21.1 C
Bhubaneswar
Sunday, February 1, 2026
Homeଓଡିଶାବିଜେପି ଶାସନରେ ସାଇବର ଅପରାଧ ଓ
ଫେକ୍ ନୁ୍ୟଜ ବୃଦ୍ଧି: ବିଜେଡି

ବିଜେପି ଶାସନରେ ସାଇବର ଅପରାଧ ଓ
ଫେକ୍ ନୁ୍ୟଜ ବୃଦ୍ଧି: ବିଜେଡି

ନକଲି ସୋସିଆଲ୍ ମିଡିଆ ଆକାଉଣ୍ଟ ଓ ଫେକ୍ ନୁ୍ୟଜ୍ ନିୟନ୍ତ୍ରଣରୁ ବାହାରେ
ପୋଲିସର ଉଦାସୀନତା ପାଇଁ ଗୋପନୀୟତା ଓ ଡାଟା ସୁରକ୍ଷା ଆଜି ବିପଦରେ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଆସିବା ପରେ ସାଇବର ଅପରାଧ, ଫେକ୍ ନୁ୍ୟଜ ଓ ନକଲି ସୋସିଆଲ୍ ମିଡିଆ ଆକାଉଣ୍ଟର ବୃଦ୍ଧି ନେଇ ବିଜୁ ଜନତା ଦଳ ଗଭୀର ଚିନ୍ତା ପ୍ରକଟ କରିଛି । ଏପରି ମାମଲାରେ ଏଫଆଇଆର ରେଜିଷ୍ଟ୍ରେସନ୍ ଓ ଠିକ୍ ତଦନ୍ତ ପ୍ରତି ପୋଲିସ ପ୍ରଶାସନର ଉଦାସୀନ ଭାବ ଯୋଗୁଁ ସାଇବର ଅପରାଧର ଶିକାର ହେଉଥିବା ଲୋକ ମାନେ ନ୍ୟାୟରୁ ବଞ୍ଚିତ ହେଉଛନ୍ତି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ପ୍ରିୟବ୍ରତ ମାଝୀ କହିଥିଲେ ଯେ, ୨୨.୦୧.୨୦୨୬ ତାରିଖରେ ଏକ ନକଲି ବହିଷ୍କାର ଆଦେଶ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ଶ୍ରୀ ଜ୍ୟୋତି ପାଣିଗ୍ରାହୀ, ପୂର୍ବତନ ବିଧାୟକ, ସିମୁଳିଆଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି ବୋଲି ଉଲ୍ଲେଖ ହୋଇଛି । ଏଥିରେ ବିଜେଡି ଉପସଭାପତି ଶ୍ରୀ ପ୍ରତାପ ଜେନାଙ୍କ ନକଲି ଦସ୍ତଖତ ବ୍ୟବହାର କରାଯାଇଛି । ଡ଼ ମାଝୀ ସ୍ପଷ୍ଟ କରିଥିଲେ ଯେ, ଏପରି କୌଣସି ବହିଷ୍କାର ଆଦେଶ କେବେ ବି ଜାରି ହୋଇନାହିଁ ଓ ଉକ୍ତ ପତ୍ରରେ ଉଲ୍ଲେଖ ଚିଠି ନମ୍ୱର ମଧ୍ୟ ଭୁଲ୍ । ଡ. ମାଝୀ ଆହୁରି କହିଥିଲେ ଯେ, ଏହି ନକଲି ବହିଷ୍କାର ଆଦେଶକୁ ମୁକ୍ତିକାନ୍ତ ସ୍ୱାଇଁ ବିଜେପି, ସ୍ୱାଭିମାନ ଯୁବକ ଭଳି ବ୍ଲୁ ଟିକ୍ ଥିବା ଅନେକ ଭେରିଫାଏଡ୍ ଫେସବୁକ୍ ଆକାଉଣ୍ଟ ମାଧ୍ୟମରେ ଉଦେ୍ଦଶ୍ୟପୂର୍ଣ୍ଣ ଭାବେ ପ୍ରଚାର କରାଯାଇଛି । ଆଜି ଅପରାହ୍ନରେ ଡ଼ ମାଝୀ ଭିଏସ୍ଏସ୍ ନଗର, ଭୁବନେଶ୍ୱରର ସାଇବର ପୋଲିସ ଥାନାକୁ ଯାଇ ମିଛ ବହିଷ୍କାର ଆଦେଶ ବିରୋଧରେ ଏଫଆଇଆର ଦାଖଲ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପୋଲିସ ଏଫଆଇଆର ରେଜିଷ୍ଟର କରିବାକୁ ଅସ୍ୱୀକାର କରି କେବଳ ଷ୍ଟେସନ୍ ଡାଏରୀ ଏଣ୍ଟ୍ରି କରିଥିଲା । ସେହିପରି ୧୯.