ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଦୁଃଖଦ ଘଟଣାରେ ମୃତ ଛାତ୍ରୀଙ୍କ ପରିବାରକୁ ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା କରାଯାଇଛି। ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଜଣାଇଲେ ସମବେଦନା। ସୂଚନାଯୋଗ୍ୟ, ଲାଞ୍ଜିବେର୍ଣ ଫାଣ୍ଡି ଅଞ୍ଚଳର ଜଣେ ଯୁବତୀ ଗତ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଛାତ୍ରୀ ଜଣକ ରାଜଗାଙ୍ଗପୁରସ୍ଥିତ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ କଳାର ଛାତ୍ରୀ ବୋଲି ସୂଚନା ରହିଛି। ଯୁବତୀଙ୍କ ଗୁରୁତର ଅବସ୍ଥାରେ ରାଉରକେଲା ସ୍ଥିତ ଆରଜିଏଚରେ ଚିକିତ୍ସା ଚାଲିଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ଅଧିକ ଚିକିତ୍ସା ପାଇଁ ଉଦ୍ୟମ କରାନଯିବାରୁ ଝିଅର ମୃତ୍ୟୁ ହେଲା। ପରିବାର ଲୋକେ ଝିଅକୁ ଦିଲ୍ଲୀ ଏମ୍ସ ନିଆଯାଉ ବୋଲି ଚାହୁଁଥିଲେ। ଗତକାଲି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ହସପିଟାଲକୁ ଯାଇ ପୀଡ଼ିତାଙ୍କୁ ଭେଟିଥିଲେ, ତଥାପି ଏୟାରଲିଫ୍ଟ କରାଯାଇନଥିଲା। ଏହାକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। କେଉଁ କାରଣରୁ ଯୁବତୀ ଜଣକ ଏହି ଚରମ ନିଷ୍ପତ୍ତି ନେଲେ ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ପାରିନାହିଁ। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।









