ଆମ କୋଇଲା, ଆମ ପାଣି ବ୍ୟବହାର କରି ଅଳ୍ପ ମୂଲ୍ୟରେ ବିଜୁଳି ଉତ୍ପାଦନ ହେଊଛି l ଅଥଚ ସମଗ୍ର ଦେଶରେ ଘରୋଇ ବିଜୁଳି ଉପଭୋକ୍ତାମାନେ ସବୁଠାରୁ ଅଧିକ ଶୋଷିତ ଓ ଅବହେଳିତ l ଓଡିଶାରୁ କୋଇଲା ନେଇ ପଞ୍ଜାବ ପରି ରାଜ୍ୟ 20/25 ଭାଗ କୃଷି ଉପଭୋକ୍ତାଙ୍କୁ ସମ୍ପୂର୍ଣ ତଥା ମୋଟ 30 ରୁ 35% ଘରୋଇ ଉପଭୋକ୍ତାଙ୍କୁ 300 ୟୁନିଟ ଲେଖାଏଁ ବିଜୁଳି ଦେୟ ଛାଡ଼ କରିଥିବାବେଳେ ଓଡ଼ିଶାର ମାତ୍ର 2% କୃଷି ଉପଭୋକ୍ତା ଓ 7 ରୁ 8% ଘରୋଇ ଉପଭୋକ୍ତାଙ୍କୁ ଗୋଟିଏ ୟୁନିଟ ମଧ୍ୟ ମାଗଣାରେ ଦିଆଯାଉ ନାହିଁ l ଓଡିଶାରେ ବ୍ୟବହୃତ ହେଉଥିବା ମୋଟ 70% ବିଜୁଳି ଶିଳ୍ପକ୍ଷେତ୍ରକୁ ଦିଆ ଯାଉଛି l ସେଥିରେ ସାମାନ୍ୟ ଦରବୃଦ୍ଧି କଲେ ଓଡ଼ିଶାର ସମସ୍ତ ଘରୋଇ ଓ କୃଷି ଉପଭୋକ୍ତାଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦିଆଯାଇ ପାରିବ l ତେଣୁ ଅନ୍ୟାୟ ମୂଳକ ଭାବେ ଘରୋଇ ଉପଭୋକ୍ତା ମାନଙ୍କୁ ଅତିରିକ୍ତ ସୁରକ୍ଷା ଜମା ଦାଖଲ କରିବା ପାଇଁ ବାଧ୍ୟ କରିବା ଛାଡି ସରକାର ସବସିଡି ଜରିଆରେ ଘରୋଇ ଉପଭୋକ୍ତାଙ୍କୁ 300 ରୁ 400 ୟୁନିଟ ବିଦ୍ୟୁତ ଦେୟ ଛାଡ଼ କରିବା ସହ ସମ୍ପୂର୍ଣ କୃଷି କ୍ଷେତ୍ରକୁ ବିଜୁଳି ଦେୟମୁକ୍ତ କରାଯାଉ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଦାବୀ କରିଛନ୍ତି l
ଶୁକ୍ରବାର ଅପରାହ୍ନରେ ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ସହ କଂଗ୍ରେସ ଭାବନାଠରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଥିଲେ, ଦିଲ୍ଲୀ, ପଞ୍ଜାବ, ତେଲେଙ୍ଗାନା, ଆନ୍ଧ୍ର, କର୍ଣ୍ଣାଟକ ଓ ତାମିଲନାଡୁ ଭଳି ରାଜ୍ୟ ମାନଙ୍କରେ 1400 କୋଟିରୁ ନେଇ 3250 କୋଟି ଟଙ୍କାର ସବସିଡି ଦେଇ ସମସ୍ତ କୃଷକଙ୍କ ବିଜୁଳି ଦେୟ ଛାଡ଼ କରିବା ସହିତ 90% ଘରୋଇ ଉପଭୋକ୍ତାଙ୍କ ଦେୟ ସମ୍ପୂର୍ଣ ଛାଡ଼ କରିବାକୁ ଶ୍ରୀ ଦାସ ଦାବୀ କରିଥିଲେ l ଓଡିଶାରୁ ଉତ୍ପାଦିତ 240 ନିୟୁତ ମ୍ୟାଟ୍ରିକ ଟନ କୋଇଲାରୁ କେବଳ 22 ନିୟୁତ ଟନ କୋଇଲା ରାଜ୍ୟର ଘରୋଇ ଉପଭୋକ୍ତାଙ୍କ ପାଇଁ ଉପଯୋଗ ହେଊଛି l ତେବେ ଏଥିପାଇଁ ଓଡିଶାକୁ ବହୁମୂଲ୍ୟ ଦେବାକୁ ପଡୁଛି l ଅନୁଗୁଳ ଦେଶର