ତାଳଚେର: ତାଳଚେରରେ ଏବେ ଚାଲିଛି ମହଙ୍ଗାମାଡ଼। ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ଖାଉଟି ସାମଗ୍ରୀର ଆହେତୁକ ଦର ସମେତ ଏବେ ପଦାକୁ ଆସିଛି ଔଷଧ। ସାଧାରଣତଃ ମଣିଷ ବଞ୍ôଚବାକୁ ହେଲେ ଖାଦ୍ୟ ଓ ଔଷଧର ନିତ୍ୟାନ୍ତ ଆବଶ୍ୟକତା ରହିଛି। ଲୋକେ ଏପଟେ ପନିପରିବା ଜ୍ୱାଳାରେ ଛଟପଟ ହେଉଥିବା ବେଳେ ଏବେ ଘାରିଛି ଔଷଧ ଚିନ୍ତା। ସାଧାରଣତଃ କହିବାକୁ ଗଲେ କଳହୀରା ସହର ତାଳଚେରରେ ବର୍ଷ ତମାମ୍ କୋଇଲା ଗୁଣ୍ଡ, ଧୂଳିଧୂଆଁ ଖାଇ ଅଞ୍ଚଳବାସୀଙ୍କୁ ବିଭିନ୍ନ ପ୍ରକାର ରୋଗ ଗ୍ରାସ କରୁଛି ବୋଲି ଅନେକ ସମୟରେ ଅଭିଯୋଗ ହୋଇଥାଏ। କଫ, ଶ୍ୱାସ, ଗ୍ୟାଷ୍ଟିକ୍, ହୃଦରୋଗ, କିଡ଼ନୀ ଯନ୍ତ୍ରଣା, ଆଲର୍ଜି, ଚର୍ମରୋଗ, ବାତ, ଚକ୍ଷୁ, ଥଣ୍ଡା, ଜ୍ୱର, କାଶ, ରକ୍ତଚାପ, ଡ଼ାଇବେଟିସ୍, ବ୍ଲଡ଼ସୁଗାର, କ୍ୟାନସର୍, ଆଣ୍ଠୁଗଣ୍ଠି ଦରଜ ଇତ୍ୟାଦି ରୋଗରୁ ଲୋକଙ୍କୁ ମୁକ୍ତି ମିଳିପାରୁ ନାହିଁ। କିଛି ଲୋକ ସରକାରୀ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ଆଉ କିଛି ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
ସୂଚନା ମୂତାବକ ସାମାନ୍ୟ ଜ୍ୱର କିମ୍ବା ଥଣ୍ଡାକାଶ ହେଲେ ଯଦି କୌଣସି ଔଷଧ ଦୋକାନରୁ ଗୋଟିଏ ଟାବଲେଟ୍ କିଣିବାକୁ ହୁଏ ୧୫ରୁ ୨୦ଟଙ୍କା ଦେବାକୁ ପଡ଼ୁଛି। ତେବେ ଗୋଟିଏ ଟାବଲେଟ୍ ଷ୍ଟ୍ରିପ୍ କିଣାଗଲେ ତାହାର ଦାମ ଦେଢ଼ଶହ ଟଙ୍କାରୁ ୨ଶହ ଟଙ୍କା ପଡ଼ିବ, ଯାହା ଗୋଟିଏ ଖଟିଖିଆ ଦିନମଜୁରୀ ପକ୍ଷେ କିଣିବା ସମ୍ଭବପର ନୁହେଁ। ଏଇ ଗତ ମାସରେ ମାସରେ ଗ୍ୟାଷ୍ଟିକ୍ ପାଣି ଔଷଧର ଦାମ ୨୭୪ଟଙ୍କା ରହିଥିଲା, ମାତ୍ର ଚଳିତ ମାସରେ ଏହା ୨୯୫ଟଙ୍କାକୁ ବୃଦ୍ଧି ପାଇଛି। ଏଠି କଥା ଆସେ, ତାଳଚେର ସହରରେ ପନିପରିବାର ଦର ହୁହୁ ହୋଇ ବଢ଼ୁଥିବା ବେଳେ ଜଣେ ଗରୀବ ଖଟିଖିଆ ଦିନକ ମଜୁରୀ ୩ଶଟଙ୍କା। ତେବେ ସେ ଯଦି ୨୯୫ଟଙ୍କାରେ ନିଜ ସ୍ୱାସ୍ଥ୍ୟପାଇଁ ଔଷଧ କ୍ରୟ କରେ ତା ପାଖରେ ବଳକା ବଞ୍ôଚବ କ’ଣ ପରିବାର ଲୋକେ ଚଳିବେ କେମିତି ବୋଲି ସାଧାରଣରେ ଏହାକୁ ନେଇ ଘୋର ନିନ୍ଦା ପ୍ରକାଶ ପାଇଛି। ତେଣୁ ଗାଁ କିମ୍ବା ସହରାଚଂଳରେ ଖାଉଟି ସାମଗ୍ରୀ ଓ ଲୋକଙ୍କ ନିତ୍ୟାନ୍ତ ଜରୁରୀ ଔଷଧପତ୍ର ଦରଦାମ ପ୍ରତି ସରକାର ଧ୍ୟାନ ଦେଇ ବୃଦ୍ଧି ପାଉଥିବା ଖାଉଟି ସାମଗ୍ରୀ ଉପରେ ନିୟନ୍ତ୍ରଣ କରିବାକୁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।









