ବାଲେଶ୍ୱର,: ପ୍ରେମ ପାଇଁ ନବମ ଶ୍ରେଣୀ ଛାତ୍ରକୁ ଖଣ୍ଡାରେ ହାଣିଦେଲା ଦଶମ ଛାତ୍ର। ବାଲେଶ୍ୱର ରେମୁଣା ହାଇସ୍କୁଲ୍ରେ ଅଭାବନୀୟ ଘଟଣାକୁ ନେଇ ଚାରିଆଡ଼େ ଚାଞ୍ଚଲ୍ୟ। ସ୍କୁଲ୍ରେ ପିଏମଶ୍ରୀ ଉତ୍ସବ ଚାଲିଥିବାବେଳେ ରକ୍ତର ହୋଲି ଖେଳିଛି ନାବାଳକ ପ୍ରେମିକ। ଆହତ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ। ପ୍ରକାଶ ଯେ ରେମୁଣା ଉଚ୍ଚ ବିଦ୍ୟାଳୟର ଜନୈକ ଦଶମ ଶ୍ରେଣୀର ଛାତ୍ର ରେମୁଣା ଏନ୍ଏସିର ଅଠାନ୍ତର ଅଞ୍ଚଳର ନିଜ ମାମୁଁ ଘରେ ରହି ପାଠ ପଢ଼େ। ସେ ବିଦ୍ୟାଳୟର ଏକ ନବମ ଶ୍ରେଣୀର ଛାତ୍ରୀକୁ ଭଲ ପାଉଥିଲା। କିଛିଦିନ ଏପରି ଚାଲିବା ପରେ ଛାତ୍ରୀ ଜଣକ ନବମ ଶ୍ରେଣୀର ନିଜ ସହପାଠୀ ଛାତ୍ର ପ୍ରେମରେ ପଡ଼ି ଯାଇଥିଲେ। କିନ୍ତୁ ଏହାକୁ ଦଶମ ଶ୍ରେଣୀର ପୂର୍ବ ପ୍ରେମିକ ଛାତ୍ର ଆଦୌ ସହ୍ୟ କରିପାରିନଥିଲା। ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲା। ଶନିବାର ସ୍କୁଲରେ ପିଏମଶ୍ରୀ ଉତ୍ସବ ପାଳନ ନେଇ ଦିନ ଧାର୍ଯ୍ୟ ହୋଇଥିଲା। ଏହି ଦିନକୁ ଛାତ୍ର ଜଣକ ଆକ୍ରମଣ ପାଇଁ ଉଚିତ୍ ସମୟ ମଣିଥିଲା।
ନିଜର ଜଣେ ସହପାଠୀ ଛାତ୍ର(ବଙ୍ଗାଳିସାହି) ଜରିଆରେ ସ୍କୁଲକୁ ଏକ ଭୁଜାଲି ମଧ୍ୟ ଆଣିଥିଲା ଅଭିଯୁକ୍ତ ଛାତ୍ର ଜଣକ। ଶନିବାର ପିଏମଶ୍ରୀ ଉତ୍ସବ ପାଇଁ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ବ୍ୟସ୍ତ ଥିଲେ। ଅଭିଯୁକ୍ତ ଛାତ୍ର ଜଣକ ଅନ୍ୟ ୫/୬ ଜଣ ସହପାଠୀଙ୍କ ସହଯୋଗରେ ପୀଡ଼ିତ ଛାତ୍ରକୁ ଅପରାହ୍ଣ ୧ଟା ସମୟରେ ସ୍କୁଲର ପଶ୍ଚିମ ପାର୍ଶ୍ୱ ଶ୍ରେଣୀଗୃହ ପଛକୁ ଡାକି ନେଇଯାଇଥିଲା। ସେଠାରେ ଥିବା ଏକ ଦିବ୍ୟାଙ୍ଗ ଶୌଚାଳୟ ଭିତରେ ଅଭିଯୁକ୍ତ ଛାତ୍ର ଭୁଜାଲିରେ ପୀଡ଼ିତ ଛାତ୍ରର ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲା। ତା’ ହାତକୁ ମଧ୍ୟ ହାଣିଦେଇଥିଲା। ପିଲାଟି କୌଶଳ କ୍ରମେ ସେଠାରୁ ଖସି ଆସି ଜନୈକା ଶିକ୍ଷୟିତ୍ରୀଙ୍କୁ ଏ ବିଷୟରେ ଜଣାଇବା ପରେ ପ୍ରଧାନ ଶିକ୍ଷୟତ୍ରୀ ଦୁଇ ଜଣ ଶିକ୍ଷକଙ୍କ ସହାୟତାରେ ତାକୁ ତୁରନ୍ତ ଫକୀର ମୋହନ ମେଡ଼ିକାଲ କଲେଜରେ ଭର୍ତ୍ତି କରାଇଥିଲେ। ଅପରପକ୍ଷେ ଅଭିଯୁକ୍ତ ଛାତ୍ର ଥାନାରେ ଆତ୍ମ ସମର୍ପଣ କରି ପ୍ରେମ ପାଇଁ ଏହି କାଣ୍ଡ ଭିଆଇଥିବା ସ୍ୱୀକାର କରିଛି। ଏନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜୁରାଣୀ ଦାସ ମହାପାତ୍ର ଲିଖିତ ଭାବେ ଥାନାରେ ଜଣାଇଛନ୍ତି । ପୀଡ଼ିତ ପରିବାର ପକ୍ଷରୁ ମଧ୍ୟ ଥାନାରେ ଏତଲା ଦିଆଯାଇଛି। ତେବେ ପୁଲିସ ବ୍ୟବହୃତ ଭୁଜାଲିଟିକୁ ଜବତ୍ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ରେମୁଣା ତହସିଲଦାର ଭର୍ତ୍ତୃହରି ଭୂୟାଁ, ଅତିରିକ୍ତ ତହସିଲଦାର ମନୋଜ କୁମାର ସାହୁ ଏବଂ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବଳରାମ ନାୟକଙ୍କ ସମେତ ବିଧାୟକଙ୍କ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି ପ୍ରମୁଖ ସ୍କୁଲରେ ଘଟଣାର ଅନୁଧ୍ୟାନ କରି ଫେରିଛନ୍ତି ।










