ଯାଜପୁର: ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଯାଜପୁର ଜିଲ୍ଲା ଶାଖା ତରଫରୁ ଜିଲ୍ଲା ଗୋ ରକ୍ଷକ ପ୍ରମୁଖ ମୃତ୍ୟୁଞ୍ଜୟ ପଟ୍ଟନାୟକ ଓ ଗୌତମ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଯାଜପୁର ସଦର ଥାନା ସମ୍ନୁଖରେ ଧାରଣା ଓ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଥାନାରେ ଅଭିଯୋଗ ଯୋଗୁ ଗତ୧୮ ତାରିଖ ଦିନ କେନ୍ଦୁଝର ପୋଲିସ ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ପଞ୍ଚାୟତ ପାଣ୍ଡିଆ ଗୋପୀନାଥ ପୁର ଗ୍ରାମର ଏକ ବଡ ଗୋ ମାଫିଆ ଶେଖ୍ ସରିଫ୍ ର ଘର ଉପରେ ଚଢ଼ାଉ କରିଥିଲା। ସଦର ଥାନା ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଏକ ବଡ ଧରଣର ଗୋ ଚାଲାଣ ଓ ଗୋ ମାଂସ ଚାଲାଣ ମାଫିଆ ନିଜର କଳେବର ବ୍ରୁଦ୍ଧି କରି ଚାଲିଛି। ସୁଦୂର କେନ୍ଦୁଝର ପୋଲିସ ଆସି ଧରୁଛି ହେଲେ ସଦର ପୋଲିସ ସବୁ ଜାଣି ଅଜଣା । ଏହାର ପ୍ରତିବାଦ ରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ ଗୋ ମାଂସ ଓ ଗୋ ଚାଲାଣ କୁ ଘଣ୍ଟ ଘୋଡେଇ ରଖିଥିବା ସଦର ପୋଲିସ ବିରୁଦ୍ଧରେ ନାରାବାଜି କରିଥିଲେ। ବେଆଇନ ଗୋ ଓ ମାଂସ ଚାଲାଣ କୁ ରୋକିବାରେ ସଦର ପୋଲିସ ଏକ ପ୍ରକାର ବିଫଳ ହୋଇପଡିଛି। ସଂଗଠନ ତରଫରୁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଏ ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଖବର ପାଇ ଯାଜପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମାଝୀ ଧାରଣା ସ୍ଥଳରେ ପହଞ୍ଚି ଏକ ତିନି ଦଫା ଦାବି ପତ୍ର ଗ୍ରହଣ କରିଥିଲେ । ଏଥିରେ ମୁଖ୍ୟତଃ ଜିଲ୍ଲାରେ ଥିବା ଗୋ ମାଫିଆ ମାନଙ୍କୁ ଚିହ୍ନଟ କରି ଏମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା ।










