14.1 C
Bhubaneswar
Monday, January 12, 2026
Homeଓଡିଶାକେଳୁଚରଣ କୀର୍ତ୍ତି ଶତକମ୍ ଉଦ୍‌ଯାପିତ

କେଳୁଚରଣ କୀର୍ତ୍ତି ଶତକମ୍ ଉଦ୍‌ଯାପିତ

ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟଗୁରୁ ପଦ୍ମ ବିଭୂଷଣ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ “କେଳୁ ଚରଣ କୀର୍ତ୍ତି ଶତକମ୍”ର ଉଦ୍‌ଯାପନୀ ସମାରୋହ ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ସୃଜନ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଗୁରୁଜୀଙ୍କ ସ୍ମୃତିରେ ତିନି ଦିନ ଧରି “କେଳୁ ଚରଣ କୀର୍ତ୍ତି ଶତକମ୍” କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆଜି କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରର ପ୍ରଥମ ଅଧିବେଶନରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ଶାରୋନ ଲୋୱେନ, ଶ୍ରୀମତୀ ମୁକ୍ତିଲତା ପାଲ, ଶ୍ରୀମତୀ ସିକତା ଦାସ, ଶ୍ରୀମତୀ ଝେଲମ୍ ପରାଞ୍ଜପେ, ଶ୍ରୀମତୀ ଶୁଭଦା ଭାରଡ଼କର, ଶ୍ରୀମତୀ ଶର୍ମିଲା ମୁଖାର୍ଜୀ ଏବଂ ବିଶିଷ୍ଟ ସଂଗୀତଜ୍ଞ ଶ୍ରୀ ଲକ୍ଷ୍ମୀକାନ୍ତ ପାଲିତ, ଶ୍ରୀ ଧନେଶ୍ୱର ସ୍ୱାଇଁ ପ୍ରମୁଖ ଗୁରୁ କେଳୁଚରଣଙ୍କ ପାଦପଦ୍ମରେ ଭକ୍ତିଅର୍ଘ୍ୟ ଅର୍ପଣ କରିବା ସହ ଗୁରୁଜୀଙ୍କ ସହିତ ରହିଥିବା ନିଜର ଅନୁଭୂତି ଓ ଅଭିଜ୍ଞତା ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହ ରବୀନ୍ଦ୍ର ମଣ୍ଡପରେ ସୃଜନ ଅନୁଷ୍ଠାନ ପକ୍ଷରୁ ଗୀତଗୋବିନ୍ଦର ଅଷ୍ଟପଦୀ “କୁରୁ ଯଦୁନନ୍ଦନ”ରେ ଗୁରୁ କେଳୁଚରଣଙ୍କ ଦ୍ୱାରା ପରିବେଷିତ ହୋଇଥିବା ଓଡ଼ିଶୀ ନୃତ୍ୟର ଏକ ଭିଡ଼ିଓକୁ ପ୍ରଦର୍ଶିତ କରାଯାଇଥିଲା ଯାହା ଦର୍ଶକମାନଙ୍କୁ ବିମୋହିତ କରିଥିଲା।

ଆଜିର ସନ୍ଧ୍ୟା ଅଧିବେଶନରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ଜେନା, ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗୁରୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଶିଷ୍ଟ ନୃତ୍ୟଶିଳ୍ପୀ ଶ୍ରୀମତୀ ଶାରୋନ ଲୋୱେନ “ପଶ୍ୟତି ଦିଶି ଦିଶି”, ଶ୍ରୀମତୀ ମୀରା ଦାସ “ବିଭୂଷଣ ପୁଷ୍ପେ”, ଶ୍ରୀମତୀ ଝେଲମ୍ ପରାଞ୍ଜପେ “ପ୍ରିୟେ ଚାରୁଶୀଳେ”, ଶ୍ରୀମତୀ ଜ୍ୟୋତି ରାଉତ “ଭଜ ଗୋବିନ୍ଦମ୍”, ଶ୍ରୀ ମନୋରଞ୍ଜନ ପ୍ରଧାନ ଓ ଶ୍ରୀମତୀ ମିନତୀ ପ୍ରଧାନ “ଅର୍ଦ୍ଧନାରୀଶ୍ୱର”, ସୁଶ୍ରୀ ବିପାଞ୍ଚୀ ଦାସ “କୃଷ୍ଣ ପ୍ରୀତି”, ଶ୍ରୀମତୀ ସୁହାଗ ନଳିନୀ ଦାସ “ରସ ପଞ୍ଚକ”, ଶ୍ରୀ ପିତାମ୍ବର ବିଶ୍ଵାଳ “ଆଶାଭରୀ ପଲ୍ଲବୀ”, ସୁଶ୍ରୀ ଜ୍ୟୋତ୍ସ୍ନା ସାହୁ “ନାଚନ୍ତି ରଙ୍ଗେ ଶ୍ରୀହରି”, ଶ୍ରୀ ରଞ୍ଜୀବ ଭଟ୍ଟାଚର୍ଯ୍ୟ, ଶ୍ରୀ ଅର୍ଣ୍ଣବ ବନ୍ଦୋପାଧ୍ୟାୟ, ଶ୍ରୀ ସୁବିକାଶ ମୁଖାର୍ଜୀ ଓ ଶ୍ରୀମତୀ ରଞ୍ଜିତା ମେହରା “ହମସାଧୱାନି ପଲ୍ଲବୀ”ରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସମସ୍ତ ନୃତ୍ୟଶିଳ୍ପୀଙ୍କୁ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ସୃଜନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଜନ୍ମ ଶତବାର୍ଷିକୀ ଉତ୍ସବର ମୁଖ୍ୟ ଆକର୍ଷଣ ରହିଥିଲା ଗୁରୁଜୀଙ୍କ ଜୀବନୀକୁ ନେଇ ହୋଇଥିବା ଫଟୋଚିତ୍ର ପ୍ରଦର୍ଶନୀ। ଫଟୋଚିତ୍ର ପ୍ରଦର୍ଶନୀରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ପ୍ରାରମ୍ଭିକ ଜୀବନ ଠାରୁ ନେଇ ଓଡ଼ିଶୀ ନୃତ୍ୟ ପ୍ରତି ରହିଥିବା ତାଙ୍କର ସମର୍ପଣ ଭାବ, ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଗୁରୁଜୀଙ୍କ ଶିକ୍ଷାଦାନ, ପଦ୍ମଶ୍ରୀ ଠାରୁ ନେଇ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ଗୁରୁଜୀଙ୍କ ସମସ୍ତ ଫଟୋଚିତ୍ରକୁ ପ୍ରଦର୍ଶନୀରେ ସ୍ଥାନିତ କରାଯାଇଥିଲା। ଗୁରୁଜୀଙ୍କ ଶିଷ୍ୟମାନଙ୍କୁ ଠାରୁ ନେଇ କଳା ଓ ନୃତ୍ୟ କ୍ଷେତ୍ରରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଓ ଗବେଷକମାନେ ଫଟୋଚିତ୍ର ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଏହାର ଭୂୟସୀ ପ୍ରଶଂସା କରିଥିଲେ। ଗୁରୁଜୀଙ୍କ ସ୍ମୃତିରେ ପ୍ରସ୍ତୁତ ହୋଇଥିବା ବାଲୁକା ଚିତ୍ରକଳାକୁ ମଧ୍ୟ ସମସ୍ତ କଳାକାରମାନେ ବେଶ୍ ପ୍ରଶଂସା କରିଥିଲେ। ପ୍ରକାଶଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଗତ ଜାନୁଆରୀ ୮ ତାରିଖ ଦିନ “କେଳୁଚରଣ କୀର୍ତ୍ତି ଶତକମ୍” କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ଗୁରୁଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ଗୁରୁ କେଳୁଚରଣଙ୍କ ଶିଷ୍ୟ ଓ ପ୍ରଶଂସକମାନେ ଯୋଗଦେଇ ଗୁରୁଜୀଙ୍କ ସ୍ମୃତିଚାରଣ କରିଥିଲେ। ଗୁରୁଜୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଗୁରୁଜୀଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ରକୁ ଲୋକାର୍ପଣ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking