19.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶଅସହ୍ୟ ହେଲା ମାନସିକ ଓ ଶାରୀରିକ ନିର୍ଯାତନା; ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖି ମାଗିଲେ ସପରିବାର...

ଅସହ୍ୟ ହେଲା ମାନସିକ ଓ ଶାରୀରିକ ନିର୍ଯାତନା; ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖି ମାଗିଲେ ସପରିବାର ଇଚ୍ଛାମୃତ୍ୟୁ ଅନୁମତି

ବାଗ୍‌ପତ୍‌: ଉତ୍ତରପ୍ରଦେଶର ବାଗପତ୍ ଜିଲ୍ଲାରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ସମ୍ବାଦ ସାମ୍ନାକୁ ଆସିଛି। ଏଠାରେ ଜଣେ ଶିକ୍ଷୟିତ୍ରୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି। ସବୁଠୁ ବଡ଼କଥା ହେଉଛି ଶିକ୍ଷୟିତ୍ରୀଜଣକ ଏହି ଚିଠିଟିକୁ ନିଜ ରକ୍ତରେ ଲେଖିଛନ୍ତି। ଏଥିରେ ସେ ତାଙ୍କ ସହ ଘଟିଯାଇଥିବା ଏବଂ ଘଟୁଥିବା ଶାରୀରିକ ତଥା ମାନସିକ ଅତ୍ୟାଚାର ସମ୍ପର୍କରେ ଉଲ୍ଲେଖ କରିବା ସହ ସପରିବାର ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଛନ୍ତି। ରିପୋର୍ଟ ଅନୁସାରେ ୩୨ ବର୍ଷୀୟା ନେହା ନାମ୍ନୀ ଜଣେ ସରକାରୀ ଶିକ୍ଷୟିତ୍ରୀ ଏକ ରକ୍ତରେ ଲେଖାଯାଇଥିବା ଚିଠିକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ନିଜ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ସେ ଅଧ୍ୟାପନା କରୁଥିବା କଲେଜ ପରିଚାଳନା କମିଟି ବିରୋଧରେ ଗମ୍ଭୀର ଅଭିଯୋଗ କରିଛନ୍ତି। ଶିକ୍ଷୟିତ୍ରୀ ଦର୍ଶାଇଛନ୍ତି ଯେ, କିପରି ତାଙ୍କୁ କଲେଜ ପରିଚାଳନା କମିଟି ପକ୍ଷରୁ ଉଭୟ ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଇଆସୁଛି। ବିଶେଷକରି କଲେଜ ପରିଚାଳକ ତାଙ୍କୁ କେତେବେଳେ ଏକା ଡାକି ସ୍ପର୍ଶ କରିବାକୁ ଉଦ୍ୟମ କରିଥାନ୍ତି ତ କେତେବେଳେ ଖରାପ ଭାଷାରେ ଗାଳିଗୁଲଜ କରିଥାନ୍ତି। ତେବେ ଏସବୁ ଏବେ ତାଙ୍କ ପାଇଁ ଅସହ୍ୟ ହୋଇପଡିଛି। ସେ ଏସବୁରେ ଭାଙ୍ଗିପଡିଥିବା ବେଳେ ଏବେ ସପରିବାର ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ଅନୁମତି ମଧ୍ୟ ଲୋଡିଛନ୍ତି। ଏସମ୍ପର୍କରେ ଜଣାପଡିବା ପରେ ଜିଲ୍ଲା ତଥା ରାଜ୍ୟ ପ୍ରଶାସନିକ କର୍ମଚାରୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

ବୁଲନ୍ଦସହରର ସ୍ଥାୟୀ ନିବାସୀ ନେହା ନିଜ ପରିବାର (ସ୍ୱାମୀ ଏବଂ ୬ ବର୍ଷର ପୁଅ) ସହ ଗାଜିଆବାଦ୍‌ରେ ଅବସ୍ଥାନ କରୁଛନ୍ତି। ତେବେ ସେ ୨୦୨୨ରେ ବାଗପତ୍‌ର ହଜାରୀ ଲାଲ୍ ମେମୋରିଆଲ୍ ଇଣ୍ଟର କଲେଜରେ ଗୃହ ବିଜ୍ଞାନ ଅଧ୍ୟାପିକା ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ନିଯୁକ୍ତି ପରଠାରୁ କଲେଜର ତତ୍କାଳୀନ ପ୍ରିନ୍ସପାଲ୍ ତଥା ବର୍ତ୍ତମାନର ପରିଚାଳକ ରାଜେନ୍ଦ୍ର ସିଂହ ଭାଟି ତାଙ୍କୁ ନିରନ୍ତର ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇଆସୁଛନ୍ତି। ତାଙ୍କୁ ଏବେବି ଉଦ୍ଦେଶ୍ୟମୂଳକ ହଇରାଣ ହରକତ କରାଯାଇଆସୁଛି। ସମସ୍ତ କର୍ମଚାରୀଙ୍କୁ ଦରମା ଠିକ୍ ସମୟରେ ମିଳୁଥିବା ବେଳେ ତାଙ୍କ ଦରମାକୁ କୌଣସି କାରଣ ନଥାଇ ମଧ୍ୟ ବନ୍ଦ କରାଯାଉଛି। ପରିଚାଳକ ତାଙ୍କ ସହ ବାରମ୍ବାର ଅଶାଳୀନ ବ୍ୟବହାର କରୁଛନ୍ତି। ତେବେ ସେ ଏସମ୍ପର୍କରେ ବହୁଥର ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କଲେଜ ପରିଚାଳନା ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହି ପ୍ରଶାସନିକ ଉଦାସୀନତା ତାଙ୍କୁ ଏହି ଆତ୍ମଘାତୀ ପଦକ୍ଷେପ ନେବାକୁ ବାଧ୍ୟ କରିଛି।

ଅଭିଯୋଗକାରିଣୀ ଶିକ୍ଷୟିତ୍ରୀ ବାଗପତ୍ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ଦାବିରେ ବସିଥିବା ବେଳେ ତାଙ୍କ ସମର୍ଥନରେ ବହୁ ସଂଖ୍ୟକ ଲୋକ ଏଠାରେ ରୁଣ୍ଡ ହେବା ସହ ନ୍ୟାୟ ଦାବି କରିଥିଲେ ଏବଂ କଲେଜ ପରିଚାଳକଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହି ସମୟରେ ଶିକ୍ଷୟିତ୍ରୀଜଣକ ସିରିଞ୍ଜ ସାହାଯ୍ୟରେ ତାଙ୍କ ହାତରୁ ରକ୍ତ ବାହାର କରି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ ଏବଂ ଏହାକୁ ମାଜିଷ୍ଟ୍ରେଟ୍‌ଙ୍କୁ ହସ୍ତାନ୍ତର କରିଥିଲେ। ଶିକ୍ଷୟିତ୍ରୀ ଚିଠିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତ, ସେ ଏହି ନିର୍ଯାତନା ସହିବାର ଶକ୍ତି ହରାଇଛନ୍ତି ଏବଂ ଏବେ ତାଙ୍କ ପରିବାର ସହିତ ମରିବାକୁ ଚାହୁଁଛନ୍ତି। ଏସବୁ ମଧ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଅସ୍ମିତା ଲାଲ ଶିକ୍ଷୟିତ୍ରୀଙ୍କ ରକ୍ତ ଲେଖା ଚିଠି ଓ ତାଙ୍କ ସମର୍ଥନରେ ଦିଆଯାଇଥିବା ସ୍ମାରକପତ୍ରକୁ ଗ୍ରହଣ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ ଅଭିଯୋଗକାରିଣୀ ଶିକ୍ଷୟିତ୍ରୀକଙ୍କୁ ପୂର୍ଣ୍ଣାଙ୍ଗ ତଦନ୍ତ ଏବଂ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆଶ୍ୱାସନା ଦେଇଛନ୍ତି। ବିଷୟଟିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମାନବାଧିକାର ସଂଗଠନଗୁଡ଼ିକ ମଧ୍ୟ ହସ୍ତକ୍ଷେପ କରିଛନ୍ତି ଏବଂ ଏକ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ରାଷ୍ଟ୍ରୀୟ ନବନିର୍ମାଣ ଦଳର ଜିଲ୍ଲା ସଭାପତି ଆଶିଷ ବଶିଷ୍ଠ ଚେତାବନୀ ଦେଇଛନ୍ତି ଯେ ଯଦି ଶିକ୍ଷକଙ୍କୁ ଶୀଘ୍ର ନ୍ୟାୟ ନ ମିଳେ, ତେବେ ଏକ ବଡ଼ ପ୍ରତିବାଦ କରାଯିବ, ଯାହା ପାଇଁ ବାଗପତ ପ୍ରଶାସନ ଦାୟୀ ରହିବ। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷେ ବିଏସ୍‌ପି, କଂଗ୍ରେସ, ବ୍ରାହ୍ମଣ ସମାଜ ଏବଂ ରାଷ୍ଟ୍ରୀୟ ନବନିର୍ମାଣ ଦଳ ସମେତ ଅନେକ ସଂଗଠନ ଶିକ୍ଷୟିତ୍ରୀଙ୍କ ସମର୍ଥନରେ ବାହାରିଛନ୍ତି। ସେହିପରି ଷ୍ଟେସନ୍ ଇନଚାର୍ଜ ଅତର ସିଂହ କହିଛନ୍ତି ଯେ ସ୍କୁଲ ପରିଚାଳକ ଏବଂ ପ୍ରଧାନଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସମଗ୍ର ମାମଲାର ତଦନ୍ତ କରାଯାଉଛି। ତଦନ୍ତ ପରେ, ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking