– ଭଡ଼ା ଘରେ ଚାଲିଛି ୩,୮୯୦ ଅଙ୍ଗନବାଡ଼ି
– ୧୦,୯୦୦ ଘର ପାଇଁ ବଜେଟ୍ରେ ଅର୍ଥ ବ୍ୟବସ୍ଥା
ଭୁବନେଶ୍ୱର: ଓଡ଼ିଶାରେ ୨୦,୧୫୦ ଅଙ୍ଗନବାଡ଼ିର ନିଜସ୍ୱ ଗୃହ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ୭,୩୮୯ଟି ଅଙ୍ଗନବାଡ଼ି କେନ୍ଦ୍ରର ଗୃହନିର୍ମାଣ ଚାଲିଥିବାବେଳେ ୩,୮୯୦ ଅଙ୍ଗନବାଡ଼ି ଭଡ଼ା ଘରେ ଚାଲିଛି। ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଖୁବଶୀଘ୍ର ସବୁ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଘର ରହିବ। ଯେଉଁଠି ସମସ୍ୟା ହେବ ସେହି ସ୍ଥାନରେ ଜାଗା କିଣି ଘର କରାଯିବ। ୧୦,୯୦୦ ଘର ପାଇଁ ବଜେଟ୍ରେ ଅର୍ଥ ବ୍ୟବସ୍ଥା ରହିଛି। ଶନିବାର ବିଧାନସଭାରେ ଏହା କହିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକାଳରେ ଅଶ୍ୱିନୀ ପାତ୍ରଙ୍କ ମୂଳ ପ୍ରଶ୍ନ ଏବଂ ପ୍ରତାପ ଦେବ, ସାରଦା ପ୍ରଧାନ, ସନାତନ ବିଜୁଜି, ପିଏସ୍ ରାଜନ ଏକ୍କା, ଦୁଷ୍ମନ୍ତ ସ୍ୱାଇଁ ଓ ପବିତ୍ର ସାଉଁଟାଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଓଡ଼ିଶାରେ ୨୦,୧୫୦ ଅଙ୍ଗନବାଡ଼ିର ନିଜସ୍ୱ ଗୃହ ନଥିବାର ଅନେକ କାରଣ ରହିଛି। ସ୍କୁଲ୍ ପରିସରରେ ସ୍ଥାନ ନଥିବାରୁ କେନ୍ଦ୍ର ପ୍ରତିଷ୍ଠାରେ ସମସ୍ୟା ସୃଷ୍ଟି ହୋଇଛି। ଏବେ ୪୫୭୪ ସ୍କୁଲରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ବହୁ ଅଙ୍ଗନବାଡ଼ି ଭଡ଼ା ଘରେ ଚାଲିଛି। ଅସଂପୂର୍ଣ୍ଣ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଶେଷ କରିବାକୁ ଉଭୟ ବିରୋଧୀ ଓ ଶାସକ ସଭ୍ୟ ଦାବି କରିଥିଲାବେଳେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଏନେଇ କେହି ବିଧାୟକ ଚିନ୍ତିତ ହେବାର ଆବଶ୍ୟକ ନାହିଁ। କାରଣ ରାଜ୍ୟରେ ଅଙ୍ଗନବାଡ଼ିଗୁଡ଼ିକର ଶତ ପ୍ରତିଶତ ନିଜସ୍ୱ ଗୃହ କରାଯିବା ଲାଗି ସରକାର ପ୍ରଚେଷ୍ଟା ଚଳାଇଛନ୍ତି।
ଯେଉଁ ୧୫ ଲକ୍ଷ ଟଙ୍କାରେ ଅଙ୍ଗନବାଡ଼ିଗୁଡ଼ିକର ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା ରହିଥିଲା, ସେଥିରେ ନୂଆ ଅର୍ଥବ୍ୟବସ୍ଥା କରାଯାଇଛି। ୧୮ଫେବ୍ରୁଆରୀ ୨୦୨୫ରେ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଜାରି ପତ୍ର ଅନୁଯାୟୀ ଏଥିଲାଗି ୩୨ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ସକ୍ଷମ ଅଙ୍ଗନବାଡ଼ିଗୁଡ଼ିକରେ ଏଲ୍ଇଡି, ଆର୍ଓ ମେସିନ୍, ବିଦ୍ୟୁତ୍ ବ୍ୟବସ୍ଥା କରାଯାଉଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ସମସ୍ତ କାର୍ଯ୍ୟ ସଂପାଦିତ ହେଉଛି। ବର୍ତ୍ତମାନ ସୁଦ୍ଧା ୧୨,୧୪୪ ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ରହିଛି।










