ସୁନ୍ଦରଗଡ଼: ଶୋଇଥିବା ବେଳେ ବୃଦ୍ଧାଙ୍କୁ ଜାଳିଦେଲେ ଦୁର୍ବୃତ୍ତ। ଅଭାବନୀୟ ଘଟଣାଟି ଘଟିଛି ହେମଗିର ଥାନା ରଙ୍ଗିଆଢିପାରେ। ମୃତା ବୃଦ୍ଧା ଜଣକ ହେଲେ ସୁମିତ୍ରା ବାଗ (୮୦)। ନିଆଁରେ ବୃଦ୍ଧାଙ୍କ କେବଳ ଗୋଡ଼କୁ ଛାଡ଼ିଦେଲେ ଶରୀରର ଅନ୍ଯ ଅଂଶ ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ସନ୍ଧ୍ଯାରେ ଘଟଣାଟି ଘଟିଥିବାବେଳେ ହେମଗିର ପୁଲିସ ସୂଚନା ପାଇ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି। ରଙ୍ଗିଆଢିପାରେ ଏକ କୁଡ଼ିଆରେ ଏକା ରହୁଥିବା ବୃଦ୍ଧା ଜଣଙ୍କ ବୁଧବାର ସରକାରଙ୍କ ଦ୍ଵାରା ଦିଆଯାଉଥିବା ବାର୍ଦ୍ଧକ୍ୟ ଭତ୍ତା ୩୫ ଶହ ଟଙ୍କା ପାଇଥିଲେ। ଟଙ୍କା ଘରେ ରଖିଥିଲେ। କୌଣସି ସମୟରେ ଦୁର୍ବୃତ୍ତ ଘରେ ପଶି ଖଟରେ ଶୋଇଥିବା ବୃଦ୍ଧାଙ୍କ ଦେହରେ ନିଆଁ ଲଗାଇ ପୋଡ଼ି ଦେଇଥିବା କୁହାଯାଇଛି। ଗତକାଲି ସନ୍ଧ୍ୟାରେ ସ୍ଥାନୀୟ କେତେଜଣ ଲୋକଙ୍କ ନଜରକୁ ଏହି ଘଟଣା ଆସିଥିଲା। ସେମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ତଦନ୍ତ ବେଳେ ପୁରୁଷଙ୍କ ଚପଲ ଓ ଗୋଟିଏ ଟର୍ଚ୍ଚ ପଡ଼ିଥିବାରୁ ଏହା ଚୋରି ପାଇଁ ହତ୍ୟା ହୋଇଥିବ ବୋଲି ପୁଲିସ ସନ୍ଦେହ କରୁଛି। ତଦନ୍ତ ପରେ ସତ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି।










