14.1 C
Bhubaneswar
Monday, January 12, 2026
Homeଓଡିଶାଭୁବନେଶ୍ୱର ଏକାମ୍ର କାନନଠାରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ-୨୦୨୬ ଉଦଘାଟିତ

ଭୁବନେଶ୍ୱର ଏକାମ୍ର କାନନଠାରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ-୨୦୨୬ ଉଦଘାଟିତ

ଭୁବନେଶ୍ୱର: ରାଜଧାନୀର ଆକର୍ଷଣୀୟ ଶୀତକାଳୀନ କାର୍ଯ୍ୟକ୍ରମ ‘ବାର୍ଷିକ ପୁଷ୍ପ ପ୍ରଦର୍ଶନୀ-୨୦୨୬’ ଆଜିଠାରୁ ଏକାମ୍ର କାନନସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆର୍. ପି. ଆର୍. ସି) ର ବଟାନିକାଲ ଗାର୍ଡେନଠାରେ ଆରମ୍ଭ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ ଇଏସଆଇ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ପ୍ରଦର୍ଶନୀକୁ ଉଦଘାଟନ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ଶିଂଖୁଣ୍ଟିଆ କହିଥିଲେ ଯେ, ପୁଷ୍ପ ସଜ୍ଜିତ ପ୍ରବେଶ ଦ୍ୱାର ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ତାଙ୍କୁ ବିମୋହିତ କରିଛି ଏବଂ ଏହା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଦର୍ଶକଙ୍କୁ ନିଶ୍ଚୟ ଆକୃଷ୍ଟ କରିବ। ଏଥିସହ ସେଠାରେ ଥିବା ଅତ୍ୟାଧୁନିକ ଟିସୁ କଲଚର ଲାବୋରେଟୋରୀ ମାଧ୍ୟମରେ କଦଳୀ, ଅର୍କିଡ୍ ଏବଂ ବିଭିନ୍ନ ଫୁଲ ଗଛର ବହୁଳ ବଂଶବୃଦ୍ଧି କରାଯାଉଥିବାରୁ, ଏହା ରାଜ୍ୟର ପରିବେଶ ସୁରକ୍ଷା ଓ କୃଷି କ୍ଷେତ୍ର ପାଇଁ ବିଶେଷ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଗବେଷଣା କ୍ଷେତ୍ରରେ ଅଧିକ ଉନ୍ନତି ପାଇଁ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆର୍. ପି. ସାର୍. ସି) ପକ୍ଷରୁ ସିକିମର ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର୍ ଅର୍କିଡ୍ସ (ଏନ୍. ଆର୍. ସି.ଓ), ଲକ୍ଷ୍ନୌର ନ୍ୟାସନାଲ ବଟାନିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଏନ୍. ବି . ଆର୍ . ଆଇ), ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ ଆଣ୍ଡ ମ୍ୟାଟେରିଆଲ ଟେକ୍ନୋଲୋଜି (ଆଇ. ଆଇ. ଏମ୍. ଟି) ସହିତ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି।ପ୍ରଦର୍ଶନୀ ସମୟରେ ଉଦ୍ୟାନ ପ୍ରେମୀ, ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକମାନେ ଏହାକୁ ଉପଭୋଗ କରିବା ସହିତ ଏହା ମାଧ୍ୟମରେ ଆମ ସୃଜନଶୀଳତାକୁ ଉତ୍ସାହିତ କରାଯିବା ସହିତ ପରିବେଶ ସଚେତନତା ଓ ପ୍ରକୃତି ପ୍ରତି ଆଗ୍ରହ ବୃଦ୍ଧି ପାଇବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ, ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ପିସିସିଏଫ୍ ଶ୍ରୀ ସୁରେଶ ପନ୍ତ ଏବଂ ଆର୍. ପି. ଆର୍. ସି ର ମୁଖ୍ୟ ନିର୍ବାହୀ ଶ୍ରୀ ସୁଧାଂଶୁ ଶେଖର ଖୋରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଆର୍. ପି. ଆର୍. ସି ଏବଂ ପ୍ଲାଣ୍ଟ ଲଭର୍ସ ଆସୋସିଏସନର ମିଳିତ ସହଯୋଗରେ ଆୟୋଜିତ ଏହି ୩୭ତମ ସଂସ୍କରଣର ଆଭିମୁଖ୍ୟ ରହିଛି “ପ୍ରକୃତି, ପରମ୍ପରା ଓ ପୁଷ୍ପର ପର୍ବ”। ଏହି ପ୍ରଦର୍ଶନୀ ଜାନୁୟାରୀ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୮:୩୦ ରୁ ରାତି ୮:୩୦ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଏହି ପୁଷ୍ପ ପ୍ରଦର୍ଶନୀରେ ଦେଶୀ ଓ ବିଦେଶୀ ପ୍ରଜାତିର ଗୋଲାପ, ଗ୍ଲାଡିଓଲସ, ଜେରବେରା, ପେଟୁନିଆ, ଲିଲି, ଅର୍କିଡ୍ ଏବଂ ଶୀତକାଳୀନ ଋତୁକାଳୀନ ପୁଷ୍ପର ଆକର୍ଷଣୀୟ ପ୍ରଦର୍ଶନୀ ଦର୍ଶକଙ୍କୁ ମୁଗ୍ଧ କରୁଛି। ପ୍ରାକୃତିକ ଥିମ୍ ଆଧାରିତ ପୁଷ୍ପ ବିନ୍ୟାସ, ଫୁଲରେ ତିଆରି କଳାକୃତି, ଫୁଲ ମାଧ୍ୟମରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରତିଫଳନ ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ପାଲଟିଛି । ଭୁବନେଶ୍ୱରର ଏହି ପ୍ରସିଦ୍ଧ ପୁଷ୍ପ ପ୍ରଦର୍ଶନୀରେ ବିଭିନ୍ନ କିସମର ରଙ୍ଗବେରଙ୍ଗର ଫୁଲ ଓ କଳାତ୍ମକ ପ୍ରଦର୍ଶନୀକୁ ଉପଭୋଗ କରିବା ପାଇଁ ସହରବାସୀ ଏବଂ ପର୍ଯ୍ୟଟକମାନଙ୍କୁ ନିମନ୍ତ୍ରଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking