କେନ୍ଦ୍ରାପଡା: କେନ୍ଦ୍ରାପଡା ବିଦ୍ୟୁତ୍ ବିଭାଗର ବେପରୁଆ ନୀତି ସହରର ମୁଖ୍ୟ ରାସ୍ତା ଓ ଛକ ଜାଗା ଗୁଡିକରେ ପ୍ରାୟ ୨୦ରୁ ଅଧିକ ଜାଗାରେ ବିପଦସଙ୍କୁଳ ଅବସ୍ଥାରେ ବସିଛି ଟ୍ରାନ୍ସଫର୍ମର। କେବଳ ଜିଲ୍ଲା ସଦର ମହୁକମା ନୁହେଁ ବିଭିନ୍ନ ସ୍ଥାନରେ ଏଭଳି ବିପଦଜନ୍ନକ ଭାବେ ତାର ଝୁଲି ରହିଥିବା ସହିତ ଖୋଲାମେଲାରେ ବିଦ୍ୟୁତ ଟ୍ରାନ୍ସଫର୍ମର ବସିଥିବା ଦେଖିବାକୁ ମିଳିଛି। ହେଲେ ଅଦ୍ୟାବଧି ସଜାଡିବାକୁ ଉଚିତ ମନେ କରୁନି ବିଭାଗ। କେନ୍ଦ୍ରାପଡାରେ ବି ଏମିତି ଅନେକ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାରେ ରହିଛି ବିଦ୍ୟୁତ ସେବା । କେଉଁଠି ତାର କମ୍ ଉଚ୍ଚରେ ଝୁଲୁଛି ତ ଆଉ କେଉଁଠି ଖୁଣ୍ଟି ଭାଙ୍ଗିଗଲାଣି । କେତେକ ସ୍ଥାନରେ ଖୁଣ୍ଟି ବଦଳରେ ବାଉଁଶ ଅବା କାଠିଢିରା ଦେଇ କାମ ଚଳାଇ ନେଉଛନ୍ତି । ବାରମ୍ବାର ଅଭିଯୋଗ ପରେ ବି ମରାମତି ହୋଇପାରୁନି । ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ୨ଟି ଡିଭିଜନରେ ରହିଛି ମୋଟ ୨୪ଟି ସେକ୍ସନ। କେନ୍ଦ୍ରାପଡା ଡିଭିଜନ ଅଧୀନ ୭ଟି ସେକ୍ସନ ରହିଛି । ଏସବୁ ସେକ୍ସନ ଜରିଆରେ ବିଭାଗ ସେବା ଯୋଗାଇ ଦେଇଆସୁଛି ।
କେନ୍ଦ୍ରାପଡାରେ ବିଦ୍ୟୁତ ଉପଭୋକ୍ତା ରହିଛନ୍ତି ପ୍ରାୟ ୨ଲକ୍ଷ ୭୪ ହଜାର । ସେଥିରୁ କେନ୍ଦ୍ରାପଡା ଡିଭିଜନ୍ ଅଧୀନ ୧ ଲକ୍ଷ ୮୭ ହଜାର ଏବଂ ମାର୍ଶାଘାଈ ଡିଭିଜନ ଅନ୍ତର୍ଗତ ପ୍ରାୟ ୮୭ ହଜାର ଉପଭୋକ୍ତା ଥିବାର ଜଣାପଡିଛି । ହେଲେ ଅୟ୍ଚଳରେ ଥିବା ବିଦ୍ୟୁତ ଭିତ୍ତିଭୂମିକୁ ନେଇ ବହୁ ସମୟରେ ଉଠିଛି ପ୍ରଶ୍ନବାଚୀ । ସାଧାରଣତଃ ବିଦ୍ୟୁତ୍ ନିୟାମକ ଆଇନ ୧୯୭୬ ଅନୁଯାୟୀ ୧୧ କେଭି ତାରଗୁଡିକ ଭୂତପନଠାରୁ ରାସ୍ତାକଡ ଦେଇ ୧୯ ଫୁଟ୍ ରାସ୍ତା ପୃଥକ କରୁଥିବା ସ୍ଥଳରେ ୧୯ରୁ ୨୦ ଫୁଟ୍, ଗ୍ରାମ୍ୟ ବିଲ ଆଦିରେ ୧୯ ଫୁଟ୍ ପର୍ଯ୍ୟନ୍ତ ରହିବା କଥା। ହେଲେ ତାହା ଏଠାରେ ପାଳନ ହେଉନି । ଏଲଟି ଲାଇନ ରୋଡ ଅତିକ୍ରମ କରୁଥିବା ବେଳେ ୧୬ ଫୁଟ୍ ଯାଏ ରହିବା କଥା । ଦୂର ସ୍ଥାନ ତ ଭିନ୍ନ କଥା ଖୋଦ୍ କେନ୍ଦ୍ରାପଡା ମୁଖ୍ୟାଳୟରେ ଏଯାଏ ସୁରକ୍ଷିତ ବିଦ୍ୟୁତ ସେବା ମିଳିପାରିଲାନି । କେଉଁଠି ନା କେଉଁଠି ଛପରହିଛି ବିପଦ । କେଉଁଠାରେ ଜନବହୁଳ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର ଅଛି ତ ଆଉ କେଉଁଠାରେ ମାଳମାଳ ତାର ଝୁଲି ରହିଛି ।
ସହରର କାକଟ, ଚାଟରାପାଟଣା, ମହିପାଳ, ସଙ୍ଗୀତ ସ୍କୁଲ ଛକ, ସାନମଙ୍ଗଳା, ଇଚ୍ଛାପୁର, କଜଳା, ମୀରପାଟଣା ଆଦି ୨୦ ରୁ ଅଧିକ ସ୍ଥାନରେ ରାସ୍ତା ଉପରେ ଖୋଲାମେଲାରେ ବିପଦଜ୍ଜନକ ଭାବେ ବିଦ୍ୟୁତ ଟ୍ରାନ୍ସଫର୍ମର ବସିଛି । ତିନିମୁହାଣି-ଅଙ୍ଗୁଳାଇର ମୁଖ୍ୟ ରାସ୍ତାରେ ବି ଟ୍ରାନ୍ସଫର୍ମରକୁ ମୁକୁଳା ଛାଡି ଦିଆଯାଇଛି । ନାଁକୁ କେବଳ ଯାହା କେଇଖଣ୍ଡ ବାଉଁଶ ପାତିଆ ଢିରା ଦେଇଛନ୍ତି । ପୁଣି କଜ୍ଜଳା ଜ୍ଞାନପୀଠ ପାଖରେ ବି ସେମିତି ଗୁଡେଇ ତୁଡେଇ ହୋଇଯାଇଛି ବିଦ୍ୟୁତ ତାର । ସହର ପୁରୁଣା ବସ୍ଷ୍ଟାଣ୍ଡ ବି ଷ୍ଟ୍ରକଚର ଅବ୍ୟବସ୍ଥିତ ହୋଇଛି । ପ୍ରତିଦିନ ସହରକୁ ବିଭିନ୍ନ ଅଞ୍ଚଳର ଲୋକ ଆସିବା ସହ ସହରବାସୀ ବି କାରବାର କରୁଛନ୍ତି । ତା’ପରେ ବି ସୁରକ୍ଷା ପ୍ରତି ଆଖି ବୁଜି ଦିଆଯାଇଛି । ପ୍ରତ୍ୟେହ ଏକ ଅନିଶ୍ଚିତ ଭବିଷ୍ୟତ ମଧ୍ୟଦେଇ ଗତି କରୁଛନ୍ତି ଅଞ୍ଚଳଳବାସୀ। ଏସବୁର ଯଥାସମ୍ଭବ ମରାମତି ନ କଲେ କେତେବେଳେ ଯେ ମୃତ୍ୟୁର ବାହକ ସାଜିବ ତାହାକୁ ଏଡାଇ ଦେଇହେବନି । କେନ୍ଦ୍ରାପଡାରେ ଯେଉଁସବୁ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାର ତାର ଝୁଲି ରହିଛି ଅଥବା ବିପଦସଙ୍କୁଳ ଅବସ୍ଥାରେ ଅଛି ସେସବୁର ସର୍ଭେ କରାଯାଇ ଏହାର ଚାରିକଡେ ବାଡାବନ୍ଦି କରାଯିବ ବୋଲି ନିର୍ବାହୀଯନ୍ତ୍ରୀ ପ୍ରକାଶ କରିଛନ୍ତି । ତୁରନ୍ତ ରାସ୍ତାକଡ ଜନଗହଳି ଛକ ଜାଗାମାନଙ୍କର ଖୋଲା ଜାଗାରେ ଥିବା ଟ୍ରାନ୍ସଫର୍ମର ଗୁଡିକୁ ସ୍ଥାନାନ୍ତରିତ କରି ସୁରକ୍ଷିତ କରିବାକୁ ସାଧାରଣ ଜନତାଙ୍କ ପକ୍ଷରୁ ଦାବି ହେଉଛି ।










