ଆଜି ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକାଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ଆରକ୍ଷୀ ମହାନିର୍ଦ୍ଦେଶକ ( କ୍ରାଇମବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବିଭିନ୍ନ ବାଟାଲିୟନ ଓ ଶ୍ରେଷ୍ଠ କମାଣ୍ଡୋମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ପ୍ରତିଯୋଗିତାରେ ଓଏସଏପି ଷଷ୍ଠ ବାଟାଲିୟନ, କଟକ ଚାମ୍ପିୟନ ଦଳ ଭାବେ ପୁରସ୍କୃତ ହୋଇଥିବା ବେଳେ ୮ମ ସ୍ୱତନ୍ତ୍ର ଆଇଆରବିଏନ, ଭଞ୍ଜନଗର ରନର୍ସ-ଅପ୍ ଦଳ ଭାବେ ପୁରସ୍କୃତ ହୋଇଥିଲା। ସେହିପରି ୪ର୍ଥ ଆଇଆରବିଏନ, ଦେଓଗଡ଼ ହାର୍ଡ ଲାଇନର୍ ଟ୍ରଫି ହାସଲ କରିଛି।
ଏହା ବ୍ୟତୀତ ଶ୍ରେଷ୍ଠ କମାଣ୍ଡୋ ଭାବେ କପୁର ଚନ ଭୁଏ, ହାବିଲଦାର କେଶବ ଧରୁଆ ଦ୍ୱିତୀୟ ଶ୍ରେଷ୍ଠ କମାଣ୍ଡୋ ଏବଂ କପୁର ଚନ ଭୁଏ ଚିତା ଟ୍ରଫି ମୁଖ୍ୟ ଅତିଥିଙ୍କ ନିକଟରୁ ଗ୍ରହଣ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି ପ୍ରତିଯୋଗିତାରେ ଓଡ଼ିଶା ପୁଲିସର ବିଭିନ୍ନ ସଶସ୍ତ୍ର ବାଟାଲିୟନ୍ର ୧୭ ଟି ଟିମର ୪୦୨ ଜଣ କମାଣ୍ଡୋ ଅଂଶ ଗ୍ରହଣ କରିଥିଲେ । ଓବସ୍ଟାକଲ୍ କୋର୍ସ, ୫ କିଲୋଗ୍ରାମ ଓଜନର ବ୍ୟାକପ୍ୟାକ୍ ପିନ୍ଧି କନଫିଡେନ୍ସ କୋର୍ସରେ ୧.୩ କିଲୋମିଟର ଦୌଡ଼, ୫ କିଲୋଗ୍ରାମ ଓଜନର ବ୍ୟାକପ୍ୟାକ୍ ସହିତ କ୍ରସ୍–କଣ୍ଟ୍ରି ପଦଯାତ୍ରା, ଫାୟାରିଂ ଭଳି ପ୍ରତିଯୋଗିତାରେ କମାଣ୍ଡୋ ମାନେ ଅଂଶଗ୍ରହଣ କରି ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ। ଆଜିର ଏହି ଉଦଯାପନୀ ସମାରୋହରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ସଶସ୍ତ୍ର) ଶ୍ରୀ ରାଜେଶ କୁମାର , କମାଣ୍ଡାଣ୍ଟ,ଏସଓଜି, ଶ୍ରୀ ଲୋଚନ ପଶାୟତ, କ୍ରୀଡା ଅଧିକାରୀ, ଶ୍ରୀ ନୀଳ ମାଧବ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଅଂଶଗ୍ରହଣକାରୀ ସମସ୍ତ ବାଟାଲିୟନର କମାଣ୍ଡୋ ମାନେ ଉଚ୍ଚକୋଟିର ଖେଳୁଆଡ଼ ମନୋଭାବ ପ୍ରଦର୍ଶନ କରିବା ସହ ଶୃଙ୍ଖଳିତ ଓ ନିଷ୍ଠାର ସହ ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।










