26.1 C
Bhubaneswar
Wednesday, February 11, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ଓଏସସିବିସି)ର ତୁରନ୍ତ ପୁନର୍ଗଠନ ପାଇଁ ଚିଠିରେ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ସାମାଜିକ ନ୍ୟାୟ ପ୍ରଦାନ ଏବଂ ପଛୁଆ ବର୍ଗର ଲୋକଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ।

ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ କାର୍ଯ୍ୟକାଳ ୨୦୨୪ ଜାନୁଆରୀ ୩ରେ ଶେଷ ହୋଇସାରିଛି ଏବଂ ନୂତନ ସଦସ୍ୟ ନିଯୁକ୍ତ ହୋଇ ନଥିବାରୁ ଏହା ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ। ଓଡ଼ିଶା ରାଜ୍ୟର ଜନସଂଖ୍ୟାର ଏକ ପ୍ରମୁଖ ଅଂଶ ଭାବେ ପ୍ରାୟ ୨୧୬ଟି ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗ (ଏସଇବିସି) ସମୁଦାୟ ଓଡ଼ିଶାରେ ବସବାସ କରୁଛନ୍ତି। ଆୟୋଗ କାର୍ଯ୍ୟକ୍ଷମ ନଥିବାରୁ ଏହି ବର୍ଗର ଲୋକମାନେ ଶିକ୍ଷା, ନିଯୁକ୍ତି ଏବଂ କଲ୍ୟାଣକାରୀ ଯୋଜନାର ସୁଫଳ ପାଇବାରେ ବହୁବିଧ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ନିଜର ସମସ୍ୟା ଉପସ୍ଥାପନ କରିବା ପାଇଁ ସେମାନେ ଏକ ସାମ୍ବିଧାନିକ ମଞ୍ଚରୁ ବଞ୍ଚିତ ହେଉଛନ୍ତି।

ନୂତନ ଜାତିକୁ ଏସ୍‌ଇବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା, ଅଭିଯୋଗର ସମାଧାନ କରିବା ଏବଂ ପଛୁଆ ବର୍ଗଙ୍କ ପାଇଁ ସରକାରଙ୍କୁ ନୀତିଗତ ପରାମର୍ଶ ଦେବାରେ ଓଏସସିବିସିଙ୍କ ମୁଖ୍ୟ ଭୂମିକା ରହିଛି। ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ସଂଶୋଧନ) ଅଧିନିୟମ, ୨୦୨୦ ଅନୁଯାୟୀ, ଏହି କମିଶନଙ୍କୁ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଉପରେ ସର୍ଭେ କରିବାର ଦାୟିତ୍ୱ ମଧ୍ୟ ଦିଆଯାଇଛି। ତେଣୁ ରାଜ୍ୟରେ ସାମାଜିକ ନ୍ୟାୟର ପ୍ରତିଷ୍ଠା ଏବଂ ପଛୁଆ ବର୍ଗଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ କମିଶନର ଶୀଘ୍ର ପୁନର୍ଗଠନ ଏକାନ୍ତ ଆବଶ୍ୟକ। ରାଜ୍ୟର ପଛୁଆ ବର୍ଗର ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଆୟୋଗର ପୁନର୍ଗଠନ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking