ଭୁବନେଶ୍ୱର: ଓଡ଼ିଶା ଦ୍ରୁତ ଗତିରେ ଭାରତର ଏକ ପ୍ରମୁଖ ନିବେଶର ଗନ୍ତବ୍ୟ ସ୍ଥଳ ଭାବେ ନିଜକୁ ପ୍ରତିଷ୍ଠା କରୁଛି। ସମ୍ପ୍ରତି ବର୍ଷଗୁଡ଼ିକରେ ରାଜ୍ୟରେ ବଢ଼ୁଥିବା ନିବେଶ ପ୍ରସ୍ତାବ ଏବଂ ନିବେଶକଙ୍କ ବଢ଼ୁଥିବା ବିଶ୍ୱାସ ଏହାର ଦୃଢ ପ୍ରମାଣ। ଆର୍ôଥକ ବର୍ଷ-୨୬ରେ ମୋଟୟ ପ୍ରସ୍ତାବିତ ନିବେଶର ୧୩.୧% ଶେୟାର ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଓଡ଼ିଶା, ଯାହା ରାଜ୍ୟର ନୀତିଗତ ସ୍ଥିରତା ଏବଂ ବିକାଶମୁଖୀ ଶାସନ ପ୍ରତି ନିବେଶକଙ୍କ ବର୍ଦ୍ଧିତ ବିଶ୍ୱାସକୁ ପ୍ରତିଫଳିତ କରେ। ୨୦୨୫ ଜାନୁଆରୀରେ ଅନୁଷ୍ଠିତ ‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍’ରେ ରାଜ୍ୟକୁ ୧୬.୭୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିଲା, ଯେଉଁଥିରେ ୧୨.୮୯ ଲକ୍ଷ କୋଟି ଟଙ୍କାର ୧୪୫ଟି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ଏହି ନିବେଶ ଧାତବ, ପେଟ୍ରୋକେମିକାଲ, ନବୀକରଣଯୋଗ୍ୟ ଶକ୍ତି, ଆଇଟି, ଟେକ୍ସଟାଇଲ ଏବଂ ଫାର୍ମା ଭଳି ବିବିଧ କ୍ଷେତ୍ରରେ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ରାଜ୍ୟର ନିବେଶକ ଅନୁକୂଳ ନୀତି, ମଜବୁତ ଇନଫ୍ରାଷ୍ଟ୍ରକ୍ଚର ଏବଂ ସୁଶାସନ ଯୋଗୁଁ ଓଡ଼ିଶା ଭାରତର ଅଭିବୃଦ୍ଧିର ଇଞ୍ଜିନ ହେବାକୁ ଯାଉଛି।
ଡିସେମ୍ବର ୨୦୨୫ରେ ହାଇଦ୍ରାବାଦରେ ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ଓଡ଼ିଶାକୁ ୬୭,୦୦୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି, ଯାହା ୫୬,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ। ଏହା ଛଡ଼ା ଫାର୍ମା ଏବଂ ମେଡିକାଲ ଡିଭାଇସ୍ କ୍ଷେତ୍ରରେ ନୂଆ ନୀତି ଯୋଗୁଁ ୭,୦୪୩ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ରାଜ୍ୟ ସରକାର ଆଇଟି, ଗ୍ରିନ ଏନର୍ଜି ଏବଂ ଡିଫେନ୍ସ ଭଳି ଉଦୀୟମାନ କ୍ଷେତ୍ରଗୁଡ଼ିକରେ ବିଶେଷ ନୀତି ପ୍ରଣୟନ କରି ନିବେଶକଙ୍କୁ ଆକର୍ଷଣ କରୁଛନ୍ତି। ଏହି ସବୁ ଉନ୍ନୟନ ଯୋଗୁଁ ଓଡ଼ିଶା ପୂର୍ବତନ ଧାତବ ଉଦ୍ୟୋଗରୁ ବାହାରି ଏକ ବିବିଧତାଯୁକ୍ତ ଅର୍ଥନୀତି ଗଢ଼ି ତୋଳୁଛି। ରାଜ୍ୟର ଯୁବକମାନଙ୍କ ପାଇଁ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେବାର ଆଶା ଜାଗ୍ରତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ପୂର୍ବୋଦୟ’ ଦୃଷ୍ଟିକୋଣରେ ଓଡ଼ିଶା ଭାରତର ଅର୍ଥନୈତିକ ବିକାଶର ମୁଖ୍ୟ କେନ୍ଦ୍ର ହେବାକୁ ଯାଉଛି। ଏହି ନିବେଶ ଧାରା ଜାରି ରହିଲେ ଓଡ଼ିଶା ଶୀଘ୍ର ଭାରତର ଶୀର୍ଷ ନିବେଶ ଗନ୍ତବ୍ୟ ଭାବେ ସ୍ଥାନ ପାଇବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।










