ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଭୟଙ୍କର ସଡକ ଦୁର୍ଘଟଣା । କାର୍ ଉପରେ ଚଢିଗଲା ଦ୍ରୁତଗାମୀ ଟ୍ରକ୍ । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ସେମାନେ ସମସ୍ତେ ନୋଏଡାର ବାସିନ୍ଦା ଥିବା ଜଣାପଡିଛି । ଦିଲ୍ଲୀ – ମୁମ୍ବାଇ ଏକ୍ସପ୍ରେସ୍ ୱେରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମୟରେ କାରଟି ବରୋଦାରୁ ନୋଏଡା ଅଭିମୁଖେ ଯାତ୍ରା କରୁଥିଲା। କାର୍ ଭିତରେ ୫ ଜଣ ଯାତ୍ରୀ ଥିଲେ । ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୫ଟା ସମୟରେ ପାପଡା ଅଞ୍ଚଳର ଏକ୍ସପ୍ରେସ୍ୱେରେ ୧୯୩ ନମ୍ବର ପିଲର ନିକଟରେ କାର୍କୁ ପଛରୁ ଧକ୍କା ଦେଇଥିଲା ଦ୍ରୁତଗାମୀ ଟ୍ରକ୍ । ଫଳରେ କାର୍ଟି ଟ୍ରକ୍ ତଳେ ଚାପି ହୋଇଯାଇଥିଲା । ଏହି ଦୁର୍ଘଟଣାରେ କାର୍ଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଯାତ୍ରୀମାନେ ଭିତରେ ପଶିଯାଇଥଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ମୃତଦେହକୁ ଉଦ୍ଧାର କରିବା ସହ ଜଣେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା । ଗୁରୁତର ଯୁବକଙ୍କ ଦୌସାର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଚାଲିଛି । ତେବେ କେଉଁ କାରଣରୁ ଦୁର୍ଘଟଣାଟି ଘଟିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।










