ଜଗତ୍ସିଂହପୁର: ଶୁକ୍ରବାର ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ ଅନ୍ତର୍ଗତ ତେନ୍ତୁଲି ବେଲାରି ଜଙ୍ଗଲ ଜମିରେ ଚାଲିଥିବା ସପ୍ତାହିକ ହାଟର କିଛି ଅଂଶରେ ଆଲୋକ ପାଇଟାଳ ନାମକ ଜଣେ ବ୍ୟକ୍ତି ଜବର ଦଖଲ କରି ସେଠାରେ ଗୃହନିର୍ମାଣ କରିବା ସହିତ ବ୍ୟବସାୟ କରିଆଶୁଥିବା ଗୃହ ଓ ଦୋକାନକୁ ଉଚ୍ଛେଦ କରାଯାଇଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବାଲିକୁଦା ତହସିଲଦାର ଓ ପୁଲିସ ଫୋର୍ସ ଉପସ୍ଥିତିରେ ବୁଲଡୋଜର ଜରିଆରେ ଉଚ୍ଛେଦ କରାଯାଇଛି। ଆଲୋକ ଏବଂ ତାଙ୍କ ସ୍ତ୍ରୀ ଓ ଝିଅଙ୍କ ବିରୋଧ ସତ୍ତ୍ୱେ ଉଚ୍ଛେଦ କରାଯାଇଛି। ଏପରିକି ଆଲୋକଙ୍କ ସ୍ତ୍ରୀ ଓ ଝିଅ ଯେତେ ପ୍ରକାର ହାଇଡ୍ରାମା ତଥା ସ୍ତ୍ରୀ ଘରୁ ନବାହାରିବା ଓ ଝିଅ ଦେହରେ କିରୋସିନି ଢାଳି ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ଇତ୍ୟାଦିକୁ ପ୍ରଶାସନ ଭୃକ୍ଷେପ ନକରି ସ୍ତ୍ରୀକୁ ଜୋର୍ ଜବରଦସ୍ତ ଘର ଭିତରୁ ମହିଳା ପୁଲିସ ଉଠାଇ ଆଣିବା ସହିତ ଝିଅ ଓପରେ ଦମକଳ ବାହିନୀ ପାଣି ପକାଇ ଉଚ୍ଛେଦ ପ୍ରକ୍ରୀୟାକୁ ସଫଳ କରାଇଥିଲେ।
ତେବେ ଏହି ଉଚ୍ଛେଦ ନେଇ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବାରମ୍ବାର ଅଭିଯୋଗ ହେବା ପରେ ତହସିଲଦାର ବିକାଶ ରଞ୍ଜନ, ସମ୍ପୃକ୍ତ ପରିବାର ତଥା ଆଲୋକ ପାଇଟାଳଙ୍କୁ ତୁରନ୍ତ ଜଙ୍ଗଲ ଜମି ଜାଗା ଛାଡିବା ପାଇଁ ନୋଟିସ କରିଥିଲେ। ହେଲେ ସମୟ ଅବଧି ମଧ୍ୟରେ ଆଲୋକ ଜାଗାରୁ ନହଟିବା ନେଇ ଆଜି ତହସିଲଦାର ବାଧ୍ୟ ହୋଇ ଉଚ୍ଛେଦ ଆରମ୍ଭ କରିଥବା ଜଣାଯାଇଛି। ତେବେ ଅଧାର ଉର୍ଦ୍ଧ୍ୱ ଉଚ୍ଛେଦ ହେବା ପରେ ଆଲୋକ ଉଚ୍ଚ ନ୍ୟାୟାଳୟରୁ ଏକ ରହିତାଦେଶ ନୋଟିସ ଆଣିବା ପରେ ତହସିଲଦାର ବାଧ୍ୟ ହୋଇ ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିଥିବା ଜଣାଯାଇଛି। ଅନ୍ୟପକ୍ଷରେ ଉକ୍ତ ୨୩ ଏକର ୫୦୦ଡିସି ଜଙ୍ଗଲ ଜମିରେ ଆଲୋକ ଏକା ଜବର ଦଖଲ କରି ନାହାନ୍ତି। ଅନେକ ସେହିଭଲି ଜବର ଦଖଲ ହୋଇଛି। ଯେଉଁମାନେ କି ପ୍ରଶାସନକୁ ହାତଗୁଞ୍ଜା ଦେଉଛନ୍ତି। ସେମାନଙ୍କର ଉଚ୍ଛେଦ କାହିଁକି ହେଲା ନାହିଁ। ଯିଏ ହାତଗୁଞ୍ଜା ଦେଇ ପାରିଲା ନାହିଁ ତାହାରି ଜାଗାକୁ କଣ ପାଇଁ ଉଚ୍ଛେଦ କରାଗଲା ବୋଲି ଆଲୋକ ତହସିଲଦାର ଓ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ଏପରିକି ଆଲୋକ ଖାତା ନଂ. ୧୮୭ ଓ ପ୍ଲଟ ନଂ ୯୨୫କୁ ଚିହ୍ନଟ କରି ସମସ୍ତ ସରକାରୀ ଜମିକୁ ଜବର ଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି।










