25.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଇନ୍ଦୋର ଟ୍ରାଜେଡି ପଛରେ ଦୂଷିତ ପାଣି; ଲ୍ୟାବ୍ ରିପୋର୍ଟରୁ ଜଣାପଡିଲା ପ୍ରକୃତ କାରଣ

ଇନ୍ଦୋର ଟ୍ରାଜେଡି ପଛରେ ଦୂଷିତ ପାଣି; ଲ୍ୟାବ୍ ରିପୋର୍ଟରୁ ଜଣାପଡିଲା ପ୍ରକୃତ କାରଣ

ଇନ୍ଦୋର: ଦେଶର ଅନ୍ୟତମ ସ୍ୱଚ୍ଛ ସହରର ମାନ୍ୟତା ହାସଲ କରିଥିବା ଇନ୍ଦୋର ସହରରେ ଏବେ ବିଷାକ୍ତ ପାଣିଜନିତ ମୃତ୍ୟୁର ଯେଉଁ ବିଭୀଷିକା ଦେଖିବାକୁ ମିଳିଛି ତାହା ଦେଶବ୍ୟାପୀ ଚର୍ଚ୍ଚାର କାରଣ ସାଜିଛି। ସବୁଠୁ ବଡ଼ ପରିତାପର ବିଷୟ ହେଉଛି ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟପିଲାମାନେ ରହିଛନ୍ତି। ସେହିପରି ମୃତ ପିଲାମାନଙ୍କ ମଧ୍ୟରେ ୪ଜଣ ଡାଇରିଆ ଭଳି ବ୍ୟାଧିର ଶିକାର ହୋଇ ପ୍ରାଣ ହରାଇଛନ୍ତି। ତେବେ ଏସବୁ ମୃତ୍ୟୁପଛର କାରଣ ଏବେ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ନଗର ନିଗମ ପକ୍ଷରୁ ଯୋଗାଣ ହେଉଥିବା ଟ୍ୟାପ୍ ପାଣି ପିଇ ବର୍ତ୍ତମାନ ସୁଦ୍ଧା ୧୪ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ନଗର ନିଗମ ପକ୍ଷରୁ ଯେଉଁ ପାଣି ଯୋଗାଣ କରାଯାଉଛି ତାହାର ନମୁନା ନିଆଯାଇ ଲ୍ୟାବ୍ ଟେଷ୍ଟ୍ କରାଯାଇଥିଲା। ଲ୍ୟାବ୍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ, ସହରବାସୀଙ୍କୁ ଅତ୍ୟନ୍ତ ଦୁଷିତ ପାଣି ଯୋଗାଣ କରାଯାଉଅଛି।

ଭାଗୀରଥପୁରା ଅଞ୍ଚଳରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଠାରେ ମଧ୍ୟ ସେହି କଣିକା ଠାବ କରାଯାଇଛି, ଯାହା ସେହି ଅଞ୍ଚଳକୁ ଯୋଗାଣ ହେଉଥିବା ଦୂଷିତ ପାନୀୟ ଜଳରୁ ମଧ୍ୟ ମିଳିଛି। ପ୍ରକାଶ, ଇନ୍ଦୋର ସହର ସମେତ ଆଖପାଖ ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୨୮୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଏମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ରିପୋର୍ଟରେ ପାନୀୟ ଜଳ ନମୁନାରେ ସାଧାରଣତଃ ନର୍ଦ୍ଦମା ପାଣିରେ ମିଳୁଥିବା ଜୀବାଣୁର ଉପସ୍ଥିତି ନିଶ୍ଚିତ କରାଯାଇଛି। ପରୀକ୍ଷାରୁ ନିଶ୍ଚିତ ହୋଇଛି ଯେ, ପ୍ରଭାବିତ ଅଞ୍ଚଳରେ ବାନ୍ତି-ଡାଇରିଆ ପ୍ରକୋପ ପାଇଁ ଦୂଷିତ ପାନୀୟ ଜଳରେ ଥିବା ଜୀବାଣୁ ହିଁ ଦାୟୀ। ରିପୋର୍ଟ ଅନୁଯାୟୀ, ପରୀକ୍ଷାରୁ ଦୂଷିତ ପାଣିରେ ଭିବ୍ରିଓ କଲେରା, ସିଗେଲା ଏବଂ ଇ. କୋଲାଇ ଜୀବାଣୁର ଉପସ୍ଥିତି ଚିହ୍ନଟ ହୋଇଛି। ଏହି ରୋଗ ସୃଷ୍ଟିକାରୀ ଜୀବାଣୁଗୁଡ଼ିକ ପାକସ୍ଥଳୀ ସଂକ୍ରମଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ତେବେ ଏପ୍ରକାର ରିପୋର୍ଟ ଆସିବା ପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଏବେ ନଗରପାଳିକାର ଦାୟିତ୍ୱହୀନତା ଉପରେ ପ୍ରଶ୍ନ ଉଠାଇଛନ୍ତି। ତେବେ ଅନ୍ୟ ଏକ ରିପୋର୍ଟ ଅନୁସାରେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ସରକାର ମହାନଗର ନିଗମ କମିଶନର, ଅତିରିକ୍ତ କମିଶନର ଏବଂ ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟରଙ୍କୁ ପଦରୁ ବରଖାସ୍ତ କରିଛନ୍ତି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକଙ୍କ ସୁବିଧା ପାଇଁ ସ୍ୱଚ୍ଛ ପାଣି ଟ୍ୟାଙ୍କର ଝାଡାବାନ୍ତି ପ୍ରପୀଡିତ ଅଞ୍ଚଳକୁ ପଠାଯାଉଛି, କିନ୍ତୁ ବାସିନ୍ଦାମାନେ ସେଗୁଡ଼ିକୁ ବ୍ୟବହାର କରିବାକୁ ମଧ୍ୟ ଭୟ କରୁଛନ୍ତି। ସେମାନେ ଏହା ବଦଳରେ ଆରଓ ପାଣି ପିଉଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଅନୁଯାୟୀ, ୨୧ଟି ଦଳ ଗଠନ କରାଯାଇଛି, ଯେଉଁଥିରେ ଡାକ୍ତର, ପାରାମେଡିକ୍ସ, ଏଏନ୍‌ଏମ୍ ଏବଂ ଆଶା କର୍ମୀ ସାମିଲ ଅଛନ୍ତି। ଲୋକଙ୍କୁ ଫୁଟା ପାଣି ପିଇବା ଏବଂ ବାହାର ଖାଦ୍ୟ ଖାଇବାରୁ ଦୂରେଇ ରହିବାକୁ ପରାମର୍ଶ ଦେବା ପାଇଁ ଘରକୁ ଘର ପରିଦର୍ଶନ ମଧ୍ୟ କରାଯାଉଛି। ଗୁରୁବାର ୧,୭୧୪ ପରିବାରର ଏକ ସର୍ଭେ କରାଯାଇଥିଲା, ପ୍ରାୟ ୮,୫୭୧ ଲୋକଙ୍କୁ ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ପ୍ରାୟ ୪୫୦ ଲୋକ ଦୂଷିତ ପାଣି ଦ୍ୱାରା ପ୍ରଭାବିତ ହୋଇଥିବା ଜଣାପଡିଛି। ଏମାନଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking