ବୌଦ୍ଧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗବଜୋର ଗାଁରେ ଦହିବରା ଖାଇ ୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେପଟେ ଏନେଇ ଖବର ପାଇ ଗବଜୋର ଗାଁରେ ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗର ୮ଟି ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ଗୁରୁବାର ଜଣେ ଦହିବରା ବିକାଳୀଙ୍କ ଠାରୁ ଗବଜୋର ଗାଁର ଅନେକ ଲୋକ ଦହିବରା ଖାଇଥିଲେ। ପରେ ଜଣକ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ଗୁରୁବାର ସନ୍ଧ୍ୟାରେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଦୁଇଟି ଟିମ୍ ସହ ପଲସାଗୋରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କଣ୍ଟାମାଳ ଓ ବାଉଁସୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡାକ୍ତରୀ ଟିମ୍ ଗବଜୋର ଗ୍ରାମରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ। ସେହିପରି ଶୁକ୍ରବାର ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ସ୍ୱତନ୍ତ୍ର ଆର୍ଆର୍ଟି ଟିମ୍ ଗବଜୋର ଗ୍ରାମରେ ପହଞ୍ଚି ପାନୀୟ ଜଳ ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରି ଏହାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପ୍ରାଥମିକ ତଦନ୍ତରୁ ଏହି ଝାଡ଼ାବାନ୍ତି ବାସି ଦହିବରା ଖାଇବାରୁ ହୋଇଥିବା ସୂଚନା ମିଳିଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ସ୍ଥିତିରେ ସୁଧାର ଆସୁଥିବା ସିଡିଏମ୍ଓ ସଂଘମିତ୍ରା ପଣ୍ଡା କହିଛନ୍ତି। ଏହାଛଡ଼ା ବିଭିନ୍ନ ନମୁନା ସଂଗ୍ରହ କରାଯାଇଛି। ତାହା ଭୁବନେଶ୍ୱର ପଠାଯିବ। ପରୀକ୍ଷା ହେଲା ପରେ ଜଣାପଡ଼ିବ କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପିଛି ବୋଲି ସିଡିଏମଓ କହିଛନ୍ତି। ତେବେ ମୋଟ ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇଗଲେଣି। ବର୍ତ୍ତମାନ ୨୫ରୁ କମ୍ ଅସୁସ୍ଥ ଅଛନ୍ତି। ସେହିପରି ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ମଧ୍ୟ ଉକ୍ତ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।










