ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରେ ଖାଇକୁ ଖସିଲା ସେନା ଗାଡି। ଗୁରୁବାର ଜମ୍ମୁ- କଶ୍ମୀରର ଡୋଡା ଜିଲ୍ଲାରେ ସେନା ଗାଡି ଏକ ଖାଇକୁ ଖସିବାରୁ ୧୦ ଜଣ ଯବାନ ସହିଦ ହୋଇଥିବା ବେଳେ ୭ ଆହତ ହୋଇଛନ୍ତି । ବୁଲେଟ ପ୍ରୁଫ ସେନା ଗାଡିରେ ୧୭ ଜଣ ଥିବା ସୂଚନା ମିଳିଛି । ସେନା ଗାଡିଟି ନିୟନ୍ତ୍ରଣ ହରାଇ ୨୦୦ ଫୁଟ ଗଭୀର ଖାଇକୁ ଖସି ପଡିଥିଲା। ଫଳରେ ୧୦ ଜଣ ଯବାନଙ୍କ ଜୀବନ ଚାଲିଯାଇଛି ।ସୂଚନା ପାଇ ସେନା ଏବଂ ପୋଲିସ, ଉଦ୍ଧାର ବାହିନୀ ଦଳ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ କରିଥିଲେ । ୭ ଆହତ ଯବାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ଉଧମପୁର ସାମରିକ ହସ୍ପିଟାଲକୁ ବିମାନ ଯୋଗେ ପଠାଯାଇଛି। ତେବେ ବଡ କଥା ହେଉଛି ଦୁର୍ଘଟଣା କିପରି ଘଟିଲା ତାହା ଏ ଯାଏଁ ଅସ୍ପଷ୍ଟ ରହିଛି। ତଦନ୍ତ ଜାରି ରହିଛି । ସୂଚନାଥାଉ କି ପୂର୍ବରୁ, ୪ ମଇ, ୨୦୨୫ରେ, ଜମ୍ମୁ ଓ କାଶ୍ମୀରର ରାମବାନ ଜିଲ୍ଲାର ବ୍ୟାଟେରୀ ଚଷମା ଅଞ୍ଚଳରେ ଏକ ସେନା ଗାଡ଼ି ୬୦୦ ମିଟର ଗଭୀର ଗର୍ତ୍ତରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ତିନି ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା।ଡିସେମ୍ବର ୨୪ ତାରିଖରେ ପୁଞ୍ଚ ଜିଲ୍ଲାରେ ଏକ ସେନା ଭ୍ୟାନ ୩୫୦ ଫୁଟ ଗଭୀର ଘାଟିରେ ଖସିପଡ଼ିଥିଲା। ଭ୍ୟାନ୍ ଭିତରେ ଅଠର ଜଣ ସୈନିକ ଥିଲେ, ଯେଉଁମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା।










