କୋଲକାତା: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେ ରାଜନୈତିକ ଦଳଗୁଡ଼ିକ ନିର୍ବାଚନୀ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ବିଶେଷକରି ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିର ନଜର କ୍ଷମତା ହାସଲ କରିବା ଉପରେ ରହିଥିବା ବେଳେ ବିଜେପିର ହାଇପ୍ରୋଫାଇଲ୍ ନେତାମାନେ ଏବେ ନିୟମିତ ବ୍ୟବଧାନରେ ପଶ୍ଚିମବଙ୍ଗ ଗସ୍ତ କରିବା ସହ ପ୍ରଚାର କରୁଥିବାର ଦେଖିବାକୁ ମିଳୁଛି। ଏହିକ୍ରମେ ଶନିବାର ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାର ବାରାକପୁର୍ ଗସ୍ତ କରିବା ପୂର୍ବକ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ। ଶାହ, ନିଜ ଭାଷଣ ଆରମ୍ଭରୁ ହିଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ ଟାର୍ଗେଟ୍ କରିବା ଆରମ୍ଭ କରିଥିଲେ। ଶାହ କହିଥିଲେ, ‘ଦିନେ ରାବଣ ବି ଭାବିଥିଲା ତାକୁ କେହି ହରାଇପାରିବେ ନାହିଁ, କିନ୍ତୁ ଶେଷରେ ତା’ର କ’ଣ ପରିଣତି ହେଲା ତାହା ସମସ୍ତେ ଜାଣିଛନ୍ତି’। ପଶ୍ଚିମବଙ୍ଗରେ ଟିଏମ୍ସି ସରକାରର ପତନ ନିଶ୍ଚିତ ଏବଂ ୨୦୨୬ ରାଜ୍ୟ ରାଜନୀତିରେ ପରିବର୍ତ୍ତନର ବର୍ଷ ହେବ ବୋଲି ଶାହ ଦାବି କରିଛନ୍ତି। ତାଙ୍କ କହିବାନୁସାରେ ବାମପନ୍ଥୀମାନଙ୍କୁ ହଟାଇବା ପାଇଁ ବଙ୍ଗଳାର ଲୋକମାନେ ଟିଏମସିକୁ କ୍ଷମତା ହସ୍ତାନ୍ତର କରିଥିଲେ, କିନ୍ତୁ ଆଜି ସେହି ସରକାର ଦୁର୍ନୀତି, ଭ୍ରଷ୍ଟାଚାର, ପୁଲିସର ଅପବ୍ୟବହାର ଓ ଅନୁପ୍ରବେଶକୁ ପ୍ରୋତ୍ସାହିତ କରି ରାଜ୍ୟକୁ ପଛକୁ ନେଉଛନ୍ତି। ତେଣୁ ୨୦୨୬ ଟିଏମ୍ସିକୁ ବିଦାୟ ଦେବାର ବର୍ଷ। ଶାହ କହିଛନ୍ତି ମା, ମାଟି, ମାନୁଷ ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ଟିଏମ୍ସି ଏବେ କିନ୍ତୁ ରାଜ୍ୟରେ ଆଜି ମା, ମାଟି ଏବଂ ମାନୁଷ୍ଙ୍କୁ ସୁରକ୍ଷା ଦେଇପାରୁନାହିଁ। ମହିଳାଙ୍କ ସୁରକ୍ଷା ପାଇଁ କୌଣସି ଦୃଢ଼ ଗ୍ୟାରେଣ୍ଟି ନାହିଁ। ମାନୁଷ ମମତାଙ୍କ ସିଣ୍ଡିକେଟ୍ ଦ୍ୱାରା ବିଚଳିତ ଏବଂ ମାଟିକୁ ଅନୁପ୍ରବେଶକାରୀମାନେ ଗ୍ରାସ କରିଛନ୍ତି।
ଏଥର ବଙ୍ଗଳାରେ ସରକାର ଗଠନ କେବଳ ରାଜ୍ୟ ପାଇଁ ନୁହେଁ, ବରଂ ସମଗ୍ର ଦେଶର ସୁରକ୍ଷା ଓ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଶାହ କହିଛନ୍ତି। ଶେଷରେ, ସେ କର୍ମୀମାନଙ୍କୁ ଏକଜୁଟ ହୋଇ ବଙ୍ଗଳାରେ ପରିବର୍ତ୍ତନ ଆଣିବା ପାଇଁ ନିର୍ବାଚନୀ ମୈଦାନରେ ପ୍ରବେଶ କରିବାକୁ ଆହ୍ୱାନ ଦେଇଛନ୍ତି। ସେହିପରି ପଶ୍ଚିମବଙ୍ଗକୁ ବାଂଲାଦେଶୀଙ୍କ ଅନୁପ୍ରବେଶ ସମ୍ପର୍କରେ ମତ ରଖି ଶାହ କହିଛନ୍ତି, ବଙ୍ଗଳାରେ ଅବୈଧ ପ୍ରବେଶ କେବଳ ରାଜ୍ୟ ନୁହେଁ ବରଂ ସମଗ୍ର ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି। ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ସୀମାରେ ବାଡ଼ ଦେବା ପାଇଁ ଜମି ଯୋଗାଇ ଦେଉନାହାଁନ୍ତି, ଯାହା ସୀମା ସୁରକ୍ଷା ବାହିନୀ (ବିଏସଏଫ୍)କୁ ତା’ର କାର୍ଯ୍ୟ କରିବାରେ ବାଧା ସୃଷ୍ଟି କରୁଛି। ହାଇକୋର୍ଟ ଏହି ମାମଲାରେ ବିଏସ୍ଏଫ୍ ସପକ୍ଷରେ ରାୟ ଦେଇଛନ୍ତି, କିନ୍ତୁ ଏହା ସତ୍ତ୍ୱେ, ଜମି ଯୋଗାଇ ଦିଆଯାଉନାହିଁ କାରଣ ଅନୁପ୍ରବେଶକାରୀମାନେ ଶାସକ ଦଳର ଭୋଟ୍ ବ୍ୟାଙ୍କ। ଶାହ ଦାବି କରିଛନ୍ତି, ବିଜେପି କ୍ଷମତାକୁ ଆସିବା ପରେ, ୪୫ ଦିନ ମଧ୍ୟରେ ସୀମାରେ ବାଡ଼ ନିର୍ମାଣ ସମାପ୍ତ ହେବ ଏବଂ ସୁରକ୍ଷାକୁ ସୁଦୃଢ଼ କରାଯିବ।