୦୧.୨୦୨୬ରେ ବିଜେଡିର ନେତା ଓ କାର୍ଯ୍ୟକର୍ତ୍ତାଙ୍କ ନାମରେ ଖୋଲାଯାଇଥିବା କିଛି ନକଲି ଫେସବୁକ୍ ଆକାଉଣ୍ଟ ବିରୋଧରେ ଏଫଆଇଆର ଦାଖଲ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଏଫଆଇଆର ରେଜିଷ୍ଟର ହୋଇନାହିଁ କିମ୍ୱା ସେଗୁଡିକୁ ହଟାଇବା ପାଇଁ ପୋଲିସ୍ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଯେତେବେଳେ ରାଜ୍ୟର ପ୍ରମୁଖ ବିରୋଧୀ ଦଳର ଅଭିଯୋଗକୁ ଅଣଦେଖା କରାଯାଉଛି, ସେତେବେଳେ ସାଧାରଣ ଲୋକ କିପରି ନ୍ୟାୟ ପାଇବ ବୋଲି ଡ଼ ମାଝୀ ପ୍ରଶ୍ନ କରିଛନ୍ତି । ବିଜେପିର ୧୮ ମାସର ଶାସନକାଳରେ ସାଇବର ଅପରାଧ ଓ ଫେକ୍ ନୁ୍ୟଜ୍ ଗୁରୁତର ସମସ୍ୟାରେ ପରିଣତ ହୋଇଥିବା ବେଳେ ସରକାର ସାଇବର ଅପରାଧ ତଦନ୍ତ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସୋସିଆଲ୍ ମିଡିଆରେ ଫେକ୍ ନୁ୍ୟଜ ପ୍ରଚାର ଭାରତୀୟ ଆଇନ ଅନୁସାରେ ଗୁରୁତର ଅପରାଧ ଅଟେ । ଏହା ଭାରତୀୟ ନ୍ୟାୟ ସଂହିତା ଓ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯-ଏ ଅନ୍ତର୍ଗତ । ତଦନୁଯାୟୀ ପୋଲିସ ତକ୍ରାଳ ଏଫଆଇଆର ରେଜିଷ୍ଟର କରି କାର୍ଯ୍ୟାନୁଷ୍ଠାନ ନେବା କଥା, କିନ୍ତୁ ପୋଲିସ ଏଫଆଇଆର ରେଜିଷ୍ଟର କରିବାରେ କାହିଁକି ଅନିଚ୍ଛା ପ୍ରକାଶ କରୁଛି, ତାକୁ ନେଇ ଡ଼ ମାଝୀ ପ୍ରଶ୍ନ କରିଛନ୍ତି । ଡ. ମାଝୀ ଅଭିଯୋଗ କରିଥିଲେ ଯେ, ବିଜେପି ସରକାର ଉଦେ୍ଦଶ୍ୟପୂର୍ଣ୍ଣ ଭାବେ ଫେକ୍ ନୁ୍ୟଜ୍ ପ୍ରଚାରକୁ ପ୍ରୋତ୍ସାହନ ଦେଉଛି । ସେ ଦୃଢ଼ତାର ସହ କହିଥିଲେ ଯେ, ବିଜୁ ଜନତା ଦଳ ସାଇବର ଅପରାଧ ଓ ଫେକ୍ ନୁ୍ୟଜ୍ ବିରୋଧରେ ଦୃଢ଼ ଭାବେ ଲଢ଼ିବ ଏବଂ ସାଢ଼େ ୪ କୋଟି ଓଡ଼ିଆଙ୍କ ଅଧିକାର ଓ ସୁରକ୍ଷା ପାଇଁ ରାଜନୈତିକ ଏବଂ ଆଇନଗତ ଭାବେ ଲଢ଼େଇ ଜାରି ରଖିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking