ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ତହସିଲ୍ର କୁମୁଡ଼ାବାଲି ପଞ୍ଚାୟତ ଅନ୍ତର୍ଗତ ଦେଓକୁପଲିରେ ଭୀମନାଥ ମାଇନସ୍ ମଣ୍ଡ ଷ୍ଟୋନ୍ କ୍ରସର୍ ନାମରେ ଏକ ପଥର କ୍ରସର୍ ବେଆଇନ ଭାବେ ଦେଢ଼ ବର୍ଷ ହେଲା ଚାଲୁଛି। ହେଲେ କ୍ରସର୍ର ପରିବେଶ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପ୍ରଦତ୍ତ ପରିବେଶ ମଞ୍ଜୁରୀ ଅବଧି ୨୦୨୪ ମାର୍ଚ୍ଚରୁ ସରିଯାଇଛି। ଏହାସତ୍ତ୍ୱେ ଏବେ ବି ବେଆଇନ୍ ଭାବେ ଏହି କ୍ରସର୍ ୟୁନିଟ୍ ଚାଲିଛି। ଅନ୍ୟପଟେ ଦେଢ଼ ବର୍ଷ ଧରି ବେଆଇନ କ୍ରସର୍ ଚଲାଇ ମାଫିଆମାନେ ମାଲାମାଲ୍ ହେଉଥିବା ଜଣାପଡ଼ିଛି। ଏହି ୟୁନିଟ୍ ଗାଁ ନିକଟରେ ଥିବାରୁ ଏଥିରୁ ବାହିରୁଥିବା ପଥର ଗୁଣ୍ଡ ଘର, ଗଛ ଓ ପାଣିରେ ପଡ଼ିବା ଦ୍ୱାରା ଚାଷ କ୍ଷତିଗ୍ରସ୍ତ ହେବାସହ ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଏପରିକି କ୍ରସର୍ ଦିନରାତି ଚାଲୁଥିବାରୁ ଗ୍ରାମବାସୀଙ୍କୁ ରାତିରେ ନିଦ ହେଉନଥିବା ଅଭିଯୋଗ କରି ଏହି ୟୁନିଟ୍କୁ ଏଠାରୁ ଉଠାଇ ନେବାକୁ ଦାବି କରିଛନ୍ତି। ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଏହି ଅଭିଯୋଗ କରିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମୁନିଗୁଡ଼ା ତହସିଲଦାର୍ଙ୍କ ଦ୍ୱାରା କ୍ରସର୍ କାଗଜପତ୍ର ଯାଞ୍ଚ କରି ଗତ ୧୨ ତାରିଖରେ କ୍ରସର୍ରେ ଏକ ନୋଟିସ୍ ଟଙ୍ଗାଯାଇଛି।
ଉକ୍ତ ନୋଟିସ୍ରେ ଧୋବାଗୁଡ଼ି ଗ୍ରାମରେ ଚାଲୁଥିବା ଏକ ପଥର କ୍ରସର୍ ୟୁନିଟ୍ର ବେଆଇନ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ ଉଲ୍ଲେଖ କରାଯାଇଛି। ତେବେ ଏହି ୟୁନିଟ୍ ଓଡ଼ିଶା ସରକାରଙ୍କ ସକ୍ଷମ କର୍ତ୍ତୃପକ୍ଷଙ୍କଠାରୁ ବାଧ୍ୟତାମୂଳକ ବୈଧାନିକ ମଞ୍ଜୁରୀ/ଅନୁମତି ବିନା କାର୍ଯ୍ୟ କରୁଛି, ଜଳ (ପ୍ରଦୂଷଣ ନିବାରଣ ତଥା ନିୟନ୍ତ୍ରଣ) ଅଧୁନିୟମ, ୧୯୭୪ ଏବଂ ବାୟୁ (ପ୍ରଦୂଷଣ ନିବାରଣ ତଥା ନିୟନ୍ତ୍ରଣ) ଅଧୁନିୟମ, ୧୯୮୧ ଅନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଠାରୁ କ୍ରସର୍ ସ୍ଥାପନ ଏବଂ ପରିଚାଳନା ନିମନ୍ତେ କୌଣସି ସମ୍ମତିପତ୍ର ପାଇନାହିଁ। ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ ଓଡ଼ିଶାଠାରୁ ପରିବେଶ ମଞ୍ଜୁରୀ ମଧ୍ୟ ପାଇନାହିଁ। ଖଣିଜ ଦ୍ରବ୍ୟ ସଂଗ୍ରହ ପାଇଁ ଖଣି ଲିଜ୍/ଖଣିଜ ଉତ୍ତୋଳନ ଅନୁମତି ମଧ୍ୟ ନାହିଁ ବୋଲି ମୁନିଗୁଡ଼ା ତହସିଲଦାର୍ଙ୍କ ନୋଟିସ୍ରେ ଲିପିବଦ୍ଧ ରହିଛି। ଏହାସହ ନୋଟିସ୍ ମାରିବାର ୭ ଦିନ ମଧ୍ୟରେ ସମସ୍ତ ନଥିପତ୍ର