35.1 C
Bhubaneswar
Wednesday, April 29, 2026
Homeଓଡିଶାଜନଶୁଣାଣିରେ ମହିଳାଙ୍କୁ ନାଲି ଆଖି ଦେଖାଇଲେ ଜିଲ୍ଲାପାଳ

ଜନଶୁଣାଣିରେ ମହିଳାଙ୍କୁ ନାଲି ଆଖି ଦେଖାଇଲେ ଜିଲ୍ଲାପାଳ

ଜଗତସିଂହପୁର: ଜନଶୁଣାଣି ଚାଲିଥିବା ବେଳେ ପାଣି ସମସ୍ୟା ନେଇ ଆସିଥିବା ମହିଳାଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ଅଭିଯୋଗ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ସାଧାରଣରେ ନାପସନ୍ଦ କରାଯାଇଥିବା ବେଳେ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଗତ ଏପ୍ରିଲ 27ରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକରେ ଯୁଗ୍ମ ଜନ ଶୁଣାଣି ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖରାଦିନେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ କିଛି ମହିଳା ଜିଲ୍ଲାପାଳ ଜେ.ସୋନାଲଙ୍କୁ ଅଭିଯୋଗ କରିବା ପାଇଁ ଯାଇଥିବା ବେଳେ ସର୍ବ ସମ୍ମୁଖରେ ଜିଲ୍ଲାପାଳ ତାଙ୍କୁ ନାଲିଆଖି ଦେଖାଉଥିବା ଭିଡିଓ ଏବେ ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେଥିଲେ । ଏହି ସମୟରେ ଏରସମା ବ୍ଲକ ଗଡ଼ ବିସନପୁର ଅଞ୍ଚଳର 12 ନମ୍ବର ୱାର୍ଡର ୱାର୍ଡ ମେମ୍ବର ପ୍ରତିମା ଭୌମିକଙ୍କ ସମେତ କିଛି ମହିଳା ଗରା ବାଲ୍ଟି ଧରି ଅଭିଯୋଗ ଶୁଣାଣି ସ୍ଥଳକୁ ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ସେମାନଙ୍କୁ ଭିତରକୁ ଯିବାକୁ ଛାଡି ନଥିଲେ । ପରେ ସେମାନଙ୍କ ମଧ୍ୟରୁ ଜଣେ ମହିଳା ଯାଇ ନିଜର ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବାକୁ ପୋଲିସ କହିଥିଲା । କିନ୍ତୁ ସେଥିରେ ମହିଳା ମାନେ ରାଜି ନହେବାରୁ 4 ଜଣ ମହିଳା ଭେଟିବାକୁ ଅନୁମତି ମିଳିଥିଲା । ମହିଳା ମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ପରେ ଜିଲ୍ଲାପାଳ ମହିଳାଙ୍କ ଉପରେ ରାଗି ନିଆଁ ହୋଇଯାଇଥିଲେ । ‘ପାଟି ଚୁପ… କହି ଚିତ୍କାର କରିଥିଲେ’ ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କରେ ଗଡ଼ବିସନପୁରର ୱାର୍ଡ ସଭ୍ୟ ପ୍ରତିମା ଭୌମିକ କହିଛନ୍ତି, ‘ଗଡ଼ବିସନପୁର ଅଞ୍ଚଳର 12 ନମ୍ବର ୱାର୍ଡରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । କଳରେ ପାଣି ଆସୁନଥିବାରୁ ଖରାଦିନେ ପାଣି ପାଇଁ ବାରମ୍ବାର ଜିଲ୍ଲାପାଳଙ୍କୁ ଭେଟିଥିଲୁ କିନ୍ତୁ ଫଳ କିଛି ହୋଇ ନଥିଲା । ଜିଲ୍ଲାପାଳଙ୍କୁ ପାଣି ସମସ୍ୟା ଉପରେ ଲିଖିତ ଅଭିଯୋଗ ଦେବା ପରେ ଅଭିଯୋଗ ସମ୍ପର୍କରେ କହିବା ଆରମ୍ଭ ମାତ୍ରେ ଜିଲ୍ଲାପାଳ ଚିତ୍କାର କରି ଉଠିଥିଲେ ।’ ଏହା କଣ ମହିଳା ମାନଙ୍କ ପ୍ରତି ସମ୍ମାନ ବୋଲି ପ୍ରତିମା ପ୍ରଶ୍ନ କରିଛନ୍ତି । ଅନ୍ୟ ପକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସାମ୍ବାଦିକଙ୍କ ମୋବାଇଲକୁ ପୋଲିସ ଜୋର ଜବରଦସ୍ତ ଛଡାଇ ଭିଡିଓକୁ ଡିଲେଟ କରିବା ଘଟଣାରେ ଏରସମା ପ୍ରେସ କ୍ଳବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଦେଶ୍ୟରେ ଏକ ପତ୍ର ପଠାଯାଇଛି । ଏ ସମ୍ପର୍କରେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ । ଅନ୍ୟପଟେ ଜିଲ୍ଲାପାଳଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ସାଧାରଣଲୋକେ କ୍ଷୋଭ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking