ସମ୍ବଲପୁର: ଭିଜିଲାନ୍ସ ଜାଲରେ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ(ଏସଆରଏ)। ସମ୍ବଲପୁର ମେଜର ବନ୍ଦୋବସ୍ତ କାର୍ଯ୍ୟାଳୟର ବାସୁଦେବ ଭୋଇଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ଉ କରାଯାଇଛି। ଏକକାଳୀନ ୪ଟା ସ୍ଥାନ ଯଥା-ବରଗଡ ସ୍ଥିତ ବାସଭବନ, ଚାରଭାଟିସ୍ଥିତ ଘର, ବରଗଡସ୍ଥିତ ପୈତୃକ ବାସଭବନ ଓ ସମ୍ବଲପୁର କାର୍ଯ୍ୟାଳୟରେ ରେଡ ହୋଇଛି। ବାସୁଦେବ ଭୋଇ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ଏହି ଚଢଉ କରିଛନ୍ତି। ଚଢ଼ଉରେ ୨ ଡିଏସପି ଓ ୮ ଇନସ୍ପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି। ରେଡ୍ ସମୟରେ ବରଗଡ଼ରେ ୪୦୦୦ ବର୍ଗଫୁଟର ଏକ ଦୁଇମହଲା କୋଠା, ସମ୍ବଲପୁରର ଚାରଭାଟିରେ ୧୭୦୦ ବର୍ଗଫୁଟର ଗୋଟିଏ କୋଠା, ବରଗଡ଼ ସହରରେ ୧୨, ସମ୍ବଲପୁର ସହରରେ ୩ଟି ଏବଂ ସମ୍ବଲପୁର ଉପକଣ୍ଠରେ ଗୋଟିଏ ସମେତ ୧୬ଟି ମୂଲ୍ୟବାନ ପ୍ଲଟ୍ ଠାବ କରାଯାଇଛି। ସେହିପରି ୧୧.୫୬ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ୧୧ ଲକ୍ଷ ଟଙ୍କାର ଗୋଟିଏ ଚାରି ଚକିଆ ଏବଂ ୪ଟି ଦୁଇ ଚକିଆ ଯାନ ମଧ୍ୟ ଠାବ କରାଯାଇଛି। ପାଖାପାଖି ୬.୦୭ ଲକ୍ଷ ଟଙ୍କାର ଘରଉପକରଣ ମଧ୍ୟ ରହିଛି। ତେବେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି। ବାସୁଦେବ ଭୋଇ ୧୯୮୯ ମସିହା ସେପ୍ଟେମ୍ୱର ୧୨ ତାରିଖରେ ଭବାନୀପାଟଣାର ସେଟେଲମେଣ୍ଟ ଅଫିସରେ ଜୁନିଅର କ୍ଲର୍କ ଭାବରେ ମାସିକ ୭୮୭ ପ୍ରାରମ୍ଭିକ ଦରମା ସହିତ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ତେବେ ୧୯୯୯ ମସିହା ମଇ ୧ ତାରିଖରେ ସିନିୟର କ୍ଲର୍କ(ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ)ଭାବେ ପଦୋନ୍ନତି ପାଇ ସମ୍ବଲପୁର ମେଜର ବନ୍ଦୋବସ୍ତ କାର୍ଯ୍ୟାଳୟରେ କାର୍ଯ୍ୟ କରିଆସୁଥିଲେ।










