ ଓଭରରେ ୧୩୭ ରନ୍ ଯୋଡ଼ିଥିଲେ। ଈଶାନ ୨୮ ବଲ୍‌ରୁ ଏବଂ ସୂର୍ଯ୍ୟ ମାତ୍ର ୨୬ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ଈଶାନ ମାତ୍ର ୪୩ ବଲ୍‌ରୁ ନିଜର ଧୂଆଁଦାର ଶତକୀୟ ଇନିଂସ ଖେଳିଥିଲେ। ଈଶାନ୍ ୪୩ ବଲ୍‌ରେ ୧୦୩ ରନ୍ ସଂଗ୍ରହ କରିଥିଲେ ଯେଉଁଥିରେ ୬ଟି ଚୌକା ଏବଂ ୧୦ଟି ଛକା ସାମିଲ ଥିଲା। ସେହିପରି ସୂର୍ଯ୍ୟକୁମାର ୩୦ ବଲ୍‌ରୁ ୬୩ ରନ୍‌ର ପାଳି ଖେଳିଥିଲେ ଯେଉଁଥିରେ ୪ଟି ଚୌକା ଏବଂ ୬ଟି ଛକା ସାମିଲ ରହିଛି। ସେହିପରି ଦଳର ନିର୍ଭରଯୋଗ୍ୟ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପଡ଼ିଆକୁ ଆସି ତୁଫାନୀ ପାଳି ଖେଳିଥିଲେ। ପାଣ୍ଡ୍ୟା ମାତ୍ର ୧୭ ବଲ୍‌ରୁ ବିସ୍ଫୋରକ ୪୨ ରନ୍ କରିଥିଲେ। ରିଙ୍କୁ ସିଂହ ଏବଂ ଶୁଭମ୍ ଦୁବେ କେବଳ ମ୍ୟାଚ୍‌କୁ ଚୌକା ଏବଂ ଛକା ମାରି ଶେଷ କରିଥିଲେ।

୨୭୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ନ୍ୟୁଜିଲାଣ୍ଡ କିନ୍ତୁ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନର ଫିନ୍ ଆଲେନ୍‌ଙ୍କୁ ବାଦ୍ ଦେଲେ ଦଳର ଅନ୍ୟ କୌଣସି ଖେଳାଳି ସେପରି ଆଖି ଦୃଶିଆ ସ୍କୋର କରିପାରିନଥିଲେ। ଫିନ୍ ଆଲେନ୍ ୩୮ ବଲ୍‌ରୁ ୮୦ ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଆଜିର ମ୍ୟାଚ୍‌ରେ ନିଜ ୪ ଓଭର ସ୍ପେଲ୍‌ରେ ୫୧ ରନ୍ ଦେଇ ୫ଟି ୱିକେଟ୍ ଅକ୍ତିଆର କରିଥିଲେ। ଆଜିର ମ୍ୟାଚ୍‌ରେ ବିସ୍ଫୋରକ ପାଳି ଖେଳିଥିବା ଈଶାନ୍ କିଶନ୍‌ଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ସେହିପରି ପୁରା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ସ୍କୋର (୨୪୨ ରନ୍‌) ସଂଗ୍ରହକାରୀ ଭାବେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍ ଘୋଷଣା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking