ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲ ସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆଜି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଧାରଣା ପ୍ରଦର୍ଶନ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ମୋରଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଆଜି ଦଳୀୟ କର୍ମୀ ମାନେ ୨ ଦଫା ଦାବି ନେଇ ଧାରଣାରେ ବସିବା ସହିତ ନାରା ବାଜି କରିଥିଲେ। ଏନେଇ ଏକ ଦାବିପତ୍ର କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଜରିଆରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅବଗତି ନିମନ୍ତେ ପ୍ରଦାନ କରିଛନ୍ତି। କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ଯଥାଶୀଘ୍ର ପୂରଣ କରାଯିବା ସହିତ ଶିଶୁରୋଗ ବିଶେଷଜ୍ଞ, ଭେଷଜ, ଅସ୍ତ୍ରୋପଚାର,ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞଙ୍କୁ ନିଯୁକ୍ତି କରିବା ଏବଂ ଡାକ୍ତରଖାନାରେ ଏକ୍ସରେ ମେସିନ ଓ ଅଲଟ୍ରାସାଉଣ୍ଡ ମେସିନ ସ୍ଥାପନ କରିବା ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ଉକ୍ତ ଦାବି ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ଜେଏମଏମ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ସଭାପତି ଶ୍ରୀଦାସ ଚେତାବନୀ ଦେଇଛନ୍ତି। ଧାରଣା ସମୟରେ ଶ୍ରୀଦାସଙ୍କ ସହିତ ଦିବାକର ସୋରେନ,ସନାତନ ମୁର୍ମୁ,ତରିଣ ସେନାପତି,ସୁଜିତ କୁମାର ବେହେରା,ହେମନ୍ତ କୁମାର ମହାନ୍ତ, ସିପୁ ମୁଦୁଲି, ଅମୀର ଖାନଙ୍କ ସହିତ ଅନ୍ୟ କର୍ମୀଗଣ ଉପସ୍ଥିତ ଥିଲେ।










