16.1 C
Bhubaneswar
Saturday, December 6, 2025
Homeଓଡିଶାଶେଷ ହେଲା ନୂଆପଡ଼ା ଲଢ଼େଇ : ୭୫.୩୭ % ମତଦାନ, ଇଭିଏମ୍‌ରେ ୧୪ ପ୍ରାର୍ଥୀଙ୍କ ଭାଗ୍ୟ...

ଶେଷ ହେଲା ନୂଆପଡ଼ା ଲଢ଼େଇ : ୭୫.୩୭ % ମତଦାନ, ଇଭିଏମ୍‌ରେ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌

ଭୁବନେଶ୍ୱର: ନା କେଉଁଠି ହିଂସା, ନା କେଉଁଠି ଗଣ୍ଡଗୋଳ। କାଁ ଭାଁ ତୁତୁମେଁମେଁକୁ ଛାଡ଼ିଦେଲେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇ ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ। ମାଓ ଇଲାକା ସୁନାବେଡ଼ା ହେଉ କି ବ୍ୟବସାୟିକ ପେଣ୍ଠ ଖରିଆର୍ ରୋଡ଼ ସବୁଠି ବେଶ୍ ଉତ୍ସାହର ସହ ନିଜ ନିଜ ମତ ସାବ୍ୟସ୍ତ କରିଛନ୍ତି ଜିଲ୍ଲାର ୨ ଲକ୍ଷ ୫୩ ହଜାରରୁ ଅଧିକ ମତଦାତା। ଜନତା ଜନାର୍ଦ୍ଦନ ଭାଗ୍ୟ ନିର୍ଦ୍ଧାରଣ କରିବା ପରେ ଇଭିଏମରେ ସିଲ୍ ହୋଇଛି ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ପ୍ରାୟ ୭୫.୩୭% ରହିଛି। ତ୍ରିସ୍ତରୀୟ କଡ଼ା ସୁରକ୍ଷା ଭିତରେ ଇଭିଏମ୍‌ଗୁଡ଼ିକୁ ରଖାଯାଇଛି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର ଏସ୍ ଗୋପାଳନଙ୍କ ସୂତ୍ରରୁ ମିଳିଥିବା ତଥ୍ୟାନୁସାରେ ସକାଳ ୬ଟାରୁ ଇଭିଏମ୍ ଓ ଭିଭିପାଟ୍‌ରେ ମକ୍ ପୋଲିଂ କରାଯିବା ପରେ ସକାଳ ୭ଟାରୁ ୩୫୮ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ପୂର୍ବାହ୍ଣ ୯ଟା ସୁଦ୍ଧା ମତଦାନର ହାର ପ୍ରାୟ ୧୪.୯୯% ଥିଲା। ହେଲେ ପୂର୍ବାହ୍ଣ ୧୧ଟା ସୁଦ୍ଧା ମତଦାନର ହାର ପ୍ରାୟ ୩୨.୫୧%, ମଧ୍ୟାହ୍ନ ୧ଟା ସୁଦ୍ଧା ୫୧.୨୬%, ଅପରାହ୍ଣ ୩ଟା ସୁଦ୍ଧା ୬୫.୨୦% ମତଦାନ ହୋଇଥିଲା। ମାତ୍ର ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ବଢ଼ି ୭୫.୩୭% ହୋଇଥିଲା। ଚୂଡ଼ାନ୍ତ ତଥ୍ୟ ଆସିବା ପରେ ଏହି ହାର ଆହୁରି ବଢ଼ିବ। ତେବେ ମକ୍ ପୋଲ ସମୟରେ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହେବା ପରେ ତିନୋଟି ବାଲଟ୍ ୟୁନିଟ୍ ଏବଂ ତିନୋଟି କଣ୍ଟ୍ରୋଲ୍ ୟୁନିଟ୍ ତୁରନ୍ତ ବଦଳାଯାଇଥିଲା। ଇଭିଏମ୍‌ରେ କିଛି ସ୍ଥାନରେ ତ୍ରୁଟି ଯୋଗୁଁ ଭୋଟ୍ ଦାନ ବାଧାପ୍ରାପ୍ତ ହୋଇଥିଲା। ୧୬୫ ମତଦାନ କେନ୍ଦ୍ରରେ ପୁନଃ ଭୋଟଦାନ ସଫଳତାର ସହ ସମାପ୍ତ ହୋଇଥିଲା। ୨୪୬ ନମ୍ବର ବୁଥ୍‌ରେ ଇଭିଏମ୍ ବଦଳାଯାଇଥିଲା।

ସିଇଓ କହିଛନ୍ତି ଯେ ନୂଆପଡ଼ା ବ୍ଲକ୍‌, କୋମନା ବ୍ଲକ, ଖରିଆର ରୋଡ୍ ଏନଏସି ଓ ନୂଆପଡ଼ା ଏନଏସିରେ ମତଦାନ ଧାର୍ଯ୍ୟ ସନ୍ଧ୍ୟା ୫ରେ ଶେଷ ହୋଇଥିଲାବେଳେ ସୁନାବେଡ଼ା ଅଞ୍ଚଳ ମାଓ ଅଧ୍ୟୁଷିତ ହୋଇଥିବାରୁ ସେଠାରେ ଥିବା ୮ଟି ବୁଥରେ ଅପରାହ୍ନ ୪ଟା ଯାଏ ଭୋଟଗ୍ରହଣ ହୋଇଥିଲା। ଏହି ସୁନାବେଡ଼ା ଅଭୟାରଣ୍ୟର ୮ଟି ବୁଥ୍‌ରେ ପୋଲିଂ କର୍ମଚାରୀଙ୍କୁ ହେଲିକପ୍ଟର ଯୋଗେ ପହଞ୍ଚାଇ ଦିଆଯାଇଥିଲା। ସେଇ ବୁଥ୍‌ଗୁଡ଼ିକ ହେଲା, ବୁଥ୍ ନମ୍ବର ୩୨୦, ୩୨୧, ୩୨୨, ୩୨୪, ୩୨୫, ୩୨୬, ୩୨୭ ଓ ୩୨୮ ନମ୍ବର। ସେମାନେ ସୁରକ୍ଷିତ ଫେରି ଆସିଛନ୍ତି। ଅନ୍ୟପକ୍ଷରେ ଖରିଆର୍ ରୋଡ୍‌ର ମଙ୍ଗୋରାପଲ୍ଲୀର ବୁଥ୍ ନମ୍ବର ୭୬ରେ ରିପୋର୍ଟ ହୋଇଥିବା ଇଭିଏମ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିଲା। ସମ୍ବେଦନଶୀଳ ଏବଂ ସଖୀ ବୁଥ୍ ସମେତ ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳରେ ମତଦାନ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଥିଲା।

ମନରେ ଥିଲା ଉତ୍କଣ୍ଠା। ନେତା ବାଛିବାକୁ ପ୍ରବଳ ଉତ୍ସାହ ସହ ଆବେଗ ବି କାହିଁରେ କେତେ ଥିଲା। ଶୀତୁଆ ସକାଳରେ ବାରି ହେଉଥିଲା ନିର୍ବାଚନୀର ଉଷ୍ଣତା। ଆଉ ତାହାରି ଭିତରେ ଆରମ୍ଭ ହୋଇଥିଲା ମତଦାନର ପର୍ବ। ନା ଥିଲା ଲାଲ ବାହିନୀ ପ୍ରତି ଭୟ, ନା ପରିଣତ ବୟସ ପ୍ରତି ଥିଲା ପରବାୟ। କେବଳ ବୟସ୍କ ନୁହନ୍ତି, ମତଦାନର ଉତ୍ସବରେ ନବାଗତଙ୍କ ଉତ୍ସାହ ବି ବାରି ହେଉଥିଲା। ମନରେ ଅଜସ୍ର ଉତ୍କଣ୍ଠା ଓ ଆବେଗ ଭିତରେ ପ୍ରଥମ ଥର ପାଇଁ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି ଯୁବଭୋଟର। ନୂଆପଡ଼ା ଅଞ୍ଚଳର ବିକାଶ ଓ ଭବିଷ୍ୟତକୁ ଆଖିରେ ରଖି ଅଙ୍ଗୁଳିରେ କାଳୀ ଲଗାଇ ଇଭିଏମ୍ ମେସିନରେ ବଟନ ଦବାଇ ନିଜ ମନପସନ୍ଦର ପ୍ରାର୍ଥୀ ବାଛିଛନ୍ତି। ବାପା ରାଜୁ ଢ଼ୋଲକିଆଙ୍କ ଦେହାନ୍ତି ପରେ ପ୍ରଥମ ଥର ପାଇଁ ବିଜେପିରୁ ନିଜ ଭାଗ୍ୟ ପରୀକ୍ଷା କରୁଥିବା ପୁଅ ଜୟ ଢ଼ୋଲକିଆ ଆଜି ମତଦାନ କେନ୍ଦ୍ରକୁ ଯିବା ଆଗରୁ ପତ୍ନୀଙ୍କ ସହ ପୂଜାର୍ଚ୍ଚନା କରିଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ଘାସୀରାମ ମାଝୀ ନୂଆପଡ଼ା ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ମତଦାନ କେନ୍ଦ୍ରରେ ନିଜର ମତଦାନ କରିଥିଲେ। ତେବେ ତିନି ପ୍ରମୁଖ ପ୍ରାର୍ଥୀଙ୍କ ଆଶା ନିଜ ନିଜର ବିଜୟକୁ ନେଇ। ତେବେ ମତଦାନ ବେଳେ କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ଦେଖାଦେଇଥିଲା ସାମାନ୍ୟ ତୁତୁମେଁମେଁ। କିନ୍ତୁ ଭୋଟିଂ ପ୍ରକ୍ରିୟା ଉପରେ କୌଣସି ପ୍ରଭାବ ପକାଇ ନାହିଁ। ୮୦ ଓ ୨୯୮ ନଂ ବୁଧରେ ସମସ୍ୟା ଯୋଗ ଭିଭିପାଟ୍ ବଦଳା ଯାଇଥିଲା। ୨୫୦ ନଂ ବୁଥ୍‌ରେ ଗୋଟିଏ ବୋଟନ ଦବାଇଲେ ଆଉ ଗୋଟିଏ ଚିହ୍ନଟକୁ ଭୋଟ ଯିବା ଘଟଣାକୁ ସମ୍ପୂର୍ଣ୍ଣ ଗୁଜବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ ୍‌ଗୋପାଳନ୍‌। ସେହିପରି ଭୋଟରଙ୍କ ଗୋପନୀୟତା ଉଲ୍ଲଂଘନ କରିଥିବା ଅଭିଯୋଗରେ ସିନାପାଲି ୪୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ସନ୍ଦୀପ ସ୍ୱାଇଁ ଏବଂ କୁଳିଆବନ୍ଧ ୩୬ ନଂ ବୁଥ୍‌ର ଧନଞ୍ଜୟ ମଲ୍ଲିକଙ୍କୁ ସିଇଓ ସସପେଣ୍ଡ କରିଥିଲେ। ନୂଆପଡ଼ାର ପ୍ରାୟ ୨ଲକ୍ଷ ୫୩ ହଜାର ଭୋଟର ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିବାବେଳେ ଏବେ ଆସନ୍ତା ୧୪ ତାରିଖକୁ ଅପେକ୍ଷା। ଯେଉଁଦିନ ଇଭିଏମ୍ ସହ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking