18.1 C
Bhubaneswar
Thursday, February 5, 2026
Homeଓଡିଶାଅଫେରା ରାଇଜରେ ହ୍ୟୁମାନ୍‌; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଅଫେରା ରାଇଜରେ ହ୍ୟୁମାନ୍‌; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଉ ନାହାନ୍ତି ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣାଶୁଣା ଚେହେରା ହ୍ୟୁମାନ ସାଗର। ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ। ୩୬ ବର୍ଷ ବୟସରେ ଆଖି ବୁଜିଛନ୍ତି ହ୍ୟୁମାନ ସାଗର। ଲିଭରରେ ସମସ୍ୟା ପାଇଁ ସେ ଗୁରୁତର ହୋଇଥିଲେ। ହ୍ୟୁମାନଙ୍କ ଏକାଧିକ ଅଙ୍ଗ କାମ କରୁ ନଥିଲା। ତେବେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ୯ଟା ୮ ମିନିଟ୍‌ରେ ତାଙ୍କର ପରଲୋକ ହୋଇଛି। ଯୁବ ପିଢ଼ିଙ୍କ ପସନ୍ଦର ଗାୟକ ଥିଲେ ହ୍ୟୁମାନ ସାଗର। ହ୍ୟୁମାନ ସାଗରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସୋସିଆଲ୍ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହ୍ୟୁମାନ ସାଗରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ପ୍ରକାଶ ଯେ ମାତ୍ର ୧୦ରୁ ୧୨ ବର୍ଷ ହେବ ହ୍ୟୁମାନଙ୍କ ସଂଗୀତ କ୍ୟାରିୟର। ମାତ୍ର ଏଇ କେଇଟା ବର୍ଷରେ ଶହଶହ ଆଲବମ୍‌, ଫିଲ୍ମ ଓ ମେଲୋଡିୟସ୍ ଗୀତ ଗାଇଛନ୍ତି। ଆଉ ହାତ ଗଣତି ରହିଛି ତାଙ୍କର କିଛି ଭଜନ। ହ୍ୟୁମାନ୍ ଶହଶହ ଭଜନ ଗାଇ ନଥିଲେ ବି ସେହି କେତୋଟି ଭଜନ ଲୋକଙ୍କ ହୃଦୟକୁ ଛୁଇଁଛି। ଆଉ ଏବେ ତାଙ୍କର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ୨୦୧୫ରେ ହ୍ୟୁମାନ୍ ଓଡ଼ିଆ ଫିଲ୍ମ ‘ଇସ୍କ ତୁ ହି ତୁ’ରେ ପ୍ରଥମ ଥର ପାଇଁ ଗୀତ ଗାଇଥିଲେ। ‘ଇସ୍କ ତୁ ହି ତୁ’ର ଟାଇଟଲ ସଂଗ ପାଇଁ ଖୁବ୍ ଲୋକପ୍ରିୟତା ପାଇଥିଲା ହ୍ୟୁମାନ୍‌। ଆଉ ତା’ ପରେ ପରେ ଶହେରୁ ଅଧିକ ସିନେମାରେ ପାଇଥିଲେ ଗାଇବାର ସୁଯୋଗ। ଖାଲି ସିନେମା ନୁହେଁ, ବହୁ ମ୍ୟୁଜିକ୍ ଆଲବମ୍‌ରେ ତାଙ୍କ ଗୀତ ଚର୍ଚ୍ଚିତ।

୨୦୧୫ରୁ ୨୦୨୫ ମଧ୍ୟରେ ମାତ୍ର ୧୦ବର୍ଷ ଭିତରେ ସେ ଯେଉଁଭଳି ଜନପ୍ରିୟତା ହାସଲ କରିଥିଲେ, ତାହା କ୍ୱଚିତ ଦେଖାଯାଇଥାଏ। ସଂଯୋଗବଶତଃ ତାଙ୍କ ଶେଷ ସିନେମା ୨୦୨୫ର ଅନୁଭବ ମହାନ୍ତି ଅଭିନିତ ‘ଚାରିଧାମ’ ଥିଲା। ଅନ୍ୟଏକ ସଂଯୋଗ ହେଲା, ଏହି ନଭେମ୍ବର (୨୫ତାରିଖ ୧୯୯୦) ମାସରେ ହିଁ ହ୍ୟୁମାନ୍ ଜନ୍ମ ହୋଇଥିଲେ ଏବଂ ୨୫ତାରିଖ ଦିନ ତାହା ପାଳନ ହୋଇଥାଆନ୍ତା। ସମସ୍ତ ପ୍ରକାର ଗୀତ ଗାଇବାର ଦକ୍ଷତା ସେ ରଖୁଥିଲେ; ତାହା ତେଣିକି “ଭିଜେଇ ଦେଇ ଯାଆ ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ” ହେଉ ଅଥବା “ଗଜଲ୍ ଗଜଲ୍‌”। ୨୦୧୫ରେ ସିନେମା ଜଗତରେ କ୍ୟାରିୟର ଆରମ୍ଭ କରି ସେ ଦୁଇଟି ହିଟ୍ ସିନେମା ‘ଇସ୍କ ତୁ ହି ତୁ’ ଓ ‘ଅଗସ୍ତ୍ୟ’ ପାଇଁ ଗୀତ ଗାଇଥିଲେ ଏବଂ ୨୦୨୫ରେ ‘ଚାରି ଧାମ’ରେ ‘କେରକେରା’ ଗୀତ ଗାଇଛନ୍ତି। ହିନ୍ଦୀ ଆଲବମ୍ ‘ମେରା ୟେ ଜାହାଁ’ରେ ମଧ୍ୟ ସେ ଗାଇଛନ୍ତି। ନିଃଶ୍ୱାସ, ବେଖୁଦି, ଚେହେରା, ତୁମ ଓଠତଳେ ଆଦି ବହୁ ଓଡ଼ିଆ ଆଲବମ୍ ତାଙ୍କର ରହିଛି। ସେ ମେଗାଷ୍ଟାର ଅନୁଭବଙ୍କ ଅନେକ ସିନେମାରେ ଗୀତ ଗାଇଛନ୍ତି; ସିନେମା ‘ଗୋଟେ ଶୁଆ ଗୋଟେ ଶାରୀ’, ‘କାବୁଲା ବାରବୁଲା’, ‘ଅଗସ୍ତ୍ୟ’ ଭଳି ଏକାଧିକ ରହିଛି। ସଙ୍ଗୀତରେ ରୁଚି ରଖୁଥିବା ପରିବାରେ ସେ ଜନ୍ମ ହୋଇଥିଲେ; ତାଙ୍କ ବାପା ଓ ମାଆ ଥିଲେ କଣ୍ଠଶିଳ୍ପୀ ଏବଂ ଜେଜେବାପା ଥିଲେ ମ୍ୟୁଜିକ କମ୍ପୋଜର। ରାଜ୍ୟ ଚଳଚ୍ଚିତ୍ର ଓ ଚଳଚ୍ଚିତ୍ର ଜଗତ ପକ୍ଷରୁ ତାଙ୍କୁ ଏକଧିକବାର ପ୍ରଚ୍ଛଦ ପଟ୍ଟ କଣ୍ଠଶିଳ୍ପୀର ପୁରସ୍କାର ପ୍ରାପ୍ତ ହୋଇଥିଲା ବେଳେ ବହୁ ଅନୁଷ୍ଠାନରୁ ବିଭିନ୍ନ ସମୟରେ ସେ ସମ୍ମାନିତ ମଧ୍ୟ ହୋଇଛନ୍ତି। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତ ଏକ ଉଦୀୟମାନ ଶିଳ୍ପୀଙ୍କୁ ହରାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking