ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଚାକିରୀ କିମ୍ବା ପରୀକ୍ଷା ପାଇଁ ଏଣିକି ଆଉ ଏନଓସି ଆବେଦନ କରିବାକୁ ପଡିବ ନାହିଁ । ସରକାରୀ କର୍ମଚାରୀଙ୍କ ପାଇଁ ସ୍ଥାୟୀ ଅନୁମତି ଜାରି କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ଅଭିଯୋଗ ବିଭାଗ ପକ୍ଷରୁ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ୟୁପିଏସସି, ଓପିଏସସି, ଏସଏସି ପରିଚାଳିତ ବିଭିନ୍ନ ପରୀକ୍ଷା ଦେବା ପାଇଁ କର୍ମଚାରୀଙ୍କୁ ବିଭାଗୀୟ ଅନୁମତି କିମ୍ବା ନୋ ଅବଜେକ୍ସନ ସାର୍ଟିଫିକେଟ ପାଇଁ ବାରମ୍ବାର ଦୌଡିବାକୁ ପଡୁଥିଲା। ବର୍ତ୍ତମାନଠୁ ବିଭାଗ ଅଧୀନରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ପାଇଁ ନୂଆ ନିର୍ଦ୍ଦେଶନାମା ଏକ ସ୍ଥାୟୀ ଅନୁମତି ଭାବରେ କାର୍ଯ୍ୟ କରିବ । କର୍ମଚାରୀମାନେ ଚାହିଁଲେ ଏ ସରକାରୀ ଚିଠିକୁ ବିଭିନ୍ନ ନିଯୁକ୍ତି ସଂସ୍ଥା କିମ୍ବା ଭବିଷ୍ୟତର ନିଯୁକ୍ତି ଦାତାଙ୍କ ନିକଟରେ ଏନଓସି ଭାବେ ଉପସ୍ଥାପନ କରିବେ । ଏହା ଦ୍ୱାରା ସରକାରୀ କାର୍ଯ୍ୟାଳୟରେ ପାଇଲ କାମ କମିବା ସହିତ କର୍ମଚାରୀଙ୍କର ସମୟ ମଧ୍ୟ କମିପାରିବ । ଏହି ସୁବିଧା ପାଇବା ସହିତ କର୍ମଚାରୀଙ୍କୁ କିଛି ନିର୍ଦ୍ଦିଷ୍ଟ ନିୟମ ମାନିବାକୁ ପଡିବ। ପରୀକ୍ଷା ପାଇଁ ପ୍ରସ୍ତୁତି କିମ୍ବା ଆବେଦନ ସମୟରେ କୌଣସି କର୍ମଚାରୀ ନିଜ ସରକାରୀ ଦାୟିତ୍ୱରେ ଅବହେଳା କରିାରିବେ ନାହିଁ। ଜଣେ କର୍ମଚାରୀ ପରୀକ୍ଷା କିମ୍ବା ସାକ୍ଷାତକାରୀ ଯାଉଥିଲେ ତାଙ୍କୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ଛୁଟି ଆଉ ମୁଖ୍ୟାଳୟ ଛାଡିବା ପାଇଁ ଅନୁମତି ନେବାକୁ ପଡିବ । ନିଜର ଆଡମିଟ କାର୍ଡ କିମ୍ବା ସଂପୃକ୍ତ ଦଲିଲ ଦାଖଲ କରିବାକୁ ହେବ। ଜଣେ କର୍ମଚାରୀ ଅନ୍ୟ ଏକ ଚାକିରି ପାଇଁ ମନୋନୀତ ହେଲେ ତାଙ୍କୁ ପୂର୍ବପରି ନିଜ ବିଭାଗରୁ ରିଲିଫ ଅନୁମତି ମାଗିବାକୁ ପଡିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କୁ ସରକାରୀ କର୍ମଚାରୀ ସ୍ୱାଗତ କରିଛନ୍ତି ।










