34.1 C
Bhubaneswar
Sunday, February 22, 2026
Homeଓଡିଶାଘନ କୁହୁଡ଼ି ପାଇଁ ଜାରି ହେଲା ମାର୍ଗଦର୍ଶିକା

ଘନ କୁହୁଡ଼ି ପାଇଁ ଜାରି ହେଲା ମାର୍ଗଦର୍ଶିକା

କଟକ: ଓଡ଼ିଶାର ଘନ କୁହୁଡ଼ିର ଆଶଙ୍କା ଥିବା ୬ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ସମ୍ବଲପୁର ଆର୍‌ଟିଓ (ଆଞ୍ଚଳିକ ପରିବହନ ଅଧିକାରୀ)ମାନଙ୍କୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏହିସବୁ ଜିଲ୍ଲାର ଆର୍‌ଟିଓମାନେ କୁହୁଡ଼ିରେ କିପରି ଦୁର୍ଘଟଣା ହ୍ରାସ କରାଯାଇ ପାରିବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ । ଏଥିପାଇଁ ଗାଡ଼ି ଚାଳକଙ୍କୁ ସଚେତନ କରାଯିବ । ପ୍ରତ୍ୟେକ ଆର୍‌ଟିଓମାନେ ସେମାନଙ୍କ ଅଞ୍ଚଳରେ ଏନ୍‌ଫୋର୍ସମେଣ୍ଟକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ମାର୍ଗଦର୍ଶିକା ଜାରି କରାଯାଇଛି । ଏନେଇ ଶନିବାର ଆର୍‌ଟି ଓମାନଙ୍କ ସହ ଆଭାସୀରେ ଏକ ବୈଠକ ହୋଇଥିଲା । ଏଥିରେ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଉପସ୍ଥିତ ଥିଲେ । କୁହୁଡ଼ିରେ ଦୃଶ୍ୟମାନତା ଅନୁସାରେ ଧୀର ଗତିରେ ଗାଡ଼ି ଚାଳନା, ଲୋ-ବିମ୍ ହେଡ୍‌ଲାଇଟ୍ ବ୍ୟବହାର କରିବା, ସାମ୍ନାରେ ଥିବା ଗାଡ଼ିଠୁ ନିରାପଦ ଦୂରତା ବଜାୟ ରଖିବା, ପାର୍କିଂ ଲାଇଟ୍ ଏବଂ ଟେଲ୍ ଲାଇଟ୍ ଠିକ ଭାବେ ଚାଲୁ ରଖିବା, ଘାଟି ତଥା ମୋଡ଼ରେ ସାବଧାନତା ସହ ଆଗକୁ ବଢ଼ିବା, ଦୃଶ୍ୟମାନତା କମ୍ ଥିଲେ ଗାଡ଼ି ନ ଚଳାଇ ସୁରକ୍ଷିତ ସ୍ଥାନରେ ପାର୍କିଂ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହ କୁହୁଡ଼ି ସମୟରେ ଗାଡ଼ିରେ ହାଇ ବିମ୍ ବ୍ୟବହାର ନ କରିବା, କୁହୁଡ଼ିରେ ଓଭରଟେକ୍ ନ କରିବା, ରାସ୍ତା ମଝିରେ ଯାନ ନ ରଖିବା ପାଇଁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking