31.1 C
Bhubaneswar
Wednesday, March 25, 2026
Homeଓଡିଶାଓସିପିଏଲ୍‌-ଓପିଜିସି ମିଶ୍ରଣ ରଦ୍ଦ; କେନ୍ଦ୍ର ସରକାର କହିଲେ ନା’

ଓସିପିଏଲ୍‌-ଓପିଜିସି ମିଶ୍ରଣ ରଦ୍ଦ; କେନ୍ଦ୍ର ସରକାର କହିଲେ ନା’

ଭୁବନେଶ୍ୱର: ଓଡ଼ିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ୍ (ଓସିପିଏଲ୍‌)କୁ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ (ଓପିଜିସି) ସହିତ ହୋଇଥିବା ମିଶ୍ରଣ ନିଷ୍ପତ୍ତିିକୁ ରଦ୍ଦ କରିଛନ୍ତି କେନ୍ଦ୍ର ସରକାର। ଫଳରେ ନିଜ ପୂର୍ବ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନେଇଛନ୍ତି ରାଜ୍ୟ ସରକାର। ଓଡ଼ିଶା ସରକାର ଗତ ୮ ଅକ୍ଟୋବର ୨୦୨୫ରେ ଓସିପିଏଲ୍‌-ଓପିଜିସି ମିଶ୍ରଣ ନେଇ ନୀତିଗତ ନିଷ୍ପତ୍ତିି ନେଇଥିଲେ। ପରେ ଅନୁମୋଦନ ପାଇଁ ୧ ନଭେମ୍ବର ୨୦୨୫ରେ ଓସିପିଏଲ ଏକ ପତ୍ର ମାଧ୍ୟମରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟକୁ ଆବେଦନ କରିଥିଲେ। ହେଲେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଏହା ଉପରେ ବିଚାର କରି ୨୦ ନଭେମ୍ବର ୨୦୨୫ରେ ଏକ ପତ୍ର ଜରିଆରେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ପ୍ରତ୍ୟାଖାନ କରିଥିବା ସ୍ପଷ୍ଟ କରିଛନ୍ତି। କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ମନୋନୀତ କର୍ତ୍ତୃପକ୍ଷ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ମନୋହରପୁର କୋଇଲାଖଣି ପାଇବା ପାଇଁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସହିତ ଓସିପିଏଲ୍ ସମ୍ପାଦନ କରିଥିବା ଆବଣ୍ଟନ ଚୁକ୍ତିନାମାର ଧାରା ଅନୁସାରେ ଓସିପିଏଲ୍‌-ଓପିଜିସି ମିଶ୍ରଣ ହୋଇପାରିବ ନାହିଁ। ଟାଙ୍ଗରଡ଼ିହି ଉତ୍ତର କୋଇଲାଖଣିକୁ ନିଲାମ କରିବା ପାଇଁ ମଧ୍ୟ କୋଇଲା ମନ୍ତ୍ରଣାଳୟ ପ୍ରକାଶ କରିଥିବା ବିଜ୍ଞପ୍ତି ଦସ୍ତାବିଜର ପାରା ଅନୁସାରେ ଲକ୍‌-ଇନ୍ ଅବଧିରେ ଓସିପିଏଲ୍‌-ଓପିଜିସି ମିଶ୍ରଣ ହୋଇପାରିବ ନାହିଁ। ତେବେ ଟାଙ୍ଗରଡ଼ିହି ଉତ୍ତର କୋଇଲାଖଣି ପାଇବା ପରେ ଓସିପିଏଲ୍ ଓ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିନାମାର ଧାରା ୧୩.୧.୩ ଅନୁସାରେ ସାମ୍ପ୍ରତିକ ପରିସ୍ଥିତିରେ ଉକ୍ତ ମିଶ୍ରଣ ବେଆଇନ୍‌। ଅର୍ଥାତ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଓସିପିଏଲ୍‌-ଓପିଜିସି ମିଶ୍ରଣ ପାଇଁ ଓସିପିଏଲ୍‌ର ଆବେଦନକୁ ଅଗ୍ରାହ୍ୟ କରିବା ସହିତ ଓଡ଼ିଶା ସରକାର ଗ୍ରହଣ କରିଥିବା ନୀତିଗତ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ବରଖାସ୍ତ କରିଦେଇଛନ୍ତି। ଓସିପିଏଲ୍‌ର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ନିଯୁକ୍ତି ସମ୍ପର୍କିତ ବିଜ୍ଞାପନ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇବା ପରେ ବିବାଦର ସୂତ୍ରପାତ ହୋଇଥିଲା।

ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୮ଅକ୍ଟୋବର ୨୦୨୫ରେ ଏକ ନୋଟ୍‌ସିଟ୍ ଜରିଆରେ ଶକ୍ତିବିଭାଗକୁ ସୂଚିତ କରି ରାଜ୍ୟ ସରକାର ଓସିପିଏଲ୍‌କୁ ଓପିଜିସିରେ ମିଶ୍ରଣ କରିବା ପାଇଁ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଜଣାଇଥିଲେ। ଫଳରେ ଓସିପିଏଲର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀଙ୍କ ନିଯୁକ୍ତ ନେଇ ଆଉ ଆବଶ୍ୟକତା ନାହିଁ। ରାଜ୍ୟ ସରକାରଙ୍କ ଉକ୍ତ ନିଷ୍ପତ୍ତିି ବିରୋଧରେ ସେତେବେଳେ ବିଭିନ୍ନ ମହଲରୁ ପ୍ରବଳ ବିରୋଧର ସ୍ୱର ଉତ୍ତୋଳନ ହୋଇଥିଲା। ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଏହାକୁ ବିରୋଧ କରି କହିଥିଲେ ଯେ, କେନ୍ଦ୍ର ଜିଏସ୍‌ଟି କାଉନସିଲ କୋଇଲା ଉତ୍ପାଦନ ଉପରେ ଲାଗୁଥିବା ଜିଏସ୍‌ଟି କ୍ଷତିପୂରଣ ସେସ୍ ଟନ୍ ପିଛା ୪୦୦ ଟଙ୍କା ୨୨ ସେପ୍ଟେମ୍ବର ୨୦୨୫ରୁ ବନ୍ଦ୍ କରି ଦେଇଛନ୍ତି। ତେଣୁ ଓପିଜିସିକୁ ଆଉ ୪୦୦ ଟଙ୍କା ସେସ ଦେଉନାହିଁ। ସେହିପରି ପରିବର୍ତ୍ତିତ ପରିସ୍ଥିତିରେ ଓସିପିଏଲକୁ ଓପିଜିସିରେ ମିଶ୍ରଣ କରିଦେଲେ ନିଲାମରେ ପାଇଥିବା ଖଣି ବ୍ୟାଜ୍ୟାପ୍ତି ହେବା ସହ ରାଜ୍ୟର ପ୍ରବଳ ବ୍ୟବସାୟିକ ଓ ଅର୍ଥନୈତିକ କ୍ଷତି ହେବ। ସେହିପରି ଦକ୍ଷତା ବୃଦ୍ଧି ପାଇଁ ଏନ୍‌ଟିପିସି ଏକ ନୂତନ କୋଇଲା କମ୍ପାନୀ ଏନ୍‌ଏମ୍‌ଏଲ (ଏନ୍‌ଟିପିସି ମାଇନିଙ୍ଗ ଲିମିଟେଡ୍‌) ଗଠନ କରିଥିବାବେଳେ ଓଡ଼ିଶା ସରକାର କୋଇଲା ଉତ୍ପାଦନରେ ଦକ୍ଷ ଓ ଅଭିଜ୍ଞ ଥିବା ଓସିପିଏଲ୍‌କୁ ଓପିଜିସିରେ ମିଶ୍ରଣ କରିବା ନିଷ୍ପତ୍ତିି ରାଜ୍ୟ ସ୍ୱାର୍ଥ ପରିପନ୍ଥୀ। ତେବେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟଙ୍କ ଚିଠି, ବିଚାର ଓ ନିଷ୍ପତ୍ତି ଉପରେ ସବୁ ମହଲରୁ ସ୍ୱାଗତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking