19.1 C
Bhubaneswar
Sunday, February 8, 2026
Homeଓଡିଶାସମୀର ଦେ’ଙ୍କ ଜନସେବା ଆଜି ବି ଜୀବନ୍ତ: ମୁଖ୍ୟମନ୍ତ୍ରୀ

ସମୀର ଦେ’ଙ୍କ ଜନସେବା ଆଜି ବି ଜୀବନ୍ତ: ମୁଖ୍ୟମନ୍ତ୍ରୀ

କଟକ: “ଚାହୁଁ ଚାହୁଁ ବର୍ଷେ ହୋଇ ଗଲାଣି। ଯେଉଁ ବଡ଼ ଭାଇ ଆମ ହାତ ଧରି ଏଇ ରାଜନୀତିର ରଣଭୂମିରେ ଠିଆ କରାଇଥିଲେ ଆଉ କହୁଥିଲେ-ମୁଁ ତୁମମାନଙ୍କ ପଛରେ ସବୁବେଳେ ଅଛି । ସେଇ ବଡ଼ ଭାଇ… ଆମ ସମୀର ଦା, ବର୍ଷେ ହେଲାଣି ଆମ ଗହଣରେ ଆଉ ନାହାନ୍ତି। ଏକଥା ବିଶ୍ୱାସ ହେଉନାହିଁ କିନ୍ତୁ ଏହାହିଁ ସତ୍ୟ। ଏସତ୍ୟ ସହିତ ଆମକୁ ବଞ୍ଚିବାକୁ ପଡ଼ିବ। କେତେଯେ ଆମେ ଖୁସି ଥିଲୁ ଯେ, ଓଡ଼ିଶାରେ ଆମ ସରକାର ଆସିଲା। ସମୀର ଦା ଦେଖିଥିବା ସ୍ୱପ୍ନ, ବରିଷ୍ଠ ନେତୃବୃନ୍ଦ ଏବଂ କର୍ମକର୍ତ୍ତାଙ୍କୁ ସାଥିରେ ନେଇ ନିଜ ଲହୁ ଲହୁକୁ ଏକ କରି ସେ ତିଆରି କରିଥିବା ଭାରତୀୟ ଜନତା ପାର୍ଟିର ସଂଗଠନ କ୍ଷମତାକୁ ଆସିଲା । କିନ୍ତୁ ସମୀର ଦା ରହିଲେନି। ତାଙ୍କ ବିୟୋଗର ଏକ ବର୍ଷ ହୋଇଗଲା, କିନ୍ତୁ ସମୀର ଦା’ଙ୍କ ଜନସେବା, ସରଳତା, ପରିଶ୍ରମ ଓ ଦୃଢ଼ ସଙ୍କଳ୍ପ ଆଜି ମଧ୍ୟ ଆମ ସମସ୍ତଙ୍କ ମନରେ ଜୀବନ୍ତ। ପରିବାର ବାହାରେ ସେ ଗଢ଼ିଥିବା ପରିବାର ଆଜି ମଧ୍ୟ ଉଦବୁଦ୍ଧ।” ପୂର୍ବତନ ମନ୍ତ୍ରୀ ସମୀର ଦେ’ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ କଟକ ସହିଦ୍ ଭବନ ଠାରେ ଆୟୋଜିତ ସ୍ମୃତି ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ଏହାଛଡ଼ା ସେ କହିଥିଲେ ଯେ ବଡଭାଇ ସଜ୍ଜନ ଶର୍ମା, ଯିଏ ଆଜି ସମୀର ଦା’ଙ୍କ ନାମରେ ମେମୋରିଆଲ ଟ୍ରଷ୍ଟ ଗଢ଼ିଛନ୍ତି, ତାଙ୍କ ଆଖିରେ ମଧ୍ୟ ଲୁହ ଜକେଇ ଆସୁଛି, ସମୀର ଦା’ଙ୍କ କଥା କହୁ କହୁ। ଆଜି ଛାତି କୋହରେ ଭରି ଯାଉଛି। ଦାଦାଙ୍କ ସହିତ ମୋର ସେଇ ପ୍ରତିଟି ମୁହୂର୍ତ୍ତ ଆଜି ମୋର ମନେପଡିଯାଉଛି । ସେଇ ଚାହା ଖଟି, ସେଇ ରାତି ରାତି ସଂଗଠନ ବିଷୟରେ ଆଲୋଚନା, ସେଇ ବିଭିନ୍ନ ଜାଗାକୁ ବୁଲି ଯିବା…ସବୁ ମନେ ପଡିଯାଉଛି। ସମୀର ଦା’ଙ୍କ ରାଜନୈତିକ ଯାତ୍ରା କେବଳ ଦଳୀୟ ରାଜନୀତି ପର୍ଯ୍ୟନ୍ତ ସୀମାବଦ୍ଧ ନଥିଲା; ସେ ଥିଲେ ସାଧାରଣ ଲୋକମାନଙ୍କ ମଧ୍ୟରୁ ଉଠିଆସିଥିବା ଜଣେ ଦୃଢ଼ ପ୍ରତିନିଧି। ବିଭିନ୍ନ ଅଞ୍ଚଳର ଉନ୍ନତି, ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ, ଯୁବମାନଙ୍କ ଆକାଂକ୍ଷା, ଓ ଦୁର୍ବଳ ବର୍ଗଙ୍କ ଅଧିକାର- ଏ ସବୁ ତାଙ୍କ ସେବାର କେନ୍ଦ୍ରବିନ୍ଦୁ ଥିଲା। ଜଣେ ସରଳ ସଚ୍ଚୋଟ ଉଦାର ମଣିଷଟେ ଥିଲେ ଦାଦା। ମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନର ସାକ୍ଷୀ। ସଂଗଠନଶୀଳ ନେତୃତ୍ୱ, ଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଓ ଉନ୍ନତି ପାଇଁ ଅତୁଟ ସଙ୍କଳ୍ପ- ଏହି ଗୁଣଗୁଡ଼ିକ ସମୀର ଦାଦାଙ୍କୁ ଜନମାନସରେ ଅମର କରି ରଖିଛି। ପ୍ରକୃତରେ ସେ ଥିଲେ ସମୀର… ଯେମିତି ଦଲକାଏ ଥଣ୍ଡା ପବନ, ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପକୁ ଅପସାରୀ ଦେଇଥାଏ। ସେମିତି ଜଣେ ଥିଲେ ସମୀର ଦା। ଆଜିର ଏହି ଶ୍ରାଦ୍ଧ ବାର୍ଷିକୀ କେବଳ ଶୋକ ପାଳନ ନୁହେଁ; ଏହା ହେଉଛି ଗୋଟିଏ ଆନ୍ତରିକ ସଂକଳ୍ପ-ଯେ, ସମୀର ଦା’ଙ୍କ ଉଦ୍ଦେଶ୍ୟ, ତାଙ୍କ ମୂଲ୍ୟବୋଧ, ତାଙ୍କ ଆଦର୍ଶକୁ ଆମେ ଆଗକୁ ବଢ଼ାଇନେବୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।

ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଥିଲେ ଜଣେ ଖାଣ୍ଟି କଟକିଆ ଥିଲେ ସମୀର ଦା। କଟକର ମାଟି, ପାଣି, ପବନ ସହିତ ସେ ଓତପ୍ରୋତ ଭାବେ ଜଡିତ ଥିଲେ। କଟକ ସହର ଯେଉଁ ଭାଇଚାରା ପାଇଁ ପ୍ରସିଦ୍ଧ, ସମୀର ଦା ଥିଲେ ତାହାର ଜ୍ୱଳନ୍ତ ପ୍ରତୀକ। କଟକର ସବୁ ସଂଗଠନ, ସବୁ କମିଟି, ବିଭିନ୍ନ କ୍ରୀଡା ସଂଘ, ବିଭିନ୍ନ କର୍ମଚାରୀ ସଂଗଠନ- ସବୁଥିରେ ସେ ଥିଲେ ଆଗ ଧାଡିର ସଂଗଠକ ଓ ନେତା। ମନ୍ତ୍ରୀ ଭାବେ ତାଙ୍କର ବହୁ ଉଲ୍ଲେଖନୀୟ ଅବଦାନ ରହିଛି। ସେଗୁଡିକ ମଧ୍ୟରୁ କଟକ-ଭୁବନେଶ୍ୱର ଟ୍ୱିନ ସିଟି ଘୋଷଣା, କମିଶନରରେଟ୍ ପୁଲିସ ବ୍ୟବସ୍ଥା ଆରମ୍ଭ, ଶ୍ରୀ ଶ୍ରୀ ରବି ଶଙ୍କର ୟୁନିଭରସିଟି, ଭୁବନେଶ୍ୱର ଠାରେ ଦୀନ ଦୟାଲ ଉପାଧ୍ୟାୟ ପାର୍କ ଓ ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କ ପ୍ରତିଷ୍ଠା, ବାରବାଟୀ ଦୁର୍ଗର ଖନନ ପ୍ରକ୍ରିୟା, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନକୁ ଜାତୀୟ ମାନ୍ୟତା ଦାବୀ ସହିତ ନେତାଜୀ ସଂଗ୍ରାହଳୟ ପ୍ରତିଷ୍ଠା ଇତ୍ୟାଦି କାର୍ଯ୍ୟ ତାଙ୍କୁ ଓଡିଶା ବାସୀଙ୍କ ପାଖରେ ଚିର ସ୍ମରଣୀୟ କରି ରଖିବ। ଏଥି ସହିତ ସେ ଓଡିଶା ଅଲମ୍ପିକ୍ ଆସୋସିଏସ୍‌ନ, ଓଡିଶା ଫୁଟବଲ ଆସୋସିଏସନ ଏବଂ ଓଡିଶା ଜିମ୍ନାଷ୍ଟିକ୍ ଆସୋସିଏସନ୍‌ର ମଧ୍ୟ ସଭାପତି ଭାବେ ଉଲ୍ଲେଖନୀୟତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି। ପ୍ରକୃତରେ ଆମ ରାଜନୈତିକ ଜୀବନରେ ସମୀର ଦା ଆମକୁ ରାସ୍ତା ଦେଖାଇ ଆଗକୁ ନେଇଛନ୍ତି। ତାଙ୍କର ଅଭାବ ଆମେ ସମସ୍ତେ ଅନୁଭବ କରୁଛୁ ଓ ଆଗକୁ ମଧ୍ୟ ତାଙ୍କ ଅଭାବ ଅନୁଭୂତ ହେବ। କିନ୍ତୁ, ତାଙ୍କର ଦିବ୍ୟାତ୍ମା ଏକ ଉଜ୍ଜଳ ଦୀପଶିଖା ଭଳି ଆମକୁ ନିଶ୍ଚୟ ରାସ୍ତା ଦେଖାଇବ ଏଥିରେ ସନ୍ଦେହ ନାହିଁ। ସମୀର ଦା ଆମ ପାଖରେ ଶାରୀରିକ ଭାବେ ନାହାନ୍ତି ସତ, କିନ୍ତୁ ସେ କାନେ କାନେ କହି ଯାଇଥିବା ଦାୟିତ୍ୱବୋଧ, ସେ ବୁଣିଥିବା ଉନ୍ନତିର ସୁତା, ଓ ସେ ଶିଖାଇଥିବା ସେବାଭାବ ଆଗାମୀ ପିଢ଼ୀ ପାଇଁ ଏକ ପଥଦର୍ଶକ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking