29.1 C
Bhubaneswar
Monday, February 9, 2026
Homeଓଡିଶାସରକାର ଶିକ୍ଷା ବ୍ୟବସ୍ଥାର ସଂପୂର୍ଣ୍ଣ ଘରୋଇକରଣ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି

ସରକାର ଶିକ୍ଷା ବ୍ୟବସ୍ଥାର ସଂପୂର୍ଣ୍ଣ ଘରୋଇକରଣ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଞ୍ଜିତ ପାତ୍ର କହିଲେ ଯେ ସାମସ୍ ପ୍ରକ୍ରିୟା ଓଡ଼ିଶାର ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛି। ଓଡ଼ିଶାର ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ପ୍ରତି ଏଥିରେ ଅଣଦେଖା କରାଯାଉଛି। ସାମସ୍ ମାଧ୍ୟମରେ ଯେଉଁ ନାମଲେଖା ହେଉଛି ସେଥିରେ ଦୁର୍ନୀତି ହେବା ସହ ବ୍ୟାପକ ଅବ୍ୟବସ୍ଥା ରହିଛି। ନାମଲେଖା ଏବଂ ପରୀକ୍ଷାର କୌଣସି ନିର୍ଦ୍ଦିଷ୍ଟ ସମୟ ରହୁନାହିଁ। ସୁତରାଂ ଓଡ଼ିଶାର ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଗଠନ ସହିତ ସରକାର ଖେଳ ଖେଳୁଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ମନୋଜ ବିଶ୍ୱାଳ କହିଲେ ଯେ କେବଳ ଘରୋଇ ଶିକ୍ଷା ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବାପାଇଁ ଏବଂ ଶିକ୍ଷା ବ୍ୟବସାୟୀ ମାନଙ୍କୁ ପରିପୃଷ୍ଟ କରିବାପାଇଁ କ୍ଷମତାସୀନ ସରକାର ଦୃଢ଼ ନିଷ୍ପତ୍ତି ନେଇଛନ୍ତି। ଯାହାଦ୍ୱାରା ସରକାରୀ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଦୁର୍ବଳ ହୋଇପଡ଼ୁଛି ଏବଂ ଏ ସରକାର ସେଥିପାଇଁ ସଂପୂର୍ଣ୍ଣ ଦାୟୀ। ପୂର୍ବ ବିଜେଡ଼ି ଏବଂ ଆଜିର ବିଜେପି ସରକାର ସାମସ୍ ଜରିଆରେ ଓଡ଼ିଶାର ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଧୂଳିସାତ କରିସାରିଲେଣି। ଏହି ପ୍ରକ୍ରିୟାରେ ଅବ୍ୟବସ୍ଥା ଭରି ରହିଛି। ଏହାର ସୁଧାର ନିହାତି ଆବଶ୍ୟକ। କିନ୍ତୁ ଯେହେତୁ ସରକାରଙ୍କର ଭିତିରି ଉଦ୍ଦେଶ୍ୟ ରହିଛି ଘରୋଇ ଶିକ୍ଷା ବ୍ୟବସ୍ଥାକୁ ସଶକ୍ତ କରିବେ ତେଣୁ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଉନାହାନ୍ତି। ଯାହା ଫଳରେ ଏ ରାଜ୍ୟର ଗରିବ ଛାତ୍ରମାନେ ଯେଉଁମାନେ ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାପାଇଁ ସକ୍ଷମ ନୁହଁନ୍ତି ସେମାନେ ପ୍ରଭାବିତ ହେଉଛନ୍ତି। କାରଣ ସରକାରୀ ଶିକ୍ଷାବ୍ୟବସ୍ଥା ହିଁ ସେମାନଙ୍କର ଏକମାତ୍ର ରାସ୍ତା।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ୟୁଜି, ପିଜି, ବିଏଡ, ଏମଏଡ, ଏଲ ଏଲ ଏବି ଶ୍ରେଣୀରେ ନାମଲେଖା ପାଇଁ ପ୍ରଥମ ଚୟନ ତାଲିକାର ପ୍ରାର୍ଥିଙ୍କ ନିମନ୍ତେ ଜୁନ-୧୬ ରୁ ଜୁନ-୧୮ ଅବଧି ଘୋଷଣା କରାଗଲା। ସେହି ସମାନ କୋର୍ସରେ ନାମ ଲେଖାପାଇଁ ପୁଣି ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞାପନ ଦେଲେ ଯେ ସ୍ପଟ ଆଡମିଶନ ନଭେମ୍ବର-୩ ରୁ ୬ ମଧ୍ୟରେ ହେବ। ଗତ ୫ ମାସ ଧରି ଉଚ୍ଚ ଶିକ୍ଷା ବିଭାଗ ନାମଲେଖା କାର୍ଯ୍ୟ ଜାରି ରଖିଛନ୍ତି। ଏଠାରେ ପ୍ରଶ୍ନ ଉଠେଯେ ୫ ମାସ ଧରି ସଂପୃକ୍ତ ବିଭାଗରେ ପାଠପଢ଼ା ହେଉଛି କି ନାହିଁ। ଯଦି ପାଠପଢ଼ା ହେଉଛି, ଏବେ ନାମ ଲେଖାଇଥିବା ଛାତ୍ରଟି ଗତ ୫ମାସର ପାଠକୁ ପଢ଼ିବେ କେମିତି? ପ୍ରଥମ ସେମିଷ୍ଟାର ପରୀକ୍ଷା ଆଉ ୧୫ ଦିନ ଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗର ନାମ ଲେଖା କିନ୍ତୁ ବନ୍ଦ ହୋଇପାରୁ ନାହିଁ। ଏବେ ଆଡମିଶନ ନେଉଥିବା ଜଣେ ଛାତ୍ର ୧୫ ଦିନ ପରେ କିଭଳି ୬ ମାସର ପାଠ ପଢ଼ିବ ଏବଂ ପରୀକ୍ଷା ଦେବ ସେ କଥା ଉଚ୍ଚ ଶିକ୍ଷା ବିଭାଗ ବିଚାର କରିପାରୁନି। ଅନପକ୍ଷରେ ଆମର ଶିକ୍ଷାମନ୍ତ୍ରୀ ମାନ୍ୟବର ସୁରଜ ସୂର୍ଯ୍ୟବଂଶୀ ଏ ବ୍ୟବସ୍ଥା ପ୍ରତି ସଂପୂର୍ଣ୍ଣ ଅଣଦେଖା କରୁଛନ୍ତି ବୋଲି ସ୍ପଷ୍ଟ ହୋଇପଡ଼ିଛି। ମନ୍ତ୍ରୀ ଏବଂ ଶିକ୍ଷା ବ୍ୟବସାୟୀଙ୍କ ମଧ୍ୟରେ ମଧୂଚନ୍ଦ୍ରିକା ଚାଲିଛି ଯାହାଫଳରେ ସରକାରୀ ଶିକ୍ଷାବ୍ୟବସ୍ଥାକୁ ପଦଦଳିତ କରିଦିଆଯାଉଛି।

ଓଡ଼ିଶାର ଶିକ୍ଷାବ୍ୟବସ୍ଥାକୁ ଏକ ଭେଳିକିରେ ପରିଣତ କରିଦେବା ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଘରୋଇ ଶିକ୍ଷା ଆଡକୁ ମୁହାଁଉଛନ୍ତି। ସରକାରୀ ଉଦାସୀନତାର ଶିକାର ହୋଇଥିବା ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ କେବଳ ଗରିବ ଛାତ୍ରଛାତ୍ରୀମାନେ ନାମ ଲେଖାଉଛନ୍ତି ଏବଂ ସେମାନଙ୍କର ଭବିଷ୍ୟତ ପ୍ରତି ସରକାରଙ୍କର ନିଘା ନାହିଁ। ସାସମ୍ ବ୍ୟବସ୍ଥାର ତୁରନ୍ତ ସୁଧାର ଅଣାଯାଉ। ଏହାକୁ ଦୁର୍ନୀତିମୁକ୍ତ କରାଯାଉ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନାମଲେଖା ପ୍ରକ୍ରିୟାକୁ ଶେଷ କରାଯାଉ ବୋଲି ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସୌମ୍ୟ ବରାଳ, ବିଶ୍ୱଭୂଷଣ ମହାପାତ୍ର, ବିଜୟ ସାହୁ ଓ ଅମିତ କୁମାର ପଣ୍ଡା ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking