35.1 C
Bhubaneswar
Tuesday, March 3, 2026
Homeଓଡିଶାଆଳୁ କ୍ରେତା ଓ ବିକ୍ରେତା ସମ୍ମିଳନୀ

ଆଳୁ କ୍ରେତା ଓ ବିକ୍ରେତା ସମ୍ମିଳନୀ

ଭୁବନେଶ୍ୱର: ରାଜ୍ୟରେ ସବୁ ସମୟରେ ଖାଉଟିମାନଙ୍କ ପାଇଁ ବଜାରରେ ଆଳୁ ଉପଲବ୍ଧ କରାଇବା ପାଇଁ ଆଳୁ କ୍ରେତା ଓ ବିକ୍ରେତାମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉତ୍ତରପ୍ରଦେଶ ରାଜ୍ୟ ଉଦ୍ୟାନ କୃଷି ସମବାୟ ମାର୍କେଟିଂ ଫେଡେରେସନ୍‌, ଉତ୍ତରପ୍ରଦେଶ ରାଜ୍ୟ କୃଷି ଉତ୍ପାଦ ବଜାର ବୋର୍ଡ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାରେ ଉତ୍ତରପ୍ରଦେଶର ଆଳୁ ଉପଲବ୍ଧ କରାଇବା ଉପରେ ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଲେ ଯେ ରାଜ୍ୟରେ ସୁଲଭ ମୂଲ୍ୟରେ ଖାଉଟିମାନଙ୍କୁ ଆଳୁ ଯୋଗାଇଦେବା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ଆଳୁ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ସହ ଅଭାବୀ ବିକ୍ରୟକୁ ପ୍ରତିହତ କରିବା ପାଇଁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଅନେକ ସମୟରେ ଆଳୁକୁ ନେଇ କ୍ରେତା ଓ ବିକ୍ରେତା ମଧ୍ୟରେ ଦ୍ୱନ୍ଦ ଉପୁଜୁଥିବାରୁ ଉତ୍ତରପ୍ରଦେଶ ଭଳି ବାହାର ରାଜ୍ୟରୁ ଆଳୁ ଆଣି ଖାଉଟିମାନଙ୍କୁ ଯୋଗାଇ ଦିଆଯିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଉତ୍ତରପ୍ରଦେଶ ଦେଶର ଏକ ପ୍ରମୁଖ ଆଳୁ ଉତ୍ପାଦନକାରୀ ରାଜ୍ୟ ହେବା ସହ ଦେଶର ମୋଟ ଉତ୍ପାଦନର ୩୫ ପ୍ରତିଶତ ଆଳୁ ଏଠାରୁ ଆସିଥାଏ । ଆଳୁ ଚାହିଦା ମେଣ୍ଟାଇବା ପାଇଁ ଉତ୍ତରପ୍ରଦେଶ ବ୍ୟବସାୟୀଙ୍କର ସେ ସହାୟତା ଲୋଡ଼ିଥିଲେ । ଉଭୟ ରାଜ୍ୟ ମଧ୍ୟରେ ଆଳୁ ବିପଣନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଚାଷୀ, ବ୍ୟବସାୟୀ, ରପ୍ତାନୀକାରୀ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ । ଉକ୍ତ ବୈଠକରେ ଚାଷୀମାନଙ୍କର ବିଭିନ୍ନ ଉତ୍ପାଦର ନମୁନା ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ କୃଷି ବିପଣନ ଉପନିର୍ଦ୍ଦେଶକ ଶ୍ରୀ ସୁଗ୍ରୀବ ଶୁକ୍ଳା, ବୋର୍ଡ ଅଫ୍‌ ଡାଇରେକଫର ଶ୍ରୀ ମହେନ୍ଦ୍ର ପାଲ, ଜେନେରାଲ୍‌ ମ୍ୟାନେଜର ଶ୍ରୀମତୀ ଧରିତ୍ରୀ ମିଶ୍ର, ଉଦ୍ୟାନ କୃଷି ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଗୀତାଶ୍ରୀ ପାଢ଼ୀ, ରାଜ୍ୟ ବିଭିନ୍ନ ସଂଘର ପ୍ରତିନିଧି ଶ୍ରୀ ସୁଧାକର ପଣ୍ଡା, ଶ୍ରୀ ଶକ୍ତିଶଙ୍କର ମିଶ୍ର, ଶ୍ରୀ ବୀରେନ୍‌ ସାହୁ, ଶ୍ରୀ ଅଲୋକ ଅଗ୍ରୱାଲ, ଶ୍ରୀ ବିଧିଭୂଷଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking