ନୂଆଦିଲ୍ଲୀ: ଆର୍ଥିକ ସମସ୍ୟା ପାଇଁ ଜୀବନ ହାରିଲେ ଛାତ୍ରୀ । ମନରେ ଥିଲା ବହୁ ଇଚ୍ଛା । ହେଲେ ଅଧା ଜୀବନରୁ ଧୁଳିସାତ କରିଦେଲା ଆର୍ଥିକ ଅନଟନ। ଅନେକ ସମୟରେ ପିଲାମାନଙ୍କ ପାଠ ପଢା ପାଇଁ ଖର୍ଚ୍ଚ କରନ୍ତି ବାପା ମା , ଆଉ ବେଳେବେଳେ ଆର୍ଥିକ ଅନାଟନା ଯୋଗୁଁ ପିଲାମାନଙ୍କୁ ପାଠ ପଢାଇପାରନ୍ତିନି ବାପା ମା । ଆଉ ଶେଷରେ ଜୀବନ ହରାଇ ଦିଅନ୍ତି ପିଲାମାନୋ ଆର୍ଥିକ ଅନଟନ ଏବଂ ପାଠ ପଢାରେ ବାଧାପ୍ରାପ୍ତ ହେବାରୁ ୧୪ ବର୍ଷୀୟା ଅଷ୍ଟମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏଭଳି ଦୁଃଖଦ ଘଟଣା ମଙ୍ଗଳବାର ବିଳମ୍ବିତ ରାତି ହରିୟାଣାର ରେୱାଡି ଜିଲ୍ଲା ଅନ୍ତର୍ଗତ ସେକ୍ଟର ୬ ଥାନା ଅଞ୍ଚଳରେ ଘଟିଛି । ମୃତକଙ୍କ ନାମ ରିଙ୍କୁ କୁମାରୀ । ସେ ତାଙ୍କ ପରିବାର ସହିତ ଭଡା ଘରେ ରହୁଥିଲେ । ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ମୃତା ଛାତ୍ରୀ ହରିୟାଣାର ରେୱାଡି ଜିଲ୍ଲା ଅନ୍ତର୍ଗତ ସେକ୍ଟର ୬ ଥାନା ଅଞ୍ଚଳର ହାଉସିଂ ବୋର୍ଡ ବିଲ୍ଡିରେ ଥିବା ଏକ ଭଡା ଘରେ ପରିବାର ସହ ରହୁଥିଲେ । ସେ ବିହାରର ମୋତିହାରୀର ବାସିନ୍ଦା । ପରିବାର ଲୋକେ ଉତ୍ତମ ଜୀବୀକା ଖୋଜିବା ପାଇଁ ଧାରୁହେରାକୁ ଚାଲିଆସିଥିଲେ । ତାଙ୍କ ବାପା ଇଲେକ୍ଟ୍ରିସିଆନ ଭାବରେ କାମ କରନ୍ତି । ତାଙ୍କ ମାଆ ପନିପରିବା ଦୋକାନ ଚଳାନ୍ତି । ରିଙ୍କୁ ଜଣେ ମେଧାବୀ ଛାତ୍ରୀ । ଆର୍ଥିକ ସମ୍ବଳ ଖରାପ ଥିବାରୁ ତାଙ୍କ ବାପା ମା ସ୍କୁଲ ଫି ଦେଇପାରିଲେ ନାହିଁ । ଯାହାଫଳରେ ସ୍କୁଲ ପ୍ରଶାସନ ତାଙ୍କ ପାଠପଢା ବନ୍ଦ କରିଦେଇଥିଲେ । ଏହି କଥାକୁ ଭାବି ସେ ଦୁଃଖରେ ଭାଙ୍ଗି ପଡିଥିଲେ । କିଛି ସମୟ ପାଇଁ ମାନସିକ ଅବସାଦ ଥିଲେ । ସବୁଦିନ ଭଳି ଘର ଲୋକ ନିଜ କାମରେ ବ୍ୟସ୍ତ ଥିଲେ । ରିଙ୍କୁଙ୍କ ସାନ ଭଉଣୀମାନେ ବାହାରେ ଖେଳୁଥିଲେ । ଠିକ ଏତିକି ବେଳେ ଘରେ କେହି ନଥିବା ଦେଖି ଫେନରେ ଝୁଲିପଡିଥିଲେ ରିଙ୍କୁ । ଘର ଲୋକ ଆସି ଦେଖିବାରୁ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କ ଖବର ପାଇ ପୋଲିସ ସେକ୍ଟର ୬ ଥାନା ଅଞ୍ଚଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ସିଭିଲ ହସ୍ପିଟାଲ ରେୱାଡିକୁ ପଠାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା ।
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମୃତ୍ୟୁର କାରଣ ବାହ୍ୟ ଚାପ ନୁହେଁ, ଆର୍ଥିକ ସମସ୍ୟା ଠିକ ନଥିବାରୁ ପାଠ ପଢିପାରିବେ ନାହିଁ ଏହି କଥା ଭାବି ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ପୁନରାବୃତ୍ତି କିପରି ନ ହେବ ସମାଜରେ ସେ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହେଁ । ଯଦି ଏହି ମୂଲ୍ୟବାନ ଜୀବନ ବଞ୍ଚାଇ ନିଜେ ସ୍ୱାବଲମ୍ବୀ ହୋଇଥାନ୍ତେ ଆଜି ସମାଜବାସୀ ରିଙ୍କୁଙ୍କ ଉଦାହରଣ ଦେଇଥାନ୍ତା ।










