ରାୟଗଡା: ରାୟଗଡାରୁ ଏକ ଅଘଟଣର ଖବର ସାମ୍ନାକୁ ଆସିଛି । ନଦୀରେ ବୁଡି ଜଣେ ଶିଶୁ ମୃତ୍ୟୁବରଣ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ରାୟଗଡ଼ାର କାଶୀପୁର ବ୍ଲକ ଅନ୍ତର୍ଗତ କାନହୁଗୁଡ଼ା ଗାଁରେ କମ୍ଭୁ ମାଝୀଙ୍କ ସ୍ତ୍ରୀ ଶୈଳେନ୍ଦ୍ରୀ ତାଙ୍କ ତିନି ବର୍ଷର ପୁଅ ସହିତ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେ ଗାଧୋଇବା ସମୟରେ ପୁଅଟି ଭୁଲବଶତଃ ନଦୀରେ ପଡ଼ିଯାଇ ଭାସି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ସଦସ୍ୟମାନେ ଶିଶୁଟିକୁ ଖୋଜିବାକୁ ଚେଷ୍ଟା କରିଥିଲେ। ବହୁ ସମୟର ପ୍ରୟାସ ପରେ ସେମାନେ ତାକୁ ପାଣିରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ପାଣିରୁ ଉଦ୍ଧାର ପରେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)କୁ ନେଇଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି।










