ଭୁବନେଶ୍ୱର: ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ବ୍ୟାପକ ଦୁର୍ନୀତି ଚାଲିଥିଲା । ଏଥିରେ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗ୍ୟାରେଂଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ (ଭିବି ଜି ରାମ ଜି) ୨୦୨୫ ବିଲ୍କୁ ଆଇନରେ ପ୍ରଣୟନ କରାଯାଇଛି । ‘ଭିବି ଜି ରାମ ଜି’ ବିଲ୍ ପୁରା ଦେଶର ଗ୍ରାମାଂଚଳରେ ରହୁଥିବା ଗରିବ, ଚାଷୀ, ମଜୁରିଆ, ବେକାର ଯୁବତୀ ଯୁବକଙ୍କ ଜୀବନରେ ପରିବର୍ତନ ଆଣିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ଭିବି ଜି ରାମ ଜି’ ଜନଜାଗରଣ ଓ ରାଜ୍ୟସ୍ତରୀୟ କର୍ମଶାଳାରେ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜକୁମାର ଚହର କହିଛନ୍ତି ।
ଶ୍ରୀ ଚହର କହିଛନ୍ତି ଯେ, ପୂର୍ବରୁ ମନରେଗାରେ କେବଳ ୧୦୦ ଦିନର ରୋଜଗାର ପାଇଁ ଗ୍ୟାରେଂଟି ଥିଲା । ମାତ୍ର ଅନେକ ସମୟରେ ୧୦୦ଦିନର କାମ ମିଳୁ ନ ଥିଲା । କେବଳ ୪୦ରୁ ୫୦ ଦିନର କାମ ପାଇ ଗରିବ ଓ ଶ୍ରମିକ ଶ୍ରେଣୀର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେ ‘ଭିବି ଜି ରାମ ଜି’ ଯୋଜନାରେ କର୍ମନିଯୁକ୍ତି ଅବଧିକୁ ୧୦୦ ଦିନରୁ ବୃଦ୍ଧି କରାଯାଇ ୧୨୫ ଦିନ କରାଯାଇଛି । ଗ୍ରାମାଂଚଳର ଏକ ପରିବାର ଏବେ ୧୨୫ ଦିନର ନିଯୁକ୍ତି ପାଇବାକୁ ହକ୍ଦାର ବୋଲି ଏଥିରେ ସ୍ପଷ୍ଟ କରାଯାଇଛି । ପୂର୍ବ ସରକାର ସମୟରେ ପ୍ରକଳ୍ପ ନାଁରେ ଗାଁରେ କେବଳ ଗାତ ଖୋଳାଯାଉଥିଲା ଓ ଗାତ ପୂରଣ କରାଯାଉଥିଲା । ମାତ୍ର ମୋଦିଜୀଙ୍କ ସରକାର ଗାଁର ମୌଳିକ ବିକାଶର ଭିତିଭୂମିକୁ ସୁଦୃଢ଼ କରି ବିକଶିତ ଗାଁ ଗଠନ କରିବାକୁ ନିଷ୍ପତି ନେଇଛନ୍ତି, କାରଣ ବିକଶିତ ଗାଁ ହୋଇପାରିଲେ ହିଁ ବିକଶିତ ରାଷ୍ଟ୍ର ଗଠନ ହୋଇପାରିବ । ଫଳରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବାର ଲକ୍ଷ୍ୟ ପୂରଣ ହୋଇପାରିବ । ଏବେ ଗଁାଁଗୁଡ଼ିକର ସମ୍ପୂର୍ଣ୍ଣ ବିକାଶର କାମ ‘ଭିବି ଜି ରାମ ଜି’ ମାଧ୍ୟମରେ ହୋଇପାରିବ । ନୂତନ ଯୋଜନାରେ ଗ୍ରାମରେ ସଡ଼କଠାରୁ ଆରମ୍ଭ କରି ପୋଲ, ଜଳସଂରକ୍ଷଣ, ବିଦ୍ୟାଳୟରେ ଶୌଚାଳୟ, ଚାଷୀମାନଙ୍କ ପାଇଁ ଫସଲ ମଣ୍ଡି ଭଳି ଅନେକ ପ୍ରକାର କାର୍ଯ୍ୟ ହୋଇପାରିବ । ଏଥିପାଇଁ ଗାଁର ସରପଂଚଙ୍କଠାରୁ ଆରମ୍ଭ କରି ପୁରା ଗ୍ରାମବାସୀ ମିଳିମିଶି ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତ କରିବେ । ତା’ପରେ ଉକ୍ତ ଗାଁର ଶ୍ରମିକଙ୍କ ଦ୍ୱାରା ସେହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ଏହାଦ୍ୱାରା ଗ୍ରାମଗୁଡ଼ିକ ବିକଶିତ ଅଭିମୁଖେ ଅଗ୍ରସର ହୋଇପାରିବ । ଗ୍ରାମରେ ବିଭିନ୍ନ ଉତ୍ପାଦକୁ ବୃଦ୍ଧି କରାଇବାରେ ନୂତନ ଯୋଜନା ସହାୟକ ହୋଇପାରିବ । ଏଥିପାଇଁ କେନ୍ଦ୍ର ସରକାର ୬୦ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ । ଉତରପୂର୍ବ ରାଜ୍ୟଗୁଡ଼ିକ ପାଇଁ ଏହି ଅନୁପାତ ୯୦:୧୦ ଥିଲାବେଳେ କେନ୍ଦ୍ରଶାସିତ ଅଂଚଳ ପାଇଁ ୧୦୦ ପ୍ରତିଶତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ଏହି ଯୋଜନା ଦ୍ୱାରା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ବଢ଼ିବ । ଏଆଇ, ଜିପିଏସ୍ ଓ ମୋବାଇଲ୍ ଜରିଆରେ ଏହି କାର୍ଯ୍ୟରେ ସ୍ୱଚ୍ଛତା ଅଣାଯାଇପାରିବ । ପ୍ରକୃତ ହିତାଧିକାରୀ ଯେପରି ନିଜ ଗାଁରେ କାମ ପାଇପାରିବେ ସେନେଇ ନୂତନ ଯୋଜନାର ଗୁରୁତ୍ୱାରୋପ କରାଯାଇଛି । ବିରୋଧୀ ଦଳଗୁଡ଼ିକ ରାଜନୈତିକ ଉଦ୍ଦେଶ୍ୟ ରଖି ପୂରାଦେଶରେ ‘ଭିବି ଜି ରାମ ଜି’ ଆଇନ ଉପରେ ଅପପ୍ରଚାର ଚଳାଇଛନ୍ତି । ମାତ୍ର ଏଥିରେ ସେମାନଙ୍କୁ କୌଣସି ଲାଭ ମିଳିବ ନାହିଁ । ଗ୍ରାମାଂଚଳର ଲୋକେ ନୂତନ ଯୋଜନାରେ ବିକଶିତ ଗାଁ ଗଢ଼ିବାକୁ ମନବଳାଇ ସାରିଲେଣି । ଆଗାମୀ ଦିନରେ ଏହି ଯୋଜନାକୁ ନେଇ ଜିଲ୍ଲାସ୍ତରୀୟ, ମଣ୍ଡଳସ୍ତରୀୟ କୃଷି, ଶ୍ରମିକ ସମ୍ମିଳନୀ ଆୟୋଜନ କରାଯିବା ସହ ଘରଘରକୁ ବୁଲି ଏହି ଯୋଜନାର ଉପକାରିତା ବିଷୟରେ ଜନସଚେତନା ସୃଷ୍ଟି କରାଯିବ ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ‘ଭିବି ଜି ରାମ ଜି’ରେ ଆମୂଳଚୂଳ ପରିବର୍ତନ କରାଯାଇ ସ୍ୱଚ୍ଛତା ଅଣାଯାଇଛି । ଏଥିରେ କିପରି ପାରଦର୍ଶିତାର ସହ କାମ କରିବ ଓ ଲୋକପାଖରେ କିପରି ଯୋଜନା କ୍ରିୟାନ୍ୱୟନ ହୋଇପାରିବ ସେନେଇ ବ୍ୟବସ୍ଥା କରାଯାଇଛି । ମନରେଗାରେ ଥିବା ତ୍ରୁଟି ବିଚ୍ୟୁତିର ସଂଶୋଧନ କରାଯାଇ ନୂତନ ଭାବେ ଆଇନ ପ୍ରଣୟନ ଅଣାଯାଇଛି । ପୂର୍ବରୁ ମଧ୍ୟ ଦେଶରେ ଅନେକ ଆଇନ କାର୍ଯ୍ୟକାରୀ କରାଯାଇଥିଲା । ମାତ୍ର ସେଗୁଡ଼ିକୁ କେବେ ଠିକ୍ ଭାବେ କ୍ରିୟାନ୍ୱୟନ କରାଯାଇ ନ ଥିଲା । ମୋଦିଜୀଙ୍କ ନେତୃତ୍ୱରେ ଗତ ୧୨ ବର୍ଷ ମଧ୍ୟରେ ୨୫ କୋଟିରୁ ଊର୍ଦ୍ଧ୍ୱ ଲୋକେ ଗରିବ ସୀମାରେଖାରୁ ଉପରକୁ ଉଠିଛନ୍ତି । ‘ଭିବି ଜି ରାମ ଜି’ ରେ ସାଧାରଣ ଲୋକଙ୍କୁ କର୍ମସଂସ୍ଥାନ ମିଳିବା ଉପରେ ଗୁରୁତ୍ୱ ଦିଆଯାଇଛି । କାମ ମାଗିବାର ୧୫ ଦିନ ମଧ୍ୟରେ କାମ ନ ମିଳିଲେ ଭତା ଦେବାକୁ ବ୍ୟବସ୍ଥା କରାଯାଇଛି । ଫଳରେ ପ୍ରକୃତ ହିତାଧିକାରୀଙ୍କୁ ଗ୍ୟାରେଂଟି ରୋଜଗାର ମିଳିପାରିବ । ପର୍ଯ୍ୟାପ୍ତ ସଚେନତନା ଓ ଜନଜାଗରଣ ଦ୍ୱାରା ଏହି ଯୋଜନା ଆଗାମୀ ଦିନରେ ଏକ ମାଇଲ୍ଷ୍ଟୋନ ହୋଇପାରିବ । କଂଗ୍ରେସ ସରକାର ୫୬ ବର୍ଷ ଧରି ଶାସନରେ ରହିଥିଲା । ସେତେବେଳେ ଅନେକ ଯୋଜନା ପ୍ରଣୟନ କରି କେବଳ ଅର୍ଥ ଆତ୍ମସାତ କରିଥିଲା । ସେସବୁ ଯୋଜନାରେ ୧୦୦ ଟଙ୍କାରୁ କେବଳ ୧୦ ଟଙ୍କା ଲୋକଙ୍କ ପାଖରେ ପହଂଚିପାରୁଥିଲା । ବାକି ଟଙ୍କା ବାଟମାରଣ ହୋଇଯାଉଥିଲା । ମାତ୍ର ‘ଭିବି ଜି ରାମ ଜି’ରେ ଗରିବ ଲୋକଙ୍କ ଟଙ୍କା, ସାଧାରଣ ଟିକସଦାତା ଟଙ୍କା, ତଳ ପାହାଚର ଲୋକଙ୍କ ଉତ୍ଥାନ ଓ ଦାଦନ ଶ୍ରମକମାନଙ୍କ ପାଇଁ ନିଜ ଗାଁରେ କର୍ମସଂସ୍ଥାନ ଦେବାକୁ ବ୍ୟବସ୍ଥା କରାଯାଇଛି । ଗରିବ ଲୋକଙ୍କ ଟଙ୍କା ଗରିବ ଲୋକଙ୍କ ପାଖରେ ପହଂଚିବ ସେନେଇ ନୂତନ ଯୋଜନାରେ ପ୍ରାବଧାନ ରହିଛି । ଲୋକେ ଯେପରି ଏହି ଯୋଜନାର ଲାଭ ଉଠାଇପାରିବେ ସେନେଇ ବ୍ୟାପକ ପ୍ରଚାର ପ୍ରସାର କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ । ‘ଭିବି ଜି ରାମ ଜି’ ଯୋଜନା ସାଧାରଣ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇବ । ବିକଶିତ ଭାରତ ଗଠନ କରିବାରେ ଏହି ଯୋଜନା ପ୍ରମୁଖ ଭୂମିକା ଗ୍ରହଣ କରିବ । ସରକାରଙ୍କ ପାଖରେ ଅର୍ଥ ଅଭାବ ନାହିଁ କେବଳ କ୍ରିୟାନ୍ୱୟନ ପାଇଁ ବ୍ୟବସ୍ଥା ପରିବର୍ତନ କରାଯିବ । ଏଥିôରେ ଡିଜିଟାଲଠାରୁ ଆରମ୍ଭ କରି ଜିଓ ଟ୍ୟାଗିଂ ପର୍ଯ୍ୟନ୍ତ ୫ଟି ବ୍ୟବସ୍ଥା କରାଯାଇଛି । ପୁର୍ବରୁ ବିଜେଡି ଓ କଂଗ୍ରେସ ସରକାର କେମିତି ଲୋକଙ୍କ ଟଙ୍କା ବାଟମାରଣା କରୁଥିଲା ସେବିଷୟରେ ସଭିଏଁ ଅବଗତ ଅଛନ୍ତି । ତେଣୁ ପ୍ରତି ଗାଁରେ ସଚେତନତା କାର୍ଯ୍ୟକ୍ରମ କରି ଲୋକଙ୍କୁ ଯୋଜନା ବିଷୟରେ ଅବଗତ କରାଇବା । ସରକାର କିଭଳି ନିଷ୍ଠାର ସହ କାମ କରୁଛନ୍ତି ତାହା ଲୋକଙ୍କ ପାଖରେ ପହଂଚାଇବା । ନିଷ୍ଠା ଓ ଆତ୍ମବିଶ୍ୱାସ ଜରିଆରେ ସମସ୍ତ କାର୍ଯ୍ୟ କ୍ରିୟାନ୍ୱୟନ ହୋଇପାରିବ ବୋଲି ଶୀ ସାମଲ କହିଛନ୍ତି ।
କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀ କହିଛନ୍ତି ଯେ, ଗତ ସରକାର ଚାଷୀଙ୍କୁ କେବଳ ପ୍ରତାରଣା କରିଥିଲା । ମାତ୍ର ବିଜେପି ସରକାର ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରୁଛି । ‘ଭିବି ଜି ରାମ ଜି’ ଯୋଜନା ଚାଷୀଙ୍କୁ ଆର୍ଥିକ ଭାବେ ଅଧିକ ସୁଦୃଢ଼ କରିବ । ଏହି ଯୋଜନାରେ ପ୍ରକୃତ ହିତାଧିକାରୀ କିପରି ଲାଭବାନ ହେବେ ସେହି ଦାୟିତ୍ୱ ଆମ ସମସ୍ତଙ୍କର । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଶ୍ରୀ ବଳଭଦ୍ର ମାଝୀ, ବିଧାୟକ ଅମର ନାୟକ, ରାଜ୍ୟ ଉପସଭାପତି ଶ୍ରୀ ଶିବାଜୀ ମହାନ୍ତି ଓ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଶାରଦା ପ୍ରସାଦ ଶତପଥୀଙ୍କ ସମେତ ରାଜ୍ୟ ପଦାଧିକାରୀ ଓ କୃଷକ ମୋର୍ଚ୍ଚାର ସମସ୍ତ ଜିଲ୍ଲା ସଂଯୋଜକମାନେ ଉପସ୍ଥିତ ଥିଲେ ।










