ନୂଆଦିଲ୍ଲୀ: ଚୀନ୍ ସହ କୌଣସି ପ୍ରକାର ସମ୍ଭାବିତ ଆକ୍ରମଣର ମୁକାବିଲା ପାଇଁ ଅତିରିକ୍ତ ୪୦ ବିଲିୟନ ଆମେରିକୀୟ ଡଲାର ପ୍ରତିରକ୍ଷା ଖର୍ଚ୍ଚର ପ୍ରସ୍ତାବ ରଖିଛି ତାଇଓ୍ବାନ। ଏହି ଅର୍ଥର ବଡ଼ ଅଂଶ ‘ଟି-ଡୋମ୍’ ନାମକ ଏକ ବହୁ ସ୍ତରୀୟ ଏୟାର ଡିଫେନ୍ସ ସିଷ୍ଟମ ବିକଶିତ କରିବା ଉପରେ ଖର୍ଚ୍ଚ ହେବ। ଏହି ସିଷ୍ଟମ ତାଇଓ୍ବାନ ଦ୍ବୀପକୁ ଚୀନ୍ ଫାଇଟର ବିମାନ, ବାଲାଷ୍ଟିକ୍/କ୍ରୁଜ ମିସାଇଲ ତଥା ଡ୍ରୋନ୍ ଆକ୍ରମଣରୁ ରକ୍ଷା ପାଇବା ପାଇଁ ତିଆରି କରାଯାଉଛି।
ଏହି ପଦକ୍ଷେପ ଆମେରିକାର ସେହି ଚାପ ଭିତରେ ଉଠାଯାଉଛି ଯେଉଁଥିରେ ସେ ତାଇଓ୍ବାନଠାରୁ ନିଜର ପ୍ରତିରକ୍ଷା ଖର୍ଚ୍ଚକୁ ଲଗାତାର ବଢାଇବାର ଦାବି କରୁଛି। ଏହି ସ୍ବତନ୍ତ୍ର ବଜେଟ୍ ୨୦୨୬ ରୁ ୨୦୩୩ ପର୍ଯ୍ୟନ୍ତ ୮ ବର୍ଷ ପାଇଁ ପର୍ଯ୍ୟାୟକ୍ରମେ ଖର୍ଚ୍ଚ କରାଯିବ। ଏହି ଘୋଷଣା ଏଭଳି ସମୟରେ ହୋଇଛି ଯେତେବେଳେ ରାଷ୍ଟ୍ରପତି ଲାଇ ଚିଙ୍ଗ-ତେ ପୂର୍ବରୁ ହିଁ ପ୍ରତିରକ୍ଷା ଖର୍ଚ୍ଚକୁ ଜିଡିପିର ୫% ପର୍ଯ୍ୟନ୍ତ ଯିବାର ପ୍ରତିଶୃତି ଦେଇ ସାରିଛନ୍ତି। ବର୍ତ୍ତମାନ ତାଇଓ୍ବାନ ୨୦୨୬ ପାଇଁ ନିଜର ନିୟମିତ ପ୍ରତିରକ୍ଷା ବଜେଟ୍ ବଢାଇ ୩୧.୧୮ ବିଲିୟନ ଆମେରିକୀୟ ଡଲାର କରିଦେଇଛି, ଯାହାଦ୍ବାରା ମୋଟ ପ୍ରତିରକ୍ଷା ବ୍ୟୟ ଜିଡିପିର ୩.୩% ହୋଇଯିବ।
ଲାଇ ବୁଧବାର ‘ଓ୍ବାଶିଂଟନ୍ ପୋଷ୍ଟ’ରେ ପ୍ରକାଶିତ ନିଜର ଲେଖାରେ ଏହି ବିଶେଷ ବଜେଟ୍ର ପୂର୍ବାନୁମାନ କରି କହିଛନ୍ତି, ଏହାର ବ୍ୟବହାର ମୁଖ୍ୟ ଭାବରେ ଆମେରିକାରୁ ହତିଆର କିଣିବାରେ ହେବ। ପ୍ରତିରକ୍ଷା ମନ୍ତ୍ରୀ ଓ୍ବେଲିଂଟନ୍ କ୍ରୁ ବୁଆାର ସ୍ପଷ୍ଟ କରିଛନ୍ତି ୪୦ ବିଲିୟନ ଡଲାର ଏହି ସ୍ବତନ୍ତ୍ର ବଜେଟ୍ ଉପରେ ରହିଛି। ଏହାର ଉପଯୋଗ ସଠିକ୍ ମିସାଇଲ କିଣିବା ତଥା ତାଇଓ୍ବାନ-ଆମେରିକା ଭିତରେ ମିଳିତ ରୂପରେ ହତିଆର ପ୍ରଣାଳୀକୁ ବିକାଶ ଓ କିଣିବା ପାଇଁ ହେବ। ରାଷ୍ଟ୍ରପତି ଲାଇ ୧୦ ଅକ୍ଟୋବରରେ ‘ଟି-ଡୋମ୍’ର ଔପଚାରିକ ଘୋଷଣା କରିଥିଲେ ଓ ଏହାର ତୁଳନା ଇସ୍ରାଏଲର ପ୍ରସିଦ୍ଧ ଆଇରନ୍ ଡୋମ୍ ସହ କରିଥିଲେ। ତେବେ ଦୁଇଟି ଭିତରେ ଖୁବ୍ ପ୍ରାର୍ଥକ୍ୟ ରହିଛି। ତାଇପେ ସ୍ଥିତ ପ୍ରତିରକ୍ଷା ବିଶ୍ଲେଷକ ଜେ ମାଇକେଲ୍ କୋଲଙ୍କ ଅନୁସାରେ, ଆଇରନ୍ ଡୋମ୍ ସ୍ବଳ୍ପ ଦୂରଗାମୀ ରକେଟ ବିରୋଧରେ ରହିଛି। ସେଭଳି ‘ଟି-ଡୋମ’ ତା’ଠାରୁ ଅଧିକ ପ୍ରଭାବଶାଳୀ।










