ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (SSEPD) ବିଭାଗ ପକ୍ଷରୁ ଜାନୁୟାରୀ ୧୫ ତାରିଖରେ କ୍ଲିନିକାଲ୍ ସାଇକୋଲୋଜିଷ୍ଟମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଶୁଭାରମ୍ଭ ହୋଇଯାଇଛି। ଭାରତ ସରକାରଙ୍କ DEPwD ଅଧୀନସ୍ଥ NIEPID ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଉଦଘାଟନୀ ସମାରୋହରେ ଗୋପବନ୍ଧୁ ଏକାଡେମୀର ଅତିରିକ୍ତ ମହାନିର୍ଦ୍ଦେଶିକା ଶ୍ରୀମତୀ ମୋନାଲିସା ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜାନୁଆରୀ ୧୫ ରୁ ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ଦିନିଆ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର (DDRC) ଏବଂ ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ (SIEP) ର ପ୍ରାୟ ୧୨୦ ଜଣ କ୍ଲିନିକାଲ୍ ସାଇକୋଲୋଜିଷ୍ଟ ଓ ମନସ୍ତତ୍ତ୍ୱବିତ୍ ଅଂଶଗ୍ରହଣ କରିଛନ୍ତି।
ISAA ଉପକରଣର ବ୍ୟବହାର: ‘ଇଣ୍ଡିଆନ୍ ସ୍କେଲ୍ ଫର ଆସେସମେଣ୍ଟ ଅଫ୍ ଅଟିଜିମ୍’ (ISAA) ମାଧ୍ୟମରେ ଅଟିଜିମ୍ ସଠିକ୍ ଚିହ୍ନଟ, ଅଟିଜିମ୍ ପ୍ରମାଣପତ୍ର ଓ ସରକାରୀ ସୁବିଧା ସୁଯୋଗ ପାଇବା ପାଇଁ ଏକ ମାନକ ଓ ନିର୍ଭୁଲ ଚିକିତ୍ସା ପଦ୍ଧତି ଅନୁସରଣ କରିବା। କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀମତୀ ମୋନାଲିସା ଲେଙ୍କା କହିଥିଲେ ଯେ, ଅଟିଜିମ୍ ଭଳି ସମ୍ବେଦନଶୀଳ ବିଷୟରେ ବିଶେଷଜ୍ଞ ତାଲିମର ଜରୁରୀ ଆବଶ୍ୟକତା ରହିଛି। ଏହା ବ୍ୟତୀତ ସାମାଜିକ ସୁରକ୍ଷା ବିଭାଗର ଉପ-ଶାସନ ସଚିବ ଶ୍ରୀ ସନ୍ନ୍ୟାସୀ କୁମାର ବେହେରା ଏକ ସମନ୍ୱିତ ସମାଜ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ସୂଚନା ଦେଇଥିଲେ ଯେ, ଏହି ମଡେଲକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ପାଇଁ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେବାକୁ ଯାଉଛି। ଅତିରିକ୍ତ ଶାସନ ସଚିବ ଶ୍ରୀ ଭାସ୍କର ରଇତ ଏହି ଚୁକ୍ତି ସମ୍ବନ୍ଧରେ ସିକନ୍ଦରାବାଦସ୍ଥିତ NIEPID ସହିତ ହୋଇଥିବା ଆଲୋଚନା ବିଷୟରେ ଅବଗତ କରାଇଥିଲେ।
ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ଶ୍ରୀ ଦୀପକ ରାଉତରାୟ ଏବଂ ଗୋପବନ୍ଧୁ ଏକାଡେମୀର ଅତିରିକ୍ତ ନିର୍ଦ୍ଦେଶିକା ଶ୍ରୀମତୀ ବବିତାରାଣୀ ଦଳବେହେରା ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ। ଜାତୀୟ ପ୍ରତିଷ୍ଠାନ (NIEPID)ର ମାଷ୍ଟର ଟ୍ରେନର ଡକ୍ଟର ସୁନୀତା ଦେବୀ ବୈଷୟିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେ ବର୍ତ୍ତମାନର ଏକ ଗୁରୁତର ସମସ୍ୟା “ଭର୍ଚୁଆଲ୍ ଅଟିଜିମ୍” ଉପରେ ଚେତାବନୀ ଦେଇଥିଲେ। ଛୋଟ ପିଲାମାନେ ଅତ୍ୟଧିକ ମୋବାଇଲ୍ ଏବଂ ସ୍କ୍ରିନ୍ ବ୍ୟବହାର କରିବା ଫଳରେ ସେମାନଙ୍କ ପାଖରେ ଅଟିଜିମ୍ ଭଳି ଲକ୍ଷଣ ଦେଖାଯାଉଛି। ସେ ପରାମର୍ଶ ଦେଇଥିଲେ ଯେ, ପିଲାଙ୍କୁ ଏକାସାଙ୍ଗରେ ବହୁତ ନିର୍ଦ୍ଦେଶ ନ ଦେଇ ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶ ଦେବା ଉଚିତ୍। କଥା ହେବା ସମୟରେ ଚକ୍ଷୁ ସଂଯୋଗ (Eye contact) ବଜାୟ ରଖିବା ଚିକିତ୍ସାର ମୂଳଦୁଆ। ପିଲାମାନେ ଯାହା ଦେଖନ୍ତି ତାହା ଶିଖନ୍ତି, ତେଣୁ ସେମାନଙ୍କ ଆଗରେ ଅଭିଭାବକଙ୍କ ବ୍ୟବହାର ଓ ଉପଯୁକ୍ତ ପରିବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ତାଲିମ ଶିବିର ରାଜ୍ୟର ଅଟିଜିମ୍ ପିଲାମାନଙ୍କ ପାଇଁ ଏକ ନୂତନ ଆଶାର ସଞ୍ଚାର କରିବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ l










