23.1 C
Bhubaneswar
Monday, January 19, 2026
Homeଓଡିଶାଡ଼ର ଖାଉଛି ନବୀନଙ୍କୁ

ଡ଼ର ଖାଉଛି ନବୀନଙ୍କୁ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ଦୁଇ ବିଧାୟକଙ୍କୁ ଯେଉଁସବୁ ଅଭିଯୋଗ ଦର୍ଶାଇ ନିଲମ୍ବନ କରିଛନ୍ତି ତାକୁ ନେଇ ରାଜ୍ୟ ରାଜରାନୀତିରେ ଅନେକ କଥା ଆଲୋଚନା ହେଉଛି। ଅଧିକାଂଶ ଆଲୋଚନାରେ ନବୀନଙ୍କ ନେତୃତ୍ୱ ନେଇ ପ୍ରଶ୍ନ ସୃଷ୍ଟି କରାଯାଉଛି। ବାସ୍ତବରେ ନବୀନ ଜଣେ ନିରପକ୍ଷ ଓ ନିର୍ବିବାଦୀୟ ନେତା ନୁହଁନ୍ତି ବୋଲି କୁହାଯାଉଛି। ଦଳ ପରିଚାଳନାରେ ସେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି, ଏ କଥା ମଧ୍ୟ ମତ ରଖିଛନ୍ତି। ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦୁର୍ନୀତି ଏବଂ ବିଶ୍ୱାସଘାତକତା କାରଣରୁ ନିଲମ୍ବନ କରାଯାଇଥିବା ନବୀନଙ୍କ ନିର୍ଦ୍ଦେଶରେ ତାଙ୍କ ମୁଖପାତ୍ର ଓ କୋଟରୀର ନେତାମାନେ ଗଣମାଧ୍ୟମରେ କହିଛନ୍ତି। ନବୀନ ଚିରାଚରିତ ଢ଼ଙ୍ଗରେ ଏଯାଏଁ ଏହି ଘଟଣାରେ ଗଣମାଧ୍ୟମ ସାମ୍ନାରେ କୌଣସି ମତ ରଖୁନାହାଁନ୍ତି, ଅନ୍ୟମାନଙ୍କ ମୁହଁରେ ଆରୋପ ଆଣୁଛନ୍ତି। ଆସିଥିବା ଅଭିଯୋଗଗୁଡ଼ିକ ନେଇ ଅନେକ ତର୍ଜମା ଚାଲିଛି।

ଏଥିରେ କୁହାଯାଉଛି ନବୀନ ନିଜକୁ ଜଣେ ଏକଚ୍ଛତ୍ରବାଦୀ ନେତାଭାବେ ପ୍ରତିବାତିଦ କରିଛନ୍ତି। ବାରମ୍ବାର ଏହି କାର୍ଯ୍ୟଧାରା ଚାଲି ଆସିଥିବା ଦେଖାଦେଇଛି। ଦଳ କ୍ଷମତାରୁ ଗଲାପରେ ବି କୌଣସି ନରମ ମନୋଭାବ ଏବଂ ଦଳକୁ ସଂଗଠିତ ରଖିବା ଦିଗରେ ସେପରି କୌଣସି କାର୍ଯ୍ୟ କରୁ ନାହାଁନ୍ତି। ଏକଥା କୁହାଯାଉଛି ସରକାରରୁ ଗଲାପରେ ନବୀନ ଅଧିକ ଭୟଭିତ ହୋଇପଡ଼ିଛନ୍ତି ଓ ନିଜକୁ ସୁରକ୍ଷିତ ମନେ କରୁନାହାଁନ୍ତି। ଏବେ ବି କାନକୁହା ବଚସ୍କରଙ୍କ କଥାରେ ଦଳ ଚଲାଇଛନ୍ତି। ନିଜକୁ ଜଣେ ନେତା ଭାବେ ପ୍ରତିପାଦିତ କରିବାକୁ ଉଦ୍ୟମ କରୁନାହାଁନ୍ତି। ସରକାରରୁ ଯିବା ପରେ ଯାହା ଜଣାପଡ଼ୁଛି ନବୀନଙ୍କର କିଛି କ୍ଷତି ହୋଇନାହିଁ। ସେଥିପାଇଁ ସେ ପ୍ରତିକ୍ରିୟାଶୀଳ ହୋଇପାରୁ ନାହାଁନ୍ତି। କିନ୍ତୁ କ୍ଷମତାରୁ ଯିବାପରେ ଯେଉଁମାନେ ଭାବୁଛନ୍ତି ଏଥିରେ ଦଳର ବହୁ କ୍ଷତି ଘଟିଲା ସେମାନେ ପ୍ରତିକ୍ରୀୟାଶୀଳ ହେଉଛନ୍ତି। ସେଥିଲାଗି ସେମାନେ ସ୍ୱର ଉଠାଉଛନ୍ତି। ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଦାୟୀ କରି ବିଶୋଦଗାର କରୁଛନ୍ତି। ଦଳ ହାରିବା ପଛରେ ଯିଏ ଦାୟୀ ସାଧାରଣ ଭାବରେ ନିର୍ବାଚନ ପରେ ନବୀନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କଥା। ସେ ନିଜେ ବି ନିଜକୁ ଦାୟୀ କରି ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ହେଲେ ନବୀନ ତାଙ୍କୁ ଛାଡ଼ି ପାରୁନାହାଁନ୍ତି। ଉଭୟଙ୍କ ଭିତରେ କ’ଣ ଡିଲ୍ ହୋଇଛି ତାହା କାହାକୁ ଜଣା ନାହିଁ। ଏପରିକି ନୂଆପଡ଼ା ଉପନିର୍ବାଚନରେ ଦଳ ତୃତୀୟ ସ୍ଥାନକୁ ଖସିବା ଘଟଣାରେ ଯେଉଁମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା ସେମାନଙ୍କ ବିରୋଧରେ ବି କିଛି କାର୍ଯ୍ୟାନୁଷ୍ଠାନ ନେଇ ନାହାଁନ୍ତି।

ସାଧାରଣ ନିର୍ବାଚନ ହାରିବା ପରେ ପୁଣି ଏକ ଉପନିର୍ବାଚନରେ ଦଳ ଦ୍ୱିତୀୟ ସ୍ଥାନରୁ ତୃତୀୟକୁ ଖସିଲା। ନବୀନ ନିଜେ ଯାଇ ଉପନିର୍ବାଚନରେ ପ୍ରଚାର ମଧ୍ୟ କରିଥିଲେ। ସାଧାରଣ ନିର୍ବାଚନ ସମୟରେ ଦୁଇଟି ଆସନରୁ ଛିଡ଼ାହୋଇ ଗୋଟିଏରେ ହାରିଥିଲେ, ଆଉ ଗୋଟିଏରୁ ମାତ୍ର ଅଳ୍ପ ଭୋଟ୍‌ରେ ଜିତିଥିଲେ। ଏଥିରୁ ସ୍ପଷ୍ଟ ହେଉଛି ସାଧାରଣ ଲୋକଙ୍କ ନିକଟରେ ନବୀନଙ୍କ ପ୍ରତି ଯେଉଁ ଆଦର ଥିଲା ତାହା ସେତେ ପରିମାଣରେ ଆଉନାହିଁ। ଦଳର ବିପର୍ଯ୍ୟୟ ପରେ ବିପର୍ଯ୍ୟୟକୁ ଦେଖି ଯେଉଁମାନେ ପ୍ରତିକ୍ରୀୟାଶୀଳ ହେଉଛନ୍ତି ସେମାନଙ୍କୁ ବିଦାକରିବା ବଦଳରେ ନବୀନ ନିଜେ ଦୂରେଇଯାଇ ଅନ୍ୟକୁ ଦାୟିତ୍ୱ ଦେବାକଥା। ଦଳ ସେ ଗଢ଼ି ନଥିଲେ। ଅନ୍ୟମାନେ ଦଳ ଗଠନ କରି ତାଙ୍କୁ ଆଣି ବସାଇଥିଲେ। ଏଣୁ ପ୍ରକୃତ ନେତା ଭାବରେ ନିଜକୁ ଦାୟୀ କରି ଦୂରେଇଯିବା ବଦଳରେ ସ୍ୱର ଉଠାଉଥିବା ଅନ୍ୟମାନଙ୍କୁ ବିଦା କରିବାରେ ଲାଗିଛନ୍ତି। ଏଥିରେ ଦଳକୁ କିଏ ଦୁର୍ବଳ କରୁଛି, ନବୀନ ନିଜେ ନା’ ସ୍ୱର ଉଠାଉଥିବା ନେତା।

ବିଜେଡି ଗଠନ ପରଠାରୁ ଏଯାଏଁ ନବୀନ ଅନେକ ଟାଣୁଆ ନେତାଙ୍କୁ ଦଳରୁ ଦୂରେଇ ଦେଇଛନ୍ତି। ସେଥିରେ ଦଳ କେବେ ଦୁର୍ବଳ ହୋଇନାହିଁ। ନବୀନ ଯଦି ଠିକ୍ ଥିବେ ତେବେ, କିଛି ନେତା ଚାଲିଗଲେ ଦଳ କେବେ ଦୁର୍ବଳ ହେବ ନାହିଁ କି ଭାଙ୍ଗିବ ନାହିଁ। ବିଜୟ ମହାପାତ୍ର କିଛି ନେତାଙ୍କୁ ଦଳରୁ ନେବାରେ ଯଦି ସଫଳ ହୁଅନ୍ତି ତେବେ ଯେଉଁମାନେ ଯିବେ ସେମାନଙ୍କ ହାତରେ ସେପରି କିଛି ଭୋଟ୍ ନଥିବ। ପ୍ରକୃତରେ ଯେଉଁମାନଙ୍କ ହାତରେ ଭୋଟ୍ ଥିବ ସେମାନେ କେବେ ହେଲେ ବିଜେଡି ଛାଡ଼ି ଯିବେନାହିଁ। ନୂଆ ଆଞ୍ଚଳିକ ଦଳ ଗଠନ ହେଲେ କେହି ଜଣେ ହେଲେ ବିଧାୟକ ଯାଇ ସେଥିରେ ଯୋଗଦେବେ ନାହିଁ। କାରଣ ଯେଉଁ ମୂହୁର୍ତ୍ତରେ ଅନ୍ୟ ଦଳରେ ଯୋଗଦେବେ ତାଙ୍କ ସଦସ୍ୟ ପଦ ରଦ୍ଧ ହୋଇଯିବ। ବିଜେଡିର ୫୦ ବିଧାୟକ ଥିବାରୁ ୨ରୁ ୪ ଜଣ କେବେହେଲେ ଦଳ ଡେଇଁ ପାରିବେ ନାହିଁ। ଏହି ଗଣିତ ଭଲ ଭାବରେ ନବୀନ ଜାଣିଥିବେ। ଏହା ସତ୍ତ୍ୱେ ଦୁଇ ବିଧାୟକଙ୍କୁ ନିଲମ୍ବିତ କଲେ।

ଉଭୟଙ୍କ ବିରୋଧରେ ଦଳ ପକ୍ଷରୁ ଯେଉଁ କୁତ୍ସ ରଚନା କରାଯାଉଛି ତାକୁ ଅନୁଧ୍ୟାନ କଲେ ପ୍ରକୃତରେ କ’ଣ ଉକ୍ତ ଦୁଇ ବିଧାୟକ ଦୁର୍ନୀତିଗ୍ରସ୍ତରେ ଥିଲେ। ସନାତନ ମହାକୁଡ଼ ବହୁ ଆଗରୁ ଧନୀ। ତାଙ୍କ ପାଖରେ ଥିବା ଅର୍ଥ ଉପରେ ଆଖି ପକାଇ ବିଜେଡି ତାଙ୍କୁ ଅନେକ ଅଡ଼ୁଆରେ ପକାଇ ଶେଷରେ ଦଳକୁ ଆଣିବାରେ ସଫଳ ହୋଇଥିଲା। ବିଜେଡି ସହ ସେ ସାମିଲ୍ ହେବାପାଇଁ କେବେ ହେଲେ ଆଗ୍ରହୀ ନଥିଲେ। ନିଜର ସମ୍ପତ୍ତି ଓ ସାମ୍ରାଜ୍ୟର ସୁରକ୍ଷା ପାଇଁ ବାଧ୍ୟବାଧ୍ୟକତାରେ ବିଜେଡିକୁ ଆସିଥିଲେ। ଯଦି ବିଶ୍ୱାସଘାତକତା କଥା କୁହାଯାଏ ସେ ତ ଅନେକ ଦିନ ହେଲା ବିଜେଡି ଠାରୁ ଦୂରେଇ ରଖିଲେଣି। ସଭାସମିତିରେ ଖୋଲାଖୋଲି ମତ ଦେଲେଣି। ତାଙ୍କ ରାଜନୀତି କେବେଳ କେନ୍ଦୁଝର ଜିଲ୍ଲା ଭିତରେ ସୀମିତ। ସେ ଅନ୍ୟକୁ ପ୍ରଭାବିତ କରିନେବା ଓ ତାହା ଦ୍ୱାରା ବିଜେଡିର କିଛି କ୍ଷତି ହେଲାଭଳି ଜଣା ପଡ଼ୁନାହିଁ।

ଅରବିନ୍ଦଙ୍କ ଦୁର୍ନୀତି କଥା ଏତେଶୀଘ୍ର ଭାବିବା ଉଚିତ୍ ନୁହେଁ। ଦେଢ଼ବର୍ଷ ବିଧାୟକ ହେବା ଭିତରେ ସେ କ’ଣ ଏତେ ସମ୍ପତ୍ତିର ଅଧିକାରୀ ହୋଇପାରିଲେ ଅନ୍ୟ ଯେଉଁ ବିଜେଡି ବିଧାୟକମାନେ ଜିତିଛନ୍ତି ସେମାନେ ସମସ୍ତେ ନିର୍ମଳ ଏକଥା ବି ପ୍ରଶ୍ନ କରାଯାଉଛି। ବିଜେଡି କ୍ଷମତାରେ ଥିଲାବେଳେ ଯେଉଁମାନେ ମନ୍ତ୍ରୀ ଓ ବିଧାୟକ ଥିଲେ ସେମାନେ କ’ଣ ସବୁ ସ୍ୱଚ୍ଛ ଏକଥା ବି ଉଠୁଛି। ଦଳ ବିରୋଧୀ ଷଡ଼ଯନ୍ତ୍ର କଥା ଯଦି ଧରାଯାଏ ବିଜୟ ମହାପାତ୍ରଙ୍କୁ ଆକ୍ଷେପ କରାଯାଇପାରେ। କିନ୍ତୁ ଏଥିନେଇ ଅରବିନ୍ଦ କାହିଁକି ବଳି ପଡ଼ିଲେ। ଅରବିନ୍ଦ ଚାହିଁଲେ ବି ତାଙ୍କ କଥାରେ ପ୍ରଭାବିତ ହୋଇ କେହି ଜଣେ ହେଲେ ବଡ଼ନେତା କ’ଣ ସାଧାରଣ ସରପଞ୍ଚ ବି ଦଳ ଛାଡ଼ିବାକୁ ଆଗ୍ରହ ଦେଖାଇବେ ନାହିଁ। ବିଜୟ ଜଣେ ସ୍ୱାଧୀନ ରାଜନେତା ହୋଇଥିବାରୁ ସେ ତାଙ୍କ ରାଜନୀତି କରୁଛନ୍ତି। ମହାନଦୀ ବଞ୍ଚାଅ ଆନ୍ଦୋଳନ ପାଇଁ ସେମାନେ ଏକ ଗୋଷ୍ଠୀଗଠନ କରି ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ କାର୍ଯ୍ୟ କରିବାକୁ ଉଦ୍ୟମ ଚଳାଇଛନ୍ତି। ଯାହାକି ନବୀନ କ୍ଷମତାରେ ଥିବାବେଳେ ଏ ଦିଗରେ ଫେଲ୍ ମାରିଥିଲେ। ଏହାକୁ ଆଶଙ୍କା କରି ନବୀନ ନିଜର ବିଫଳତାକୁ ଘୋଡ଼ାଇବା ପାଇଁ ଭୟଭିତ ହୋଇ ଅନ୍ୟମାନଙ୍କୁ ଡ଼ରାଇବା ଲାଗି ଦୁଇ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking