ଭୁବନେଶ୍ୱର: ଶାସନ ପ୍ରଶାସନକୁ ଆହୁରି ଅଧିକ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀ ୧୫ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ପ୍ରଦାନ କରିଛନ୍ତି ନିର୍ଦ୍ଦେଶାବଳୀ। ରେଖାଙ୍କିତ ଲକ୍ଷ୍ୟ ହାସଲ ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଛି । ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରେଷ୍ଠ ୫ ବିକଶିତ ରାଜ୍ୟରେ ଓଡିଶାକୁ ରଖିବା ପାଇଁ ମିଶ୍ରିତ ଅର୍ଥନୀତି ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ଶିଳ୍ପାୟନର ଦୃଢ ବିକାଶ ପାଇଁ ନିର୍ଦ୍ଦେଶାବଳୀରେ ଗୁରୁତ୍ୱ ଦେବାପାଇଁ କୁହାଯାଇଛି । ଜିଲ୍ଲାପାଳଙ୍କୁ ବିଭିନ୍ନ ପ୍ରକ୍ରିୟାକୁ ଫାଷ୍ଟଟ୍ରାକ କରିବାକୁ ଗୁରୁତ୍ୱ ଆରୋପ କରାଯାଇଛି। ଏଥି ସହିତ ୨ ବର୍ଷରେ ସରକାରୀ ପଦ ପଦବୀକୁ ପୂରଣ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଦୁର୍ନୀତିଗ୍ରସ୍ତ, ଅପାରଗ ଓ ଦାୟିତ୍ୱହୀନ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।ଏପରିକି ବାଧ୍ୟତାମୂଳକ ସେବା ନିବୃତ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବିଭିନ୍ନ ପ୍ରକଳ୍ପର ସଫଳ ରୂପାୟନ ପାଇଁ ନିୟମିତ ସମୀକ୍ଷା ଓ ମୂଲ୍ୟାୟନ ପାଇଁ କୁହାଯାଇଛି । ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରକୁ ଉତ୍କର୍ଷ କେଦ୍ର କରିବାକୁ ନିର୍ଦ୍ଦେଶ ରହିଛି । ସବୁ ପ୍ରକାର ସରକାରୀ କାର୍ଯ୍ୟ ଓଡିଆ ଭାଷାରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସଚିବାଳୟଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ପାଳନ କରିବା ପାଇଁ ନିର୍ଦ୍ଦେଶନାମା ରହିଛି । ଓଡିଆ ଭାଷାକୁ ସରକାରୀ ଭାଷାରେ ବ୍ୟବହାର ପାଇଁ ପ୍ରତିବଦ୍ଧତାର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ଅଭିଯୋଗ ଶୁଣାଣିକୁ ଅତ୍ୟନ୍ତ ଗୁରୁତର ସହିତ ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସବୁ ସ୍ତରରେ ଲୋକଙ୍କ ଅଭିଯୋଗ ଶୁଣି ତାକୁ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ରହିଛି । ଅଭିଯୋଗ ଶୁଣାଣି ପାଇଁ ସୋସିଆଲ ମିଡିଆକୁ ବହୁଳ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି । ସୂଚନାଥାଉକି ଗତକାଲି ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବା ପରେ, ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି ଅନୁ ଗର୍ଗ । ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି ଅନୁଗର୍ଗ । ନୂତନ ବର୍ଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି କାର୍ଯ୍ୟ ଆରମ୍ଭ କରିବେ ଅନୁ ଗର୍ଗ । ପ୍ରଶାସନିକ କ୍ଷେତ୍ରରେ ଅନୁ ଗର୍ଗଙ୍କର ୩୪ ବର୍ଷର ଅଭିଜ୍ଞତା ରହିଛି ।