ଦାଖଲ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଯଦି ୭ ଦିନ ମଧ୍ୟରେ ତହସିଲଦାର୍ଙ୍କ ନିକଟରେ ନଥିପତ୍ର ଦାଖଲ ନକରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ନିର୍ଦ୍ଦେଶ ରହିଛି। ହେଲେ ନୋଟିସ୍ ମାରିବାକୁ ଆଜିକୁ ୧୭ ଦିନ ବିତିଯାଇଥିଲେ ମଧ୍ୟ କୌଣସି ନଥିପତ୍ର କାର୍ଯ୍ୟାଳୟରେ ଦାଖଲ କରିନଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
ଅନ୍ୟପଟେ ପ୍ରଶାସନ ପକ୍ଷରୁ କ୍ରସର୍ ଲଟକା ଲଗାଇବା ପରେ କିଛି ସପକ୍ଷବାଦୀଙ୍କୁ ନେଇ ରାଜ୍ୟ ପ୍ରଦୂଷଣ ବୋର୍ଡ ଦ୍ୱାରା ପଲିସଭା ମଞ୍ଜୁର କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କନ୍ତରାବାଲି ୧ ପଥର କ୍ୱାରିରେ ବେଆଇନ୍ ବ୍ଲାଷ୍ଟିଙ୍ଗ କରି ପଥର ଆଣି ରାତିରେ କ୍ରସର୍ ଚଲାଯାଉଛି ଏବଂ ରାତିରେ କ୍ରସର୍ରେ ରହିଥିବା ଚିପ୍ସ୍କୁ ଟିପର୍ ମାଧ୍ୟମରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନିୟମିତ ବ୍ୟବଧାନରେ ବ୍ଲାଷ୍ଟିଙ୍ଗ ହେଉଥିବାରୁ କ୍ୱାରି ନିକଟରେ ରହିଥିବା ଗ୍ରାମବାସୀଙ୍କ ଘର ଫାଟ ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ଦୀର୍ଘ ଦୁଇ ବର୍ଷ ହେବ ବେଆଇନ୍ ଭାବେ କ୍ରସର୍ ଚଲାଇ କୋଟି କୋଟି ଟଙ୍କାର ରାଜସ୍ୱ ଲୁଟି ନେଉଥିବାବେଳେ ତହସିଲଦାର୍ କିମ୍ବା ଖଣି ବିଭାଗ ଅଧିକାରୀମାନେ କିପରି ଜାଣିପାରିଲେ ନାହିଁ ତାହା ସମସ୍ତଙ୍କୁ ଚକିତ କରିଛି। ଅନ୍ୟପଟେ କିଛି ସପକ୍ଷବାଦୀଙ୍କୁ ମାଲିକ ମୁନିଗଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟକୁ ପଠାଇ ବେଆଇନ କ୍ରସର୍ ଚାଲୁ କରିବାକୁ ଚାପ ପକାଉଥିବା ଦେଖିବାକୁ ମିଳୁଛି। ତେଣୁ ଜିଲ୍ଲାପାଳ ଏ ଘଟଣାରେ ହସ୍ତକ୍ଷେପ କରି ଦୀର୍ଘ ଦିନ ଧରି କିପରି ଏହି କ୍ରସର୍ ଚାଲିଲା ତା’ର ତଦନ୍ତ କରିବା ସହ ଏ ଅଞ୍ଚଳରେ କାର୍ଯ୍ୟ କରୁଥିବା ଖଣି ବିଭାଗ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି। ତେବେ ଗୋଟିଏ କ୍ରସର୍କୁ ବର୍ଷକୁ ୨୫ ଶହ କିୱିକ୍ ମିଟର୍ ପଥର ପାଇଁ ଅନୁମତି ଦିଆଯାଉଥିବାବେଳେ ଏଥିରେ ବ୍ୟତିକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାୟଗଡ଼ା ଜିଲ୍ଲା ଖଣି ଅଧିକାରୀ ପର୍ଶୁରାମ ପ୍ରଧାନ କହିଛନ୍ତି। ଅନ୍ୟପଟେ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ମୁନିଗୁଡ଼ା ତହସିଲଦାର୍ଙ୍କୁ କ୍ରସର୍ ମାଲିକ ଅସହଯୋଗ କରୁଥିବାରୁ ସେଠାରେ ଲଟକା ଜାରିକରି ତଥ୍ୟ ମାଗିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।










