ସମ୍ବଲପୁର: ପାରିବାରିକ କଳହର କରୁଣ ପରିଣତି। ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ମୃତ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ଚାରମାଳ ଥାନା ସଦର ଗ୍ରାମରେ । ସୂଚନା କ୍ରମେ, ପରକୀୟା ପ୍ରତି ସନ୍ଦେହରେ ସ୍ୱାମୀ ସୁରୁ ବନଛୋର ଏବଂ ପତ୍ନୀ ରୁକ୍ମୁଣୀଙ୍କ ମଧ୍ୟରେ ବାରମ୍ବାର ଛଗଡା ହେଉଥିଲା। ମଙ୍ଗଳବାର ସନ୍ଧ୍ୟାରେ ରୁକ୍ମୁଣୀ ସରସ୍ବତୀ ଶୁଶୁମନ୍ଦିରର ବାର୍ଷିକ ଉତ୍ସବ ଦେଖିବା ପାଇଁ ଯାଉଥିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ସେହି ସମୟରେ ରୁକ୍ମୁଣୀଙ୍କ ସହ ଚାରମାଳର ନିରଞ୍ଜନ ମୋଦିଙ୍କୁ ଦେଖି ସୁରୁ ଖୁବ୍ ରାଗିଯାଇଲେ। ଯାହାପରେ ସେ ଚାରମାଳ ହାଇସ୍କୁଲ ସମ୍ମୁଖ ରାସ୍ତାରେ ରୁକ୍ମୁଣୀଙ୍କ ଛାତିରେ ଛୁରୀ ଭୁସି ଫେରାର ହୋଇଯାଇଥିଲା। ନିରଞ୍ଜନଙ୍କ ବାମ ହାତରେ ମଧ୍ୟ ଛୁରା ମାଡ଼ ହୋଇଥିବା ସୂଚନା ମିଳିଛି।ତେବେ ମୂର୍ମୁଷ ଅବସ୍ଥାରେ ରାସ୍ତା ମଝିରେ ରୁକ୍ମୁଣୀ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରୁକ୍ମୁଣୀ ଓ ଆହତ ନିରଞ୍ଜନଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚାରମାଳ ପୁଲିସ ଶବ ଜବତ କରି ତଦନ୍ତ ଚଳାଇଥିବା ସୂଚନା ଦେଇଛି।










