ଭୁବନେଶ୍ୱର: ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ। ଆଜି ମା’ ସରସ୍ବତୀଙ୍କୁ ଆରାଧନାର ଦିନ। ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ବତୀ। ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପାଳନ କରାଯାଇଥାଏ। ମା’ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ। ମା’ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା ପାଳନ କରିଥାନ୍ତି। ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ। ବିଦ୍ୟା, ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କୁ ଆଜି ପୂଜା କରିଥାନ୍ତି ବିଦ୍ୟାର୍ଥୀ। ବସନ୍ତ ଋତୁରେ ଏହି ପର୍ବ ପଡୁଥିବାରୁ ଏହାକୁ ବସନ୍ତ ପଞ୍ଚମୀ କୁହାଯାଏ। ପବିତ୍ର ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥକାଠ। ରଥଯାତ୍ରା ପାଇଁ ବିଧି ମୁତାବକ ତିନିଟି କାଠକୁ ପୂଜା କରାଯିବ। ରଥ ନିର୍ମାଣ ସୃଜନୀ କାର୍ୟ୍ୟ ହୋଇଥିବାରୁ ମା’ ସରସ୍ବତୀଙ୍କ ଆବାହନ କରାଯିବ। ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇ ରଥଯାତ୍ରା ନିର୍ବିଘ୍ନ ସମାପନ ପାଇଁ ପ୍ରାର୍ଥନା କରାଯିବ।