ଷଷ୍ଠ ପ୍ରଦୂଷିତ ସହର ହୋଇଥିବାବେଳେ ଓଡ଼ିଶାର ଭୁବନେଶ୍ୱର ସମେତ 30 ସହର ପ୍ରଦୂଷିତ l ଏ ସମସ୍ତ ତଥ୍ୟକୁ ବିଚାରକୁ ନେଇ ସରକାର ତୁରନ୍ତ ଏଏସଡ଼ି ପ୍ରତ୍ୟାହାର କରିବା ସହିତ ନିର୍ବାଚନୀ ଇସ୍ତାହାର ଅନୁସାରେ ଅନ୍ୟୁନ 300 ରୁ 400 ୟୁନିଟ ଛାଡ଼ କରନ୍ତୁ l ସେହିପରି ରାଜ୍ୟର କୃଷି ଉତ୍ପାଦନ ଆଖିଦୃଶିଆ ଭାବେ ବଢ଼ାଇବାକୁ ହେଲେ କୃଷିଭିତ୍ତିକ ଶିଳ୍ପର ପ୍ରୋତ୍ସାହନ କରନ୍ତୁ ବୋଲି ଶ୍ରୀ ଦାସ ଆହ୍ୱାନ କରିବା ସହ ଆସନ୍ତା 29 ଡିସେମ୍ବରରେ କଂଗ୍ରେସ ପକ୍ଷରୁ ବିଜୁଳି ଅଫିସରେ ତାଲା ପକାଇବା କାର୍ଯ୍ୟକ୍ରମ ଅଛି ବୋଲି ପ୍ରକାଶ କରିଥିଲେ l
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ, ଓଡ଼ିଶାର ଖଣି ଖାଦାନରେ ପରିପୁଷ୍ଟ ଟାଟା ପାୱାର ଓଡିଶା ପାଇଁ କରିଛି କଣ ? ଓଡିଶାବାସୀ କଂଗ୍ରେସର ଡାକରାରେ ଏସଡ଼ି ଦେବେ ନାହିଁ ବୋଲି ଦେବେନାହିଁ ବୋଲି ସେ ଆଶା ପ୍ରକାଶ କରିଥିଲେ l ଏସଡ଼ି ଏକ ଜିଜିୟା କର ଛଡା ଆଉ କିଛି ନୁହଁ ବୋଲି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ l ସରକାରଙ୍କ କମ୍ପାନୀ ପ୍ରିତୀ ପାଇଁ ଉପଭୋକ୍ତାଙ୍କ ଜମା ରାଶି ବାବଦ ସୁଧର ପରିମାଣ 6.5% ହୋଇଥିବା ବେଳେ କମ୍ପାନୀ କାହିଁକି ଉପଭୋକ୍ତାଙ୍କ ବକେୟା ବାବଦ ଦେୟ 15% କାହିଁକି ଗଣିବେ ବୋଲି ସେ ପ୍ରଶ୍ନ କରିଥିଲେl କଂଗ୍ରେସ ସବୁବେଳେ ଲୋକଙ୍କ ସହିତ ରହିଛି ଏସଡ଼ି ପ୍ରସଙ୍ଗରେ ମଧ୍ୟ ଓଡ଼ିଶାର ବିଜୁଳି ଉପଭୋକ୍ତାଙ୍କ ସହିତ ରହିବ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ ଆଶା ପ୍ରକାଶ କରିଥିଲେ l ପୂର୍ବରୁ ଟିପିସିଓଡିଏଲ ସି ଇ ଓ ଅରବିନ୍ଦ ସିଂ, ମୁଖ୍ୟ ଆଇନ ଉପଦେଷ୍ଟା ଭାରତ ଭଦୱତ ଓ ଜନସମ୍ପର୍କ ବିଭାଗ ମୁଖ୍ୟ ମନୋଜ ପଟ୍ଟନାୟକ ପ୍ରମୁଖଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ କଂଗ୍ରେସଠାରେ ପିସିସି ସଭାପତି ଓ ଅନ୍ୟ ନେତାମାନଙ୍କୁ ଏ ନେଇ କମ୍ପାନୀର ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିଲେ l ସେମାନେ ଦଳର ଦାବୀ ଓଇଆରସି ସମ୍ମୁଖରେ ଉପସ୍ଥାପନ କରିବାର ପ୍ରତିଶୃତି ଦେଇଥିଲେ l










