ଭୁବନେଶ୍ୱର: ରାଜ୍ୟର ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପିଅନ। ପଞ୍ଚାୟତସ୍ତରୀୟ ପ୍ରଶାସନିକ କାର୍ଯ୍ୟକୁ ଉନ୍ନତ କରିବା ପାଇଁ ‘ଗ୍ରାମ ପଞ୍ଚାୟତ ପିଅନ’ ନାମକ ଏକ ନୂତନ ପଦବୀକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ମାସିକ ଦରମା ୧୩ ହଜାର ୧୬୦ ଟଙ୍କା ରଖାଯାଇଛି। ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାର ୩୧୪ ବ୍ଲକରେ ମୋଟ୍ ୬ ହଜାର ୭୯୪ ପଞ୍ଚାୟତ ରହିଛି । ସରକାରୀ ଚିଠି ଅନୁସାରେ ରାଜ୍ୟର ସମସ୍ତ ପଞ୍ଚାୟତରେ ସୃଷ୍ଟି ହେବ ପିଅନ ପଦବୀ । ଏହି ପଦବୀର ନାଁ ରହିବ ଗ୍ରାମ ପଞ୍ଚାୟତ ପିଅନ। ପଞ୍ଚାୟତ ପିଅନଙ୍କୁ ସରକାର ମାସିକ ୧୩ ହଜାର ୧୬୦ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଦରମା ପିଅନଙ୍କ କାର୍ଯ୍ୟ ଦକ୍ଷତା ଉପରେ ବଢ଼ିପାରେ କିମ୍ବା ହ୍ରାସ ପାଇପାରେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।ପୂର୍ବରୁ ପଞ୍ଚାୟତଗୁଡ଼ିକ ନିଜସ୍ତରରେ ପିଅନ ରଖୁଥିଲେ। ସେମାନଙ୍କୁ ପଞ୍ଚାୟତ ପାଣ୍ଠିରୁ ଦରମା ମିଳୁଥିଲା। ପରିବର୍ତ୍ତିତ ପରିସ୍ଥିତିରେ ପ୍ରତି ପଞ୍ଚାୟତରେ ପିଅନଙ୍କ ଆବଶ୍ୟକତା ରହିଥିବା ସରକାର ଅନୁଭବ କରୁଛନ୍ତି। ଫଳରେ ଏବେ ସମସ୍ତ ପଞ୍ଚାୟତରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପିଅନଙ୍କୁ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛି।ପୂର୍ବରୁ ରହିଥିବା ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ୍ ୧୯୬୪ର ଧାରା ୧୨୩ ଏବଂ ଓଡ଼ିଶା ଗ୍ରାମ ପଞ୍ଚାୟତ ନିୟମ ୨୦୧୪ର ନିୟମ ୧୨୫କୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହି ଧାରା ଉଚ୍ଛେଦ କରି ସରକାର ପ୍ରତି ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ପିଅନ ପଦବୀ ସୃଷ୍ଟି କରିବେ। ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ, ବିଡିଓମାନଙ୍କୁ ଅବଗତ କରାଯାଇଛି।










