15.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାକୁ ୫ଶହ କୁକୁରଙ୍କୁ ହତ୍ୟା

ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାକୁ ୫ଶହ କୁକୁରଙ୍କୁ ହତ୍ୟା

ହାଇଦ୍ରାବାଦ: ତେଲେଙ୍ଗାନାର ହନମକୋଣ୍ଡା ଏବଂ କାମାରେଡ୍ଡୀ ଜିଲ୍ଲାରେ ଗତ ଦୁଇ ସପ୍ତାହ ମଧ୍ୟରେ ପ୍ରାୟ ୫୦୦ ବୁଲା କୁକୁରଙ୍କୁ ବିଷାକ୍ତ ଇଞ୍ଜେକ୍‌ସନ୍ ଦିଆଯାଇ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ଚାରିଆଡୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତେଲେଙ୍ଗାନା ପୁଲିସ୍ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ତେବେ ପ୍ରାଥମିକ ତଦନ୍ତ ପ୍ରକ୍ରିୟା ଅନ୍ତର୍ଗତ ପୁଲିସ୍ ଟିମ୍ ଏହି ଦୁଇ ଜିଲ୍ଲାରୁ ପ୍ରାୟ ୭ ଗ୍ରାମ ମୁଖିଆ (ସରପଞ୍ଚ)ଙ୍କ ସମେତ ମୋଟ୍ ୧୫ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ସମସ୍ତ ୧୫ ଜଣଙ୍କୁ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ର ଧାରା ୩୨୫ (ପଶୁମାନଙ୍କୁ ହତ୍ୟା କିମ୍ବା ବିଷ ଦେବା) ଏବଂ ପ୍ରାଣୀମାନଙ୍କ ପ୍ରତି ନିଷ୍ଠୁରତା ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ସରପଞ୍ଚମାନେ ହିଁ ମିଳିତ ଭାବେ ଏପ୍ରକାର କୁକୁରଙ୍କ ହତ୍ୟା କରିବାକୁ ଅନୁମତି ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଗ୍ରାମପଞ୍ଚାୟତ ସଚିବ ଏବଂ କର୍ମଚାରୀମାନେ ଗଣ ହତ୍ୟା ପାଇଁ ଲଜିଷ୍ଟିକ୍ସ ଏବଂ ବୃତ୍ତିଗତ କୁକୁର ଧରାଳିମାନଙ୍କୁ ମଧ୍ୟ ନିଯୁକ୍ତି ଦେଇଥିଲେ ବୋଲି ଜଣାପଡ଼ିଛି। ଘାତକ ଇଞ୍ଜେକ୍ସନ ଏବଂ ବିଷାକ୍ତ ଆହାର ମାଧ୍ୟମରେ ହତ୍ୟା କରିବା ପାଇଁ ତିନି ଜଣ ଘରୋଇ ଠିକାଦାରଙ୍କୁ ନିୟୋଜିତ କରାଯାଇଥିବା ଜଣାପଡ଼ିଛି। ପ୍ରକାଶ, ନୂତନ ବର୍ଷ ୨୦୨୬ର ପ୍ରଥମ ଦୁଇ ସପ୍ତାହରେ ହିଁ ଏହି ଅଞ୍ଚଳରେ ଅତି କମରେ ୫୦୦ କୁକୁରଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ରିପୋର୍ଟ ସାମ୍ନାକୁ ଆସିଥିଲା ଯାହାକୁ ନେଇ ଦେଶବ୍ୟାପୀ ତୀବ୍ର ଆଲୋଡନ ସୃଷ୍ଟି ହୋଇଥିଲା।

ପୁଲିସ୍ ଜେରା ସମୟରେ ଏପ୍ରକାର ନାରକୀୟ କାଣ୍ଡ ପଛର ବାସ୍ତବିକ କାରଣ ମଧ୍ୟ ଜଣାପଡିଛି। ରିପୋର୍ଟ ଅନୁସାରେ ଗାଁଗୁଡ଼ିକୁ ବୁଲା କୁକୁରଙ୍କ ଦୌରାତ୍ମ୍ୟରୁ ମୁକ୍ତ କରିବା ଭଳି ଏକ ବିବାଦୀୟ ନିର୍ବାଚନୀ ପ୍ରତିଶ୍ରୁତି ଦିଆଯାଇଥିଲା। ସ୍ଥାନୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ସମୟରେ କେତେକ ପ୍ରାର୍ଥୀ ଏପ୍ରକାର ପ୍ରତିଶ୍ରୁତି ଦେଇଥିଲେ। ତେବେ ନିର୍ବାଚନ ପରେ ଏହି ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ଏପ୍ରକାର ଏକ ସମନ୍ୱିତ ହତ୍ୟା ଅଭିଯାନ ଆୟୋଜନ କରାଯାଇଥିଲା। ସ୍ଥାନୀୟ ରିପୋର୍ଟରୁ ଜଣାପଡିଛି ଯେ ସମ୍ପ୍ରତି ଗ୍ରାମ ପଞ୍ଚାୟତ ନିର୍ବାଚନ ସମୟରେ, ବୁଲା କୁକୁର ଆକ୍ରମଣ ବୃଦ୍ଧି ଯୋଗୁଁ ଅନେକ ପ୍ରାର୍ଥୀ ବାସିନ୍ଦାଙ୍କୁ “କୁକୁର ମୁକ୍ତ ଗ୍ରାମ” ପ୍ରତିଶ୍ରୁତି ଦେଇଥିଲେ। ଏହିକ୍ରମେ କୁକୁରମାନଙ୍କୁ ଏକ ଘାତକ ପଦାର୍ଥ ଇଞ୍ଜେକ୍ସନ ଦିଆଯାଇଥିଲା ଯାହାକି କୁକୁରଙ୍କୁ କିଛି ସମୟ ମଧ୍ୟରେ ମୃତ୍ୟୁମୁଖରେ ପକାଇଦେଉଥିଲା। ଏହାରି ମଧ୍ୟରେ ଏକ ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ଏହି ମାମଲାରେ ପ୍ରମାଣ ରୂପେ ବ୍ୟବହାର କରାଯାଉଛି। ଜଗତିଆଲ ଜିଲ୍ଲାର ଧର୍ମପୁରୀ ପୌରପାଳିକାର ଏପରି ଏକ ଭୟଙ୍କର ଘଟଣାର ଏକ ଭିଡିଓରେ, ଜଣେ ବ୍ୟକ୍ତି ଏକ କୁକୁରକୁ ବିଷ ଇଞ୍ଜେକ୍ସନ ଦେଉଥିବାର ଦେଖାଯାଇଛି। ଗୋଟିଏ ମିନିଟ୍ ମଧ୍ୟରେ କୁକୁରଟି ମରିଯାଉଥିବା ଦେଖାଯାଇଥିଲା। ସେହିପରି ରାସ୍ତାରେ ଆଉ ଦୁଇଟି କୁକୁରଙ୍କ ମୃତଦେହ ମଧ୍ୟ ପଡିଥିବାର ଦେଖାଯାଇଥିଲା। ଦୁଇ ସପ୍ତାହ ପୂର୍ବରୁ କେବଳ ଏହି ପୌରପାଳିକାରେ ଅତି କମରେ ୫୦ କୁକୁରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking